Unknown

 

 

 

 

 

 

 

 

 

 

 

ଚିଲିକା ପାଠ୍ୟ ଓ ପରିଚୟ

କବିବର ରାଧାନାଥ ରାୟ

 

ଚିଲିକା ପାଠ୍ୟ ଓ ପରିଚୟ

 

ଜୀବନୀ–

 

ମହାକବି ରାଧାନାଥ ଆଧୁନିକ ଓଡ଼ିଆ ସାହିତ୍ୟର ଜନ୍ମଦାତା । ବର୍ଣ୍ଣାଢ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟର ଶେଷରଶ୍ମିର ଅବସାନ ଘଟାଇ ଉତ୍କଳର ସାହିତ୍ୟାକାଶରୁ ବିଦାୟ ନେଲେ କବିସୂର୍ଯ୍ୟ ବଳଦେବ ରଥ ୧୮୪୫ ଖ୍ରୀଷ୍ଟାବ୍ଦରେ; କିନ୍ତୁ ନୂତନ ଏହି କବିସୂର୍ଯ୍ୟଙ୍କର ଉଦୟ ଘଟିଥିଲା ୧୮୪୮ ମସିହା ସେପ୍‍ଟେମ୍ୱର ମାସ ୨୮ ତାରିଖରେ । ଏହି ମହାକବିଙ୍କର ଉଦୟ ଉତ୍କଳ-ସାହିତ୍ୟରେ ଅଭିନବ ଯୁଗର ବାର୍ତ୍ତା ପ୍ରଚାର କଲା, ନବୀନ ରଶ୍ମିରେ ଉଦ୍ଭାସିତ ହୋଇଉଠିଲା ଉତ୍କଳର ସାରସ୍ୱତ ପୀଠିକା ।

 

ବାଲେଶ୍ୱର ଜିଲାର କେଦାରପୁରଠାରେ ରାଧାନାଥଙ୍କର ଜନ୍ମ । ପିତା ସୁନ୍ଦରନାରାୟଣ ଥିଲେ ବାଲେଶ୍ୱର କଚେରୀରେ ସଦର କାନୁନଗୋ । ସୁନ୍ଦରନାରାୟଣଙ୍କ ସୁମିଷ୍ଟ ବ୍ୟବହାର, କର୍ତ୍ତବ୍ୟନିଷ୍ଠା, ସ୍ୱଦେଶ ହିତୈଷିତା ଓ ବିଦ୍ୟାନୁରାଗ ତାଙ୍କୁ ଜଣେ ବିଖ୍ୟାତ ଜନପ୍ରିୟ ବ୍ୟକ୍ତି ହିସାବରେ ପରିଚିତ କରାଇଥିଲା । ତାହାଛଡ଼ା ସୁନ୍ଦରନାରାୟଣ ଥିଲେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ସଂସ୍କୃତ ଓ ପାରସୀ ଭାଷାରେ ଜଣେ ପଣ୍ଡିତ । ପିତାଙ୍କର ସଚ୍ଚରିତ୍ର, ବିଦ୍ୟାନୁରାଗ ଓ କବିତ୍ୱପ୍ରିୟତାର ପ୍ରଭାବ ଗଭୀର ଭାବରେ ପ୍ରଭାବିତ କରିଥିଲା କବିବର ରାଧାନାଥଙ୍କୁ ।

 

ରାଧାନାଥ ଥିଲେ ବାଲ୍ୟକାଳରୁ ମାତୃହୀନ । ପାଞ୍ଚ ବର୍ଷ ବୟସରେ ତାଙ୍କର ସ୍ନେହମୟୀ ଜନନୀ ତାରିଣୀ ଦାସୀଙ୍କର ବିୟୋଗ ରାଧାନାଥଙ୍କ ମନ ଓ ହୃଦୟକୁ ନିବିଡ଼ ଦୁଃଖରେ ଅଭିଭୂତ କରି ପକାଇଥିଲା । ତାଙ୍କର ବାଲ୍ୟକାଳରେ ଏହି ମାତୃବିୟୋଗଜନିତ ଦୁଃଖ ଓ କାରୁଣ୍ୟ ତାଙ୍କର ସମଗ୍ର ଜୀବନକୁ କରିଛି ନିୟନ୍ତ୍ରିତ, ଯାହାର ସୁସ୍ପଷ୍ଟ ଝଙ୍କାର ଝଂକୃତ ହୋଇ ଉଠିଛି ରାଧାନାଥଙ୍କ ସମସ୍ତ କାବ୍ୟକବିତାରେ ।

 

ପାଠଶାଳାରେ ବିଦ୍ୟାଧ୍ୟୟନ କରିବା ଦିଗରେ ପିତା ଯଥେଷ୍ଟ ତତ୍ତ୍ୱ ନେଇଥିଲେ ଓ ପିତୃଦେବଙ୍କ ରୁକ୍ଷତାଚ୍ଛନ୍ନ ସ୍ନେହ ଅନୁଶାସନ ଫଳରେ ରାଧାନାଥଙ୍କ ବାଲ୍ୟଜୀବନ ସୁଶୃଙ୍ଖଳିତ ଭାବରେ ଗଠିତ ହୋଇଥିଲା । ପାଠଶାଳା ଶିକ୍ଷା ସମାପ୍ତ ହେବା ଉତ୍ତାରେ ରାଧାନାଥ ବାଲେଶ୍ୱର ସ୍କୁଲରେ ଶିକ୍ଷାଲାଭ କଲେ । ୧୬ ବର୍ଷ ବୟସରେ ସେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୧୮୬୪ ମସିହାରେ କଲିକତାରେ ଏଫ.ଏ. ପଢ଼ିବାକୁ ଯାଇଥିଲେ । ସେଠାରେ ବଙ୍ଗଳାର ତତ୍କାଳୀନ ବାତାବରଣ ରାଧାନାଥଙ୍କଠାରେ ବିଦ୍ୟୁତ୍‍ର ପ୍ରଭାବ ଛୁଟାଇ ଦେଇଥିଲା । କେଶବଚନ୍ଦ୍ର ସେନ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ମାଇକେଲ ମଧୁସୂଦନ ଦତ୍ତ ଓ ହେମଚନ୍ଦ୍ର ଏବଂ ହଣ୍ଟର ସାହେବ ପ୍ରଭୃତିଙ୍କର ସମାଜ, ସଂସ୍କୃତି ଓ ସାହିତ୍ୟକ୍ଷେତ୍ରରେ ବିପୁଳ କୃତିତ୍ତ୍ୱ ସେତେବେଳେ ବଙ୍ଗଳାରେ ଅଭିନବ ଅଭ୍ୟୁତ୍‍ଥାନର ଦିଗ୍‍ଦର୍ଶନ ଦେଉଥାଏ । ତାହାଛଡ଼ା ବହୁ ପ୍ରଖ୍ୟାତନାମା ମେଧାବୀ ଛାତ୍ରମାନଙ୍କ ଗହଣରେ ରାଧାନାଥଙ୍କର ବିଦ୍ୟାଧ୍ୟୟନ ତାଙ୍କୁ ଜଣେ ମହାମନୀଷୀରେ ପରିଣତ କରିଦେବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଥିଲା । କିନ୍ତୁ ରୋଗାକ୍ରାନ୍ତ ହୋଇ ରାଧାନାଥ ବିଷଣ୍ଣ ମନରେ ଫେରିଆସିଲେ ସ୍ୱଗୃହ ଅଭିମୁଖେ ।

 

କଲିକତାରୁ ଫେରି ରାଧାନାଥ ପରିବାର ପରିଚାଳନାରେ ପିତାଙ୍କୁ ସାହାଯ୍ୟ କରିବା ପାଇଁ ବାଲେଶ୍ୱର ସ୍କୁଲରେ ଶିକ୍ଷକତା ଆରମ୍ଭ କଲେ । ୧୮୬୪ ମସିହା ମେ ମାସ ପ୍ରଥମ ତାରିଖ ଦିନୁ, ମାସିକ ତିରିଶ ଟଙ୍କା ବେତନ ହାରରେ ବାଲେଶ୍ୱର ଜିଲ୍ଲାସ୍କୁଲରେ ତୃତୀୟ ଶିକ୍ଷକ ହିସାବରେ ପାଞ୍ଚ ବର୍ଷ ଶିକ୍ଷକତା କରି ପୁରୀ ଜିଲ୍ଲାସ୍କୁଲରେ ଦ୍ୱିତୀୟ ଶିକ୍ଷକ ହିସାବରେ ନିଯୁକ୍ତ ହେଲେ । ତାହାର ଦୁଇ ବର୍ଷ ପରେ ତାଙ୍କର ବଦଳି ହେଲା ବାଙ୍କୁଡ଼ା ଜିଲ୍ଲାସ୍କୁଲକୁ । ସେତେବେଳେ ବଙ୍ଗଳା, ବିହାର ଓ ଓଡ଼ିଶା ଗୋଟିଏ ପ୍ରଦେଶ ହିସାବରେ ଜଣେ ଛୋଟଲାଟ୍‍ଙ୍କ ଦ୍ୱାରା ଶାସିତ ହେଉଥିଲା । କିଛିଦିନ ପରେ ରାଧାନାଥ ନିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲାର ସ୍କୁଲସମୂହର ଡେପୁଟୀ ଇନ୍‍ସ୍‍ପେକ୍ଟର ପଦରେ । ଶିକ୍ଷାବିଭାଗରେ ତାଙ୍କର କୃତିତ୍ତ୍ୱ ଓ ସୁଖ୍ୟାତି ବଳରେ ସେ ଓଡ଼ିଶା ବିଭାଗର ସ୍କୁଲ ସମୂହର ଇନ୍‍ସ୍‍ପେକ୍ଟର ପଦ ପର୍ଯ୍ୟନ୍ତ ଉନ୍ନତି କରିଥିଲେ । ନିଜ କର୍ମଜୀବନର କୃତିତ୍ତ୍ୱ ବଳରେ ସେ ସରକାରଙ୍କଠାରୁ ରାୟ ବାହାଦୂର ଉପାଧି ଲାଭ କରିଥିଲେ ।

 

ରାଧାନାଥ ଥିଲେ ବିଦ୍ୟାନୁରାଗୀ ମହାପଣ୍ଡିତ । ପ୍ରାଚୀନ ଓଡ଼ିଆ ସାହିତ୍ୟର ଦୀନକୃଷ୍ଣ, ଉପେନ୍ଦ୍ର, ଅଭିମନ୍ୟୁ ପ୍ରଭୃତିଙ୍କର ଗ୍ରନ୍ଥ ସେ ବାରମ୍ୱାର ଅଧ୍ୟୟନ କରି ବିମଳ ଆନନ୍ଦ ଲାଭ କରିଥିଲେ । ସଂସ୍କୃତ ସାହିତ୍ୟରେ କାଳିଦାସ, ମାଘ, ଭବଭୂତି-ଆଦିଙ୍କର ଗ୍ରନ୍ଥମାନଙ୍କର ଗଭୀର ଅନୁଶୀଳନ କରିଥିଲେ । ବଙ୍ଗଳାରେ ପ୍ରାଚୀନ କବି ଭାରତଚନ୍ଦ୍ରଙ୍କଠାରୁ ମହେନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତ ଉତ୍କୃଷ୍ଟ କବିମାନଙ୍କର କବିତାରେ ତାଙ୍କର ଅସୀମ ଦଖଲ ଥିଲା । ଇଂରେଜୀ କବି ଚଷର, ସେକ୍‍ସପିଅର, ସ୍ପେୟର, କୁପର, ଗ୍ରେ, ମିଲଟନ୍‍, ଗୋଲ୍‍ଡସ୍ମିଥ, ବାଇରନ, ସ୍କଟ, ଶେଲୀ, ଓ୍ୱାର୍ଡସ୍ୱାର୍ଥ, ଟେନିସନ ଆଦିଙ୍କର କାବ୍ୟ, ନାଟକ ଏବଂ ଇଟାଲୀ କବି ପିଟ୍ରାକ, ଜର୍ମାନୀ କବି ଗେଟେ ଆଦିଙ୍କ କୃତୀର ଇଂରେଜୀ ଅନୁବାଦ ରାଧାନାଥ ଅସୀମ ଧୈର୍ଯ୍ୟ ଓ ଅଧ୍ୟବସାୟ ସହକାରେ ଅଧ୍ୟୟନ କରିଥିଲେ । ତାହା ଛଡ଼ା ହିନ୍ଦୀ ଓ ପାରସୀ ଭାଷାରେ ମଧ୍ୟ ତାଙ୍କର ପ୍ରବୀଣତା ଥିଲା । ଏହିସବୁ ବ୍ୟାପକ ଅଧ୍ୟୟନ ଓ ଅନୁଶୀଳନ ତାଙ୍କର କବିଜୀବନକୁ ଯଥେଷ୍ଟ ଖୋରାକ ଯୋଗାଇ ଦେଇଥିଲା ।

 

ନିଭୃତସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରି ଭାବନା ନିମଗ୍ନ ହେବା ରାଧାନାଥଙ୍କର ପ୍ରକୃତି ଥିଲା । ବାଲ୍ୟକାଳରୁ ସେ ପିତାଙ୍କ ସହିତ ନିର୍ଜ୍ଜନ ସମୁଦ୍ରବେଳା ପ୍ରଭୃତି ସ୍ଥାନମାନଙ୍କରେ ପରିଭ୍ରମଣ କରି ଆନନ୍ଦ ପାଉଥିଲେ । ପରେ ଶିକ୍ଷାବିଭାଗରେ କାର୍ଯ୍ୟ କରି ସେ ସମଗ୍ର ଓଡ଼ିଶାର ବହୁ ଅଞ୍ଚଳରେ ପରିଭ୍ରମଣର ସୁଯୋଗ ଲାଭ କରିଥିଲେ । ପୁନଶ୍ଚ ଭାରତବର୍ଷର ବହୁ ତୀର୍ଥସ୍ଥଳୀ ଓ ରମଣୀୟ ସ୍ଥାନ ପରିଦର୍ଶନ କରିବାର ସୁଯୋଗ ମଧ୍ୟ ପାଇଥିଲେ । ଏହିପରି ଭାବରେ ପ୍ରାକୃତିକ ସୌନ୍ଦର୍ଯ୍ୟାନୁଭୂତି ତାଙ୍କ ଜୀବନ ଉପରେ ଏକ ଗଭୀର ପ୍ରଭାବ ବିସ୍ତାର କରିଥିଲା ।

 

ଶିକ୍ଷାବିଭାଗର କର୍ମମୟ ଜୀବନରେ ରାଧାନାଥ ବହୁ ଗୁଣୀ ଲୋକଙ୍କ ସଂସ୍ପର୍ଶରେ ଆସିବାର ପାଇଥିଲେ । ବଙ୍ଗଳାର ବିଶିଷ୍ଟ ଲେଖକ ଓ ଶିକ୍ଷାବିତ୍‍ ଭୂଦେବ ମୁଖାର୍ଜୀଙ୍କର ସାନ୍ନିଧ୍ୟ ରାଧାନାଥଙ୍କ କବିଜୀବନକୁ ସର୍ବାଧିକ ପ୍ରେରଣା ଯୋଗାଇଥିବା ପରି ମନେହୁଏ ।

 

ରାଧାନାଥ ବଙ୍ଗଳାରେ ‘ଲେଖାବଳୀ’ ନାମକ ଗ୍ରନ୍ଥ ରଚନା କରି ଭୂଦେବବାବୁଙ୍କ ସମକ୍ଷରେ ଉପସ୍ଥାପିତ କରିଥିଲେ ଓ ଭୂଦେବବାବୁ ତା’ର କେତେକାଂଶ ସଂଶୋଧନ କରି ନିଜ ପ୍ରକାଶିତ ‘ଏଡୁକେଶନ ଗେଜେଟ’ରେ ପ୍ରକାଶିତ କରିଥିଲେ । ତତ୍ପରେ ଭୂଦେବବାବୁଙ୍କ ନିର୍ଦ୍ଦେଶରେ କବି ବଙ୍ଗଳା ଭାଷା ପରିବର୍ତ୍ତେ ଓଡ଼ିଆରେ କାବ୍ୟ-କବିତା ରଚନା କରିବା ପାଇଁ କୃତସଂକଳ୍ପ ହୋଇଥିଲେ । ତାଙ୍କ ରଚିତ କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶରୀ, ଉଷା, ପାର୍ବତୀ, ଚିଲିକା, ମହାଯାତ୍ରା, ଯାଯାତିକେଶରୀ, ଉର୍ବଶୀ, ଦରବାର ପ୍ରଭୃତି କାବ୍ୟ କବିତାବଳୀ; ମେଘଦୂତ, ଦଶରଥ ବିୟୋଗ ଓ ଅନ୍ୟାନ୍ୟ କ୍ଷୁଦ୍ର କବିତାବଳୀ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ ।

 

ରାଧାନାଥଙ୍କ କାବ୍ୟକବିତା ଓଡ଼ିଆ ସାହିତ୍ୟର ଗତିଧାରାରେ ଏକ ଅଭିନବ ବିପ୍ଳବର ବାର୍ତ୍ତା ବହନ କରି ସମଗ୍ର ଉତ୍କଳରେ ପ୍ରଚାରିତ ହେଲା । କ୍ରମେ ଗୁଣଗ୍ରାହୀ ବିଦ୍ୱାନମଣ୍ଡଳି ରାଧାନାଥଙ୍କ ପ୍ରତି ଆକୃଷ୍ଟ ହେଲେ ଓ ଓଡ଼ିଶାର ରାଜନ୍ୟବୃନ୍ଦ ରାଧାନାଥଙ୍କୁ ବହୁ ଭାବରେ ସମ୍ମାନିତ କଲେ । ସମଗ୍ର ଓଡ଼ିଶା ଓ ବଙ୍ଗଳାରେ ରାଧାନାଥଙ୍କ ସୁଖ୍ୟାତି ପ୍ରଚାରିତ ହୋଇଥିଲା ।

 

ପାରିବାରିକ ଜୀବନ ଓ କର୍ମଜୀବନରେ ବହୁ ମାନସିକ ଦୁଶ୍ଚିନ୍ତା ଓ ଅଶାନ୍ତି ତାଙ୍କୁ ମର୍ମନ୍ତୁଦ ଯନ୍ତ୍ରଣା ଦେଇଥିଲା । ୧୯୦୩ ମସିହା ସେପ୍‍ଟେମ୍ୱର ମାସରେ ରାଧାନାଥ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କଲେ । ତତ୍ପରେ ସେ ଓଡ଼ିଶାର ବହୁ ଗଡ଼-ଜାତ ଅଞ୍ଚଳରେ ପରିଭ୍ରମଣ କରି ପ୍ରାକୃତିକ ଶୋଭାରାଶି ଉପଭୋଗ କରିଥିଲେ । ଏହି ପରିଭ୍ରମଣ କାଳରେ ତାଙ୍କର ଯଥେଷ୍ଟ ମାନସିକ ପରିବର୍ତ୍ତନ ଘଟିଥିଲା । ଢେଙ୍କାନାଳ, ତାଳଚେର, ପାଲଲହଡ଼ା ଓ ବାମଣ୍ଡା ପ୍ରଭୃତି ରାଜ୍ୟର ବହୁ ଦୃଶ୍ୟସ୍ଥଳୀ ସନ୍ଦର୍ଶନ କରି କବି କଟକ ଫେରି ଆସିଥିଲେ । କିନ୍ତୁ ଅଳ୍ପଦିନ ପରେ ଜ୍ୱରାକ୍ରାନ୍ତ ହୋଇ ୧୯୦୮ ମସିହା ଅପ୍ରେଲ ୧୭ ତାରିଖ ଚୈତ୍ର ମାସର ରାକା ରଜନୀରେ କବିବର ମର୍ତ୍ତ୍ୟମାୟା ସମ୍ୱରଣ କରି ଅମରଲୋକକୁ ବାହୁଡ଼ିଲେ । ମୃତ୍ୟୁ ତାଙ୍କର ମରଦେହକୁ ଗ୍ରାସ କରିଛି ସତ୍ୟ, କିନ୍ତୁ ଉତ୍କଳର ସାରସ୍ୱତ କାନନର ସେ ଯେଉଁ ଅକ୍ଷୟ କୀର୍ତ୍ତି ଅର୍ଜ୍ଜନ କରିଯାଇଛନ୍ତି, ତାହାରି ଭିତରେ ବିଳସି ବୁଲୁଛି ତାଙ୍କର ଦିବ୍ୟ ଅମର ଆତ୍ମା ।

Image

 

Unknown

ଚିଲିକା ଏକ ଅଧ୍ୟୟନ

 

୧. ଚିଲିକା ରଚନାର ପରିକଳ୍ପନା ଓ ପୃଷ୍ଠଭୂମି

 

ମୟୂରଭଞ୍ଜରୁ ମହାରାଜା ଶ୍ରୀରାମଚନ୍ଦ୍ର ଦେବଙ୍କ ଆନୁକୂଲ୍ୟରେ ପ୍ରକାଶିତ ‘ଉତ୍କଳ ପ୍ରଭା’ ପତ୍ରିକାରେ ଧାରାବାହିକ ଭାବେ ‘ଚିଲିକା’ ପ୍ରକାଶିତ ହୋଇ ୧୮୯୨ ମସିହାରେ ଏହା ସମ୍ପୂର୍ଣ୍ଣ ହୁଏ-। ଏହି କାବ୍ୟ ରଚନା ନିମିତ୍ତ କବିବର ମହାରାଜାଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଥିଲେ । ରାଧାନାଥଙ୍କ ବହୁ କାବ୍ୟ ପାଶ୍ଚାତ୍ୟ ଗଳ୍ପରୁ ଆହୃତ ଉପାଦାନରେ ରଚିତ ବୋଲି ସମାଲୋଚିତ ହୋଇଥିଲେ ମଧ୍ୟ ‘ଚିଲିକା’ର ଅମ୍ଳାନ ଆଭା ଉତ୍କଳର ପ୍ରତି ପାଠକଚିତ୍ତକୁ ଉଲ୍ଲସିତ କରି ଆସିଛି । ନିଜେ କବି ମଧ୍ୟ ଶେଷଜୀବନ ପର୍ଯ୍ୟନ୍ତ ‘ଚିଲିକା’କୁ ନିଜର ଶ୍ରେଷ୍ଠକୃତୀ ହିସାବରେ ସ୍ମରଣ କରୁଥିଲେ ।

 

‘ଚିଲିକା’ ଉତ୍କଳର ପୂର୍ବ ଉପକୂଳରେ ସାଗର ବିଚ୍ୟୁତ ଏକ ବୃହତ୍‍ ହ୍ରଦ । ଏହାର ଅତୁଳ ପ୍ରାକୃତିକ ଦୃଶ୍ୟବିଭବରେ ବିମୁଗ୍‍ଧ ରାଧାନାଥ ସମଗ୍ର ଭାରତବର୍ଷର ଶୋଭାରାଶିକୁ ତୁଚ୍ଛ ଜ୍ଞାନ କରି ଏହାର ବନ୍ଦନା ଗାଇଛନ୍ତି । ତେଣୁ ‘ଚିଲିକା’ର ରୂପସମ୍ପଦକୁ ପାଥେୟ କରି ଏକ କାବ୍ୟରଚନା କରିବାର ବାସନା ରାଧାନାଥଙ୍କଠାରେ ହୋଇଉଠିଛି ବଳବତ୍ତର । ଏହି ବାସନା ପାଇଁ ଯଥେଷ୍ଟ ପ୍ରେରଣା ଦେଇଛି ଇଂରେଜୀ କବି ସ୍କଟଙ୍କ ‘‘ଲେଡ଼ି ଅବ୍‍ ଦି ଲେକ୍‍’’ ନାମକ କାବ୍ୟଗ୍ରନ୍ଥ ।

 

ଓଡ଼ିଆ ସାହିତ୍ୟରେ ପ୍ରକୃତିର ଆଦ୍ୟ ନିରାଜନା ମୁଖ୍ୟ ଭାବରେ କଲେ ଯଥାର୍ଥତଃ ରାଧାନାଥ । ‘ଚିଲିକା’ ପୂର୍ବେ ଚନ୍ଦ୍ରଭାଗା, ନନ୍ଦିକେଶରୀ, ଉଷା ଓ ପାର୍ବତୀରେ ପ୍ରକୃତିର ବିପୁଳ ରୂପବୈଚିତ୍ର୍ୟକୁ ଶତ ବର୍ଣ୍ଣବିଭାବରେ ବିଭୂଷିତ କରି ପ୍ରକାଶ କରିଥିଲେ କବିବର ରାଧାନାଥ କାବ୍ୟ ପରିସରରେ । ପ୍ରକୃତିର ଏହି କମନୀୟ ବିଳାସ ବ୍ୟତୀତ ଅନ୍ୟ ଯାହା କିଛି ଥିଲା ଉପାଦେୟ ଗଳ୍ପାଂଶ ବା ଚରିତ୍ର ଚିତ୍ରଣ, ସେ ସବୁରେ କବି ପ୍ରତିଭାର ଶତ ସାମର୍ଥ୍ୟ ସତ୍ତ୍ୱେ ବି ମୌଳିକତା ଥିଲା ପରିସୀମିତ । ପୁନଶ୍ଚ ଉକ୍ତ କାବ୍ୟମାନଙ୍କରେ ପ୍ରକୃତି ଥିଲା କାବ୍ୟ ଭିତରେ ସହଚରୀ ମାତ୍ର । ତେଣୁ ପ୍ରକୃତିସୁନ୍ଦରୀଙ୍କୁ କାବ୍ୟରେ ନାୟିକା ଆସନରେ ଅଭିଷିକ୍ତା କରି ସ୍ୱୀୟ କବିପ୍ରତିଭାର ମୌଳିକ ସାମର୍ଥ୍ୟକୁ ପରିସ୍ଫୁଟ କରାଇବାର ଆକାଙ୍‍କ୍ଷା ‘ଚିଲିକା’ ରଚନା ପାଇଁ କବିଚିତ୍ତକୁ କରି ପାରିଛି ବହୁଭାବରେ ଅନୁପ୍ରାଣିତ ।

 

ଚିଲିକା କବିଦୃଷ୍ଟିରେ ଏକ ସାମାନ୍ୟ ଉପେକ୍ଷିତ ହ୍ରଦ ନୁହେଁ, ତାହା ଉତ୍କଳର ବହୁ ଉତ୍‍ଥାନ-ପତ୍ତନର ସ୍ୱୟଂ ଦ୍ରଷ୍ଟା-ଜଣେ ସୁବିଶ୍ୱସ୍ତା ବାର୍ତ୍ତାବାହିନୀ । ଅନନ୍ତ କାଳ ଧରି ପରିବ୍ୟାପ୍ତ ଏହି ହ୍ରଦର କୂଳରେ ଲୋପ ପାଇ ଯାଇଛନ୍ତି କେତେ ସମ୍ମୁନ୍ନତ ରାଜ୍ୟ, କେତେକ ସମୁଚ୍ଚ ସଭ୍ୟତା, ଯାହାର ଭଗ୍ନଦୁର୍ଗ, ଜରା-ଜର୍ଜର ଦେଉଳର ଅବଶେଷ; ମାତ୍ର ସଞ୍ଚିତ ରହିଛି ଆଜି ଏ ଦେଶରେ ଐତିହ୍ୟ ଓ ସଂସ୍କୃତିର ସମ୍ପଦ ରୂପେ । ଏଇ ହ୍ରଦ ଭିତରେ କେତେ ନୌଯାତ୍ରୀଙ୍କର ନୌବାଣିଜ୍ୟ, କେତେ ବୀରମାନଙ୍କର ଦିଗ୍‍ବିଜୟ ଯାତ୍ରାଦିର ମହୋତ୍ସବ, କେତେ ଆକ୍ରମଣକାରୀ ଶତ୍ରୁଦଳଙ୍କର ଶୋଚନୀୟ ବିଲୟ ସଂଘଟିତ ହୋଇଯାଇଛି; ଚିଲିକା ହିଁ ସେ ସବୁର ମୂକସାକ୍ଷିଣୀ । ‘ଚିଲିକା’ର ସୁଖଦୁଃଖର ଇତିହାସ ସହିତ ସତେ ଯେପରି ନିବିଡ଼ ଭାବରେ ବି ଜଡ଼ିତ ରହିଛି ତା’ର ତୀରବର୍ତ୍ତୀ ଉତ୍କଳ ପ୍ରଦେଶର ଓ ତା’ର ତଟଚାରୀ ଓଡ଼ିଆ ଜାତିର ଇତିହାସ । ଓଡ଼ିଆ ଜାତିର ସମୃଦ୍ଧିରେ ସହାୟତା କରିଛି ଯୁଗ ଯୁଗ ଧରି ଏହି ବିଶାଳ ହ୍ରଦ । ସର୍ବୋପରି ସେ ପୁଣି ସର୍ବ ଶୋଭାର ଆଧାର, ଅଥଚ ମହାକବି କାଳିଦାସଙ୍କ ପରି କବିମାନେ ସାମାନ୍ୟ ସିପ୍ରା ନଦୀ ଓ କ୍ଷୁଦ୍ର ଗୋବର୍ଦ୍ଧନ ପର୍ବତାଦିଙ୍କୁ ସାରସ୍ୱତ ପୀଠରେ ସମ୍ମାନିତ କରିଥିବାବେଳେ ଉତ୍କଳର ଏହି ମହନୀୟ ଶୋଭାପୀଠର ପ୍ରସଙ୍ଗ ସର୍ବତ୍ର ଅପାଙ୍‍କ୍ତେୟ ଓ ଅଜ୍ଞାତ । ସାରସ୍ୱତ କ୍ଷେତ୍ରରେ ଉତ୍କଳର ବିପୁଳ ଶୋଭାରାଶି ପ୍ରତି ଜଗଦ୍‍ବରେଣ୍ୟ କବିମାନଙ୍କର ଏହି ଉଦାସୀନତା ଓ ଅନ୍ୟାୟ ରାଧାନାଥଙ୍କ କବିଚିତ୍ତରେ ସୃଷ୍ଟି କରିଛି ବିକ୍ଷୋଭ ଓ ଆଲୋଡ଼ନ । ତେଣୁ ‘ମହାଯାତ୍ରା’ରେ–

 

‘‘ପୁଣ୍ୟତମ ଏ ସୈକତ ବିଶ୍ୱଚରାଚରେ

ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟ

ପୁଣି ମର୍ତ୍ତ୍ୟଲୀଳା ଲାଗି ଅଖିଳ ଭାରତେ

ପର୍ଣ୍ଣ ଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ

ଶ୍ରେଷ୍ଠ ଏ ଉତ୍କଳଭୂମି ଗୁଣେ ଗରୀୟସୀ ।’’

 

ଉଲ୍ଲେଖ କରିବା ପୂର୍ବରୁ କବି ଉତ୍କଳର ମହତ୍ୱ ପ୍ରକଟନ ଲାଗି ଏହି ‘ଚିଲିକା’କୁ ହିଁ ଉପଯୁକ୍ତ ପରିସର ରୂପେ ବାଛି ନେଇଛନ୍ତି ।

 

ଚିଲିକା ରଚନା ପୂର୍ବରୁ ସମଗ୍ର ଭାରତବର୍ଷ ପର୍ଯ୍ୟଟନ କରି କବିବର ଯେଉଁ ଅପୂର୍ବ ଦୃଶ୍ୟବିଭବର ସଂପର୍କରେ ଆସିଥିଲେ, ସେ ସବୁର କମନୀୟ ଚିତ୍ରଣ କରିବାର ବାସନା ଚରିତାର୍ଥ କରିବାପାଇଁ ଉପଯୁକ୍ତ ସୁଯୋଗ ପାଇଛନ୍ତି, ଚିଲିକା ରଚନା ବେଳେ । ଭାରତବର୍ଷର ଅନ୍ୟାନ୍ୟ ଶୋଭାସ୍ଥଳୀମାନଙ୍କର ଅନୁଶୀଳନୀ ଓ ତା ତୁଳନାରେ ‘ଚିଲିକା’ର ବୈଶିଷ୍ଟ୍ୟ ପ୍ରତିପାଦନ ତଥା ଉତ୍କଳ ଇତିହାସର ଗୌରବାବହ ଅଧ୍ୟାୟମାନଙ୍କର କାବ୍ୟିକ ବିଶ୍ଳେଷଣରୁ ଜାତୀୟ ସଚେତନାପାଇଁ ଉଦ୍‍ବୋଧନର ଇଙ୍ଗିତ ପ୍ରଦାନ କରିବାର ସୁଯୋଗ ପାଇ ଉନ୍ମୁକ୍ତ ପରିସର ହିସାବରେ ରାଧାନାଥ ପରିକଳ୍ପନା କରିଛନ୍ତି ‘ଚିଲିକା’ କାବ୍ୟ ।

 

ପ୍ରାକ୍‍ ଚିଲିକା କାବ୍ୟମାନଙ୍କରେ କବିବର ସିଧାସଳଖ କାବ୍ୟକ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଆତ୍ମପ୍ରକାଶର ସୁଯୋଗରୁ ହୋଇଛନ୍ତି ବଞ୍ଚିତ, କିନ୍ତୁ ଜାତି ଉଦ୍ଦେଶ୍ୟରେ ଏକ ଉଦ୍‍ବୋଧନ ଦେବାପାଇଁ ଓ ନିଜ ଜୀବନର ଖେଦ-ଗର୍ଭ କାରୁଣ୍ୟର ଅଭିବ୍ୟକ୍ତି ପ୍ରଦାନ କରିବା ପାଇଁ କବିବର ‘ଚିଲିକା’କୁ ଏକ ଗୀତିକାବ୍ୟର ରୂପଦାନ କରିଛନ୍ତି । ତେଣୁ ଗଳ୍ପାଂଶବିହୀନ କେବଳ ପ୍ରାକୃତିକ ରୂପସଂପଦ ଉପରେ ପ୍ରତିଷ୍ଠିତ ଏହି କ୍ଷୁଦ୍ର କାବ୍ୟରେ ଚିଲିକା ହିଁ କାବ୍ୟର ନାୟିକା ଓ ସ୍ୱୟଂ କବିବର ହିଁ ଏ କାବ୍ୟର ନାୟକ । ଉପରୋକ୍ତ ଅଭିପ୍ରାୟଗୁଡ଼ିକୁ ସମ୍ମୁଖରେ ରଖି କବିବର ଚିଲିକାର ପରିକଳ୍ପନା କରି ଅଗ୍ରସର ହେବା ଫଳରେ ଚିଲିକା ହୋଇଛି ‘ଶୋକପାସୋରା’ ଅପ୍‍ସରା ଭୁବନ ପରି ‘ଉତ୍କଳ-କମଳା-ବିଳାସ ଦୀର୍ଘିକା’ ଓ ‘କବିବରଙ୍କର ସଖୀପ୍ରାୟେ ନିତି ସ୍ମରଣୀୟ ।’

 

୨. ଚିଲିକାର ପ୍ରାକୃତିକ ଦୃଶ୍ୟ-ସମ୍ପଦ

 

ବିଶ୍ୱସାହିତ୍ୟରେ ଯେଉଁମାନେ ପ୍ରକୃତିକୁ ଅଭିନନ୍ଦନ ଜଣାଇ ଜନଜୀବନ ସହିତ ତା’ର ନିବିଡ଼ ସମ୍ପର୍କ ପ୍ରତିଷ୍ଠା ଆରମ୍ଭ କଲେ, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛନ୍ତି ଇଂରେଜୀ କବି ଓ୍ୱାର୍ଡସ୍ୱାର୍ଥ, କଲେରିଜ, ସେଲି, କୀଟ୍‍ସ୍‍ ପ୍ରମୁଖ । ଉଇଲିୟମ୍‍ ଓ୍ୱାର୍ଡସ୍ୱାର୍ଥଙ୍କର ପ୍ରକୃତି ରୂପାୟନମୂଳକ କବିତାଗୁଚ୍ଛ ସର୍ବପ୍ରଥମେ ୧୭୯୮ ମସିହାରେ ‘ଲିରିକାଲ ବାଲାଡ୍‍ସ’ ନାମକ ଗ୍ରନ୍ଥରେ ପ୍ରକାଶ ପାଏ । ଏହି ସମୟଠାରୁ ଇଂରେଜୀ କବିବର୍ଗ ପ୍ରକୃତି ଭିତରେ ବିଭିନ୍ନ ରହସ୍ୟର ସନ୍ଧାନ ପାଇ ତା’ର ରୂପାୟନ ଆରମ୍ଭ କଲେ ଭିକ୍ଟୋରିଆ ଯୁଗରେ ଟେନିସନ୍‍ ଏହି ପ୍ରକୃତି ରୂପାୟନରେ ପରମ୍ପରା ଗୌରବର ଅଧିକାରୀ ହେଲେ, କିନ୍ତୁ ଓଡ଼ିଆ ସାହିତ୍ୟର ସୁଦୀର୍ଘ ପରମ୍ପରା ଭିତରେ ପ୍ରକୃତି ରୂପାୟନରେ ଏବଂବିଧ ପରାକାଷ୍ଠାର ଅଭାବ ଦେଖି ସର୍ବପ୍ରଥମେ ସାଧନା ଆରମ୍ଭ କଲେ ରାଧାନାଥ । ଏହି ପ୍ରକୃତି ରୂପାୟନଗତ ତାଙ୍କର ସିଦ୍ଧି ଓ ସଫଳତା ଚିଲିକାରେ ଯେପରି ଉଦ୍ଭାସିତ ହୋଇଉଠିଛି, ତାହା ଯଥାର୍ଥରେ ପଟାନ୍ତରହୀନ ।

 

(୧) ଚିଲିକା ଓ ତାର ତୀରଭୂମି

 

ଦିଗଙ୍ଗନାମାନଙ୍କ ମୁଖଶ୍ରୀ ଦର୍ଶନ ନିମିତ୍ତ ଅଭିପ୍ରେତ ସ୍ୱଚ୍ଛ ଏକ ସୁନୀଳ ଦର୍ପଣ ସଦୃଶ ଚିଲିକାର ନୀଳ ନୀରରାଶି ଦିଗନ୍ତ ବିସ୍ତୃତ । ଏହି ନୀଳବକ୍ଷରେ ବିଦ୍ୟମାନ ଅଛନ୍ତି ନାସି, ନଳବନ, ପର୍ବତ ଓ ଦ୍ୱୀପମାଳା । ଚିଲିକାର ପାର୍ଶ୍ୱଦେଶରେ ଭଗବତୀଙ୍କର ମନ୍ଦିର ଦେଖି ଅନନ୍ତ କାଳଧରି ପର୍ବତବୃନ୍ଦ ଲତାଗୁଳ୍ମାଦିରେ ଆଚ୍ଛାଦିତ ହୋଇ ଇନ୍ଦ୍ର ଭୟରେ ସତେ ଯେପରି ଆତ୍ମଗୋପନ କରିଅଛନ୍ତି । ‘ଚିଲିକା’ର ନୀଳଜଳରାଶିକୁ ଭେଦ କରି ଉଠିଥିବା ବାଲୁକାରାଶି ଶାରଦ ଆକାଶରେ ଛାୟାପଥ ପରି ସୁଶୋଭିତ ।

 

ତାରାପୁଞ୍ଜ-ଶୋଭିତ ହରିତାଳୀ ଭଳି ଶୁଭ୍ର ଶୂକ୍ତିରାଜିରେ ଚିଲିକାର ବିସ୍ତୀର୍ଣ୍ଣ ବେଳାଭୂମି ବିମଣ୍ଡିତ । ଚିଲିକାର ତୀରଭୂମି ସତେ ଯେପରି ଶୋଭାଦେବୀଙ୍କର ପବିତ୍ର ପୀଠିକା । ଶୈଳ, ଟଙ୍କଭୂମି, ଗିରିଖୋଲ, ନାସି, ପ୍ରାନ୍ତର, କନ୍ଦର, ନଦୀ, ଉତ୍ତୁଙ୍ଗ ପାର୍ବତ୍ୟ ଶିଖର, ସୁଗଭୀର ଶୈଳବିବର, ଭଗ୍ନ ଓ ଜରାଜୀର୍ଣ୍ଣ ଦୁର୍ଗ ତଥା ମନ୍ଦିରମାନଙ୍କର ଧ୍ୱଂସାବଶେଷ ଏହି ଚିଲିକାର ତୀର-ଭୂମିରେ ବିଦ୍ୟମାନ । ସ୍ଥାନେ ସ୍ଥାନେ ଏହି ତୀରଭୂମିକୁ ବିମଣ୍ଡିତ କରିଛି ଶ୍ୟାମଳ ଦୁର୍ବାରାଜି । ଏହି ସୁଦୀର୍ଘ ତଟଦେଶ ସତେ ଯେପରି ମରୀଚିକାର ନିତ୍ୟବିହାର ଭୂମି ।

 

ଚିଲିକାର ତୀରଭୂମି ଶସ୍ୟସଂପଦରେ ସମୃଦ୍ଧ । ତେଣୁ କବିବର ଲେଖିଛନ୍ତି–

 

‘‘କମଳା ବିଳାସ ଭୂମି ତୋର ତୀର

ଫଳ ଫୁଲ ଶସ୍ୟେ ସଦା ସୁରୁଚିର ।’’

 

ଏଠାରେ ନାରୀକେଳ ଓ ଗୁଆମାଳ, ପଣସ, ଆମ୍ୱ, ମୁଚକୁନ୍ଦ, ଚମ୍ପା, ତମାଳ ଏବଂ ବସନ୍ତ ଋତୁର ବିଭବଦ୍ୟୋତକ ଅଶୋକ, କଦମ୍ୱ, ବିଲ୍ୱ, ପିପ୍‍ପଳୀ, ଶାଳ୍ମଳୀ ଆଦିର ଉଦ୍ୟାନ ମଧ୍ୟ ପରିଶୋଭିତ । ଗ୍ରାମଦେବତୀଙ୍କର ମଣ୍ଡପ ବିତାନ ରୂପୀ ଗୋଡ଼ିବାଣ ମଧୁପର ସୁବର୍ଣ୍ଣଚଷକ ପରି କନିଅର ପ୍ରଭୃତି ପୁଷ୍ପବାଟିକାର ରମଣୀୟ ଦୃଶ୍ୟରାଜିକୁ କବିବରଙ୍କ ରୂପଲୁବ୍‍ଧ ଦୃଷ୍ଟି ଏଡ଼ାଇ ପାରିନାହିଁ । ବୈଦୁର୍ଯ୍ୟ ନିର୍ମିତ ମୁକୁଟ ପରି ପତ୍ରଗୁଚ୍ଛରେ ବିମଣ୍ଡିତ ତାଳବନ ଏଠାରେ ଦଣ୍ଡାୟମାନ । ଏହାର ବାହୁଛାୟା ତଳେ ଆଶ୍ରିତ ବାୟାଚଢ଼େଇ ତା’ର ଶିଶୁଶାବକକୁ ବାତ୍ସଲ୍ୟରେ ଦୋଳାୟିତ କରେ; କିନ୍ତୁ ଭୁଜଙ୍ଗରୂପୀ ସର୍ବଗ୍ରାସୀ ମହାକାଳର ଭ୍ରୂକୁଟୀ ପ୍ରତି ସେ ସମ୍ପୂର୍ଣ୍ଣ ଅଚେତନ । ମରକତବର୍ଣ୍ଣର ପତ୍ରରାଜି ଓ ପଦ୍ମରାଗମଣି ପରି ସୁଶୋଭିତ ଫଳଭାର ବହନ କରି ବଟବୃକ୍ଷ ବିଦ୍ୟମାନ, ଯାହାର ପାଦଦେଶରେ ବହୁ ପ୍ରାଣୀ ଆଶ୍ରିତ । ଗ୍ରାମ୍ୟ-ସୀମାକୁ ନିର୍ଣ୍ଣିତ କରୁଥିବା ଏହି ବଟବୃକ୍ଷ ମୂଳରେ ହଳଦିବସନ୍ତ ଓ ଗୁଣ୍ଡୁଚିମୂଷାର କଳଗୀର ଚିରଝଙ୍କୃତ । ବିବିଧ ବୃକ୍ଷରାଜିରେ ତିମିରାବୃତ ହୋଇ ଉଠୁଥିବା ଚିଲିକାର ତୀରଭୂମିସ୍ଥ ଗ୍ରାମମାଳା ଚିର ସୁସ୍ନିଗ୍‍ଧ ଓ ଚିରପୁଲକିତ ।

 

ଚିଲିକାର ସୁଶାନ୍ତ ସମୀର ତୀରଭୂମିରେ କେତକୀପୁଷ୍ପର ସୁଗନ୍ଧ ସେବନରେ ନିମଗ୍ନ । ଏହି ମଧୁମୟ ଦୃଶ୍ୟରାଜିର ବହୁବାର ସନ୍ଦର୍ଶନ କଲେ ବି ସୌନ୍ଦର୍ଯ୍ୟ-ପିପାସା ଚରିତାର୍ଥ ହୁଏ ନି, ତାହା ସତେ ଯେପରି ନିତ୍ୟନୂତନ ରୂପଛଟା ନେଇ ନବ ନବ ରୂପରେ ବିଦ୍ୟମାନ । ତେଣୁ କବିବର ଯଥାର୍ଥ ଲେଖିଛନ୍ତି–

 

‘‘ଦୃଷ୍ଟ ପୂର୍ବ ହୋଇ ଅଦୃଷ୍ଟ ପ୍ରତୀତି,

ସୁନ୍ଦର ପଣର ଚିରନ୍ତନ ରୀତି ।

ସୁନ୍ଦରେ ତୃପ୍ତିର ଅବସାଦ ନାହିଁ

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।’’

 

(୨) ଚିଲିକାର ପଶ୍ଚିମତୀର

 

ପଶ୍ଚିମତୀରର ଶୋଭାରେ ମୁଗ୍‍ଧ ହୋଇ କବିବର ଲେଖିଛନ୍ତି–

 

‘‘ତୋ ପଶ୍ଚିମତୀର ଶୋଭାର ନିଳୟ

ଦେଖି ନ ରହିବ ଲାଖି କା ହୃଦୟ ।’’

 

ଚିଲିକାର ପଶ୍ଚିମତୀରରେ ବହୁ ଶ୍ୟାମଳ ସୁନୀଳ-ପର୍ବତସ୍ତର ସୋପାନଶ୍ରେଣୀ ପରି ଊର୍ଦ୍ଧ୍ୱକୁ ଊର୍ଦ୍ଧ୍ୱକୁ ବିସ୍ତୃତ । ପ୍ରତୀଚୀର ଅଭ୍ରଂକଷ ତୁଙ୍ଗ ପାଚୀର ସଦୃଶ ବିଦ୍ୟମାନ ଅଛି ଭାଲେରୀ ପର୍ବତ । ଏହି ଭାଲେରୀର କ୍ରମନିମ୍ନ ନାସି ଲମ୍ୱିଯାଇ ଜଳରାଶିକୁ ଭେଦ କରିଛି । ସୁଶ୍ୟାମଳ ଗୁଳ୍ମଜଟିଳ ଜଟିଆ ପର୍ବତର ତିନି ଦିଗରେ ଜଳରାଶି ବେଷ୍ଟିତ । ଅସଂଖ୍ୟ ବୀଚିମାଳାର ତର୍ଜ୍ଜିତ ପ୍ରହାର ସତ୍ତ୍ୱେ ଏହା ସେହିପରି ସ୍ଥିର ଓ ଅଚଳ । ପାର୍ବତ୍ୟ ତଟଭୂମିରେ ଅସଂଖ୍ୟ ଗହ୍ୱର ପାଷାଣଭେଦି ନାମକ ଏକପ୍ରକାର ଉଦ୍ଭିଦଦ୍ୱାରା ବିମଣ୍ଡିତ । ସେହି ଶୈବାଳପୂର୍ଣ୍ଣ ଗହ୍ୱରର ମସୃଣତାକୁ ଦେଖି କବି କଳ୍ପନାକରି ଲେଖିଛନ୍ତି–

 

 

‘‘ତଟବନେ ଯାର ରାଜେ ଅନ୍ଧାରୁଆ,

ଜଳଦେବୀଙ୍କର କେଳିଯୋଗ୍ୟା ଗୁହା,

ପାଷାଣ ଭେଦୀରେ ମଣ୍ଡିତ ତୋରଣ,

ଶଇବାଳ ସ୍ତରେ ଭିତ୍ତି ସୁଚିକ୍‍କଣ,

ବସି ଯହିଁ ହ୍ରଦବାସିନୀ ଅମରୀ,

ସ୍ୱଚ୍ଛ ମୁକ୍ତାଫଳେ ବାନ୍ଧନ୍ତି କବରୀ ।’’

 

ସିଂହେଶ୍ୱରୀଙ୍କର ବୃକ୍ଷହୀନ ଦୁଇଟି ପରସ୍ପର ସଂଲଗ୍ନ ପର୍ବତ, ଇନ୍ଦ୍ରନୀଳକାନ୍ତି ବିଶାଳ ସୋଲରୀ ଓ ଘଣ୍ଟଶିଳା ପର୍ବତ, ଦୀର୍ଘ କାନ୍ତାରବିଶିଷ୍ଟ ଖଣ୍ଡାହଣା ପର୍ବତ, ନିରନ୍ଧ୍ର-ନିବିଡ଼ ଓ ଅଭ୍ରଂକଷ ଶିଖରବିଶିଷ୍ଟ ଗଉଣିଆ ଓ ରଣପୁର ସର୍ପାକୃତି ମୈନାକ ପର୍ବତ ଚିଲିକାର ପଶ୍ଚିମତୀରବର୍ତ୍ତୀ ଶୋଭାସମ୍ପଦକୁ ଶତଗୁଣିତ କରିଦିଅନ୍ତି । ଏହି ପର୍ବତଶ୍ରେଣୀ ସତେ ଯେପରି ବାରୁଣୀ ବଦନରେ ମୃଗମଦ ପତ୍ରାବଳୀ ପରି ବିଦ୍ୟମାନ । ପୂର୍ବଦିଗରୁ ନୌକାରୋହୀ ଦର୍ଶକ କ୍ରମେ ପଶ୍ଚିମ ଅଭିମୁଖରେ ଅଗ୍ରସର ହେଲାବେଳେ ପ୍ରତୀତ ହୁଏ-ସତେ ଯେପରି ଜଳମଧ୍ୟରୁ ଇନ୍ଦ୍ର ନୀଳ ଗମ୍ୱୁଜମାନ ଜନ୍ମ ନେଉଅଛନ୍ତି । ତରୀର ଅଗ୍ରଗତି ସଙ୍ଗେ ସଙ୍ଗେ ସେଗୁଡ଼ିକ କ୍ରମେ ସ୍ଫୀତ ଓ ବହୁବର୍ଣ୍ଣରେ ରଞ୍ଜିତ ହୋଇ ଉଠନ୍ତି । ପ୍ରତିକ୍ଷଣରେ ଏଠାରେ ଲାଗିରହିଛି ଛାୟା ଓ ଆଲୋକର ଅପୂର୍ବ ବିଳାସ । ସାୟନ୍ତନରେ ଏହି ସ୍ଥଳୀର ଦୃଶ୍ୟ ପଟାନ୍ତରହୀନ । ହୁଏ ତ ସ୍ୱର୍ଗରେ ତା’ର ସମକକ୍ଷ ଦୃଶ୍ୟ ଥାଇପାରେ, କିନ୍ତୁ ମର୍ତ୍ତ୍ୟରେ ତାହା ଦୁର୍ଲ୍ଲଭ । ତେଣୁ କବି ଲେଖିଛନ୍ତି–

 

‘‘ଆହା ଏ ଶୋଭାର କାହିଁ ପଟାନ୍ତର,

ଥିଲେ ଥିବ ସ୍ୱର୍ଗେ ମର୍ତ୍ତ୍ୟେ ଆଗୋଚର ।

ପାସୋରିବ ଦେଖି କହ କେହୁ ଜନ,

ଏ ଶୋକପାସୋରା ଅପ୍‍ସରା ଭୁବନ ।

ଭାରତୀ ଭକତ କେଉଁ ରୂପପାୟୀ,

ତୃପ୍ତ ହେବ ଏହା ଥରେ ମାତ୍ରେ ଧ୍ୟାୟି,

ବଚନ ବିଷୟ ନୁହଇ ଏ ଛବି,

ହୃଦ ସେ କେବଳ ପାରେ ଅନୁଭବି ।’’

 

(୩) ଚିଲିକାରେ ସୁନ୍ଦର ଓ ପାବନର ସମନ୍ୱୟ

 

ଚିଲିକାର ସୌନ୍ଦର୍ଯ୍ୟ ସାଧାରଣ ସୌନ୍ଦର୍ଯ୍ୟ ନୁହେଁ; ଏହା ପବିତ୍ରିତ । ଚିଲିକାରେ ବହୁ ପୂତନୀରା ତଟିନୀଙ୍କ ଘଟିଛି ସମ୍ମିଳନ । ସେମାନଙ୍କ ମଧ୍ୟରୁ ନୀଳାଚଳର ସର୍ବ ଦେବଦେବୀଙ୍କ ସ୍ନାନ ହେତୁ ପବିତ୍ର ଅଠରନଳା ନଦୀ, ଭୃଗୁ ପ୍ରଭାବରୁ ପବିତ୍ରିତ ଭାର୍ଗବୀ, ସାକ୍ଷୀ-ଗୋପୀନାଥଙ୍କ ମନୋହାରିଣୀ ଦ୍ୱିଜକନ୍ୟା ଲକ୍ଷ୍ମୀଙ୍କ ସ୍ନାନ ଫଳରେ ପବିତ୍ରିତା । ଚାରୁ ରତ୍ନଚୀରା, ଦୟାବୀର ମୁନୀନ୍ଦ୍ର ଦଧୀଚିଙ୍କ ଅଭିଷେକ ହେତୁ ପବିତ୍ରିତ ଦୟା ଓ ଦୟାର ଉପନଦୀ ଗନ୍ଧବତୀ ପ୍ରଭୃତି ପ୍ରଧାନ । ସର୍ବୋପରି ସର୍ବତୀର୍ଥର ଅଧୀଶ୍ୱର ମହୋଦଧି ସହିତ ଚିଲିକାର ଜଳ ବିନିମୟ ଫଳରେ ଚିଲିକାର ପବିତ୍ରତା ଶତଗୁଣରେ ପରିବର୍ଦ୍ଧିତ । ଜଳରାଶି ଓ ତଟଭୂମିର ପବିତ୍ରତା ହେତୁ ତାରାଦେବୀ, ହରଚଣ୍ଡୀ ଓ ଭଗବତୀ ଆଦି ଦେବତାମାନଙ୍କର ମନ୍ଦିର ଏଠାରେ ଅଧିଷ୍ଠିତ । ‘ଚିଲିକା’ର ପବିତ୍ର ସୌନ୍ଦର୍ଯ୍ୟରେ ବିମୁଗ୍‍ଧ ହୋଇ ନାଗେଶ୍ୱରମଣ୍ଡିତ ଉପକଣ୍ଠରେ ମହାଦେବ ଚଣ୍ଡେଶ୍ୱର ମଧ୍ୟ ନିଜର ପ୍ରିୟ ଅଧିଷ୍ଠାନସ୍ଥଳୀ ରୂପେ ଗ୍ରହଣ କରି ନେଇଛନ୍ତି । ଚିଲିକା ସୌନ୍ଦର୍ଯ୍ୟର ଏହି ସାତ୍ତ୍ୱିକ ମହିମା ପ୍ରସଙ୍ଗରେ କବିବର ଲେଖିଛନ୍ତି-

 

‘‘ପବିତ୍ର ସୁନ୍ଦର ସୁନ୍ଦର ପାବନ

ତୋ ଠାରେ ହୋଇଛି ଏହା ସଂଘଟନ ।’’

 

(୪) ଚିଲିକାର ନୀଳୋରସ ଓ ଶାରଦୀୟ ଦୃଶ୍ୟବିଭବ

 

ଚିଲିକାର ନୀଳୋରସର ଦୃଶ୍ୟରାଜିରେ କବିବର ଆହୁରି ଉଲ୍ଲସିତ ଓ ବିମୁଗ୍‍ଧ । ଚିଲିକାର ସୁବିସ୍ତୃତ ବକ୍ଷରେ ପକ୍ଷୀମାନଙ୍କର ଲାଗିରହିଥାଏ ସଙ୍ଗୀତ ମୁଖରିତ ଚିରନ୍ତନୀ ମହୋତ୍ସବ-। ଭାସମାନ ଧବଳ ପୋତାକାରରେ ଊର୍ଦ୍ଧ୍ୱୋତ୍‍ଥିତ ନଭଶ୍ଚାରୀ ବିହଙ୍ଗମଗଣ ଦୋଳାୟିତ ଛନ୍ଦରେ ସଙ୍ଗୀତର ତାଳ ଦେଇ ବିବିଧ କଳରବରେ ଚିଲିକାର ବକ୍ଷଦେଶକୁ କରନ୍ତି ଝଙ୍କାରିତ । ମେଘାକାରରେ ଇତସ୍ତତଃ ସର୍ବଦା ବିଦ୍ୟମାନ ସେହି ପକ୍ଷୀଗଣଙ୍କର ଘନଛାୟା ଚିଲିକାର ନିଳିମାକୁ ଘନନୀଳରେ କରେ ପରିଣତ । ଥରେ ଥରେ ସ୍ଥିରଲକ୍ଷ୍ୟ ଗାଙ୍ଗୋଇ ଜଳରେ ବିଚରଣଶୀଳ ମତ୍ସ୍ୟମାନଙ୍କୁ ଚିଲାମାରି ନେଇଯାଇଥାଏ । କୃଷ୍ଣ, ନୀଳ, ଲୋହିତ, ପୀତ ଓ ହରିତାଦି ବର୍ଣ୍ଣରେ ପକ୍ଷୀଗଣ ଚିଲିକାର ଊର୍ମିମାଳାକୁ କରନ୍ତି ଅତିରଞ୍ଜିତ । ଜଳଦେବୀଙ୍କର କିଙ୍କିଣୀ ନିଃସ୍ୱନ ପରି ଶରାଳୀ ପକ୍ଷୀପନ୍ତିର ନିଃସ୍ୱନ ପର୍ବତ୍ର ନିନାଦିତ । ମତ୍ସ୍ୟ, ବିଶେଷତଃ ଶଳାକାବୃତ୍ତ ଭେକଟ ମୁକ୍ତା ଶୁକ୍ତିର ବର୍ଣ୍ଣବିଭାକୁ ଧିକ୍‍କାର କରି ନିଜର କାନ୍ତି ପ୍ରଦର୍ଶନ କରିଥାନ୍ତି । ଶାଙ୍କୁଚ, ମଗର ଓ ଶିଶୁମାର ଆଦି ବହୁ ଜଳଚର ପ୍ରାଣୀଙ୍କର ଚିଲିକା ନିତ୍ୟବିଳାସସ୍ଥଳୀ । କୋଟି କୋଟି ଜଳ ଜୀବଙ୍କୁ ଆହାର ଯୋଗାଇ ମଧ୍ୟ ‘ଚିଲିକା’ର ଅକ୍ଷୟ ଭଣ୍ଡାର ଚିର ପରିପୂର୍ଣ୍ଣ । ଚିଲିକାର ଶାରଦୀୟ ଦୃଶ୍ୟ ସୌନ୍ଦର୍ଯ୍ୟ ଚିତ୍ତାକର୍ଷକ କିନ୍ତୁ ଏହି ଚିତାକର୍ଷକ ଦୃଶ୍ୟବିଭବକୁ କବି ରାଧାନାଥ ଯେଉଁ ଦିବ୍ୟକଳ୍ପନା ଓ ଅମୃତବାଣୀରେ ଅଭିବ୍ୟକ୍ତି କରିଛନ୍ତି, ତାହା ଅତୁଳନୀୟ । ଶରତ୍‍କାଳୀନ ଦକ୍ଷିଣାକାଶରେ ଅଗସ୍ତି ନକ୍ଷତ୍ରର ଉଦୟ ହୁଅନ୍ତେ, ଚିଲିକାବକ୍ଷରେ ବିଚରଣ କରନ୍ତି ଅଗଣିତ ରାଜହଂସଦଳ । କିନ୍ତୁ ଶରତଋତୁର ଅବସାନ ସଙ୍ଗେ ସଙ୍ଗେ ସେମାନେ ମଧ୍ୟ ଚିଲିକା ପରିତ୍ୟାଗ କରି ଅନ୍ତର୍ହିତ ହୋଇଯାଆନ୍ତି । ଉଜ୍ଜ୍ୱଳ ଶରତଲକ୍ଷ୍ମୀଙ୍କର ପରିଜନ ପରି ଏମାନେ ଶରତ୍‍ଋତୁରେ କରନ୍ତି ଅନୁଗମନ । ପୃଥିବୀର ଯେଉଁ ଅଂଶରେ ଥାଏ ଶରତ୍‍ଋତୁ, ସେ ସ୍ଥାନ ହୁଏ ଏମାନଙ୍କର ବିଚରଣ ଭୂମି । ଶରତ୍‍ଋତୁରେ ଚନ୍ଦ୍ରଧବଳ ରାତ୍ରି, ନଦୀପଠାରେ କାଶକୁସୁମର ସୁଶୋଭନ ହାସ, ମାଳତୀ-ମଣ୍ଡିତ-ନିକୁଞ୍ଜ, କୁମୁଦ-ଧବଳ-ସରୋବର-ସୌନ୍ଦର୍ଯ୍ୟାଦିର ଉପଭୋଗ ପାଇଁ ଏହି ଶୁଭ୍ର ହଂସମାନେ ହିଁ ଯୋଗ୍ୟ ଦାୟାଦ । ଶରତ୍‍ଋତୁର ଅନୁଗ୍ରହ ଲାଭ କରି ଏମାନେ ସ୍ୱୀୟ ଶୁଭ୍ର ସଂସାରରେ ଶରତ୍‍ଋତୁର ଶୁଭ୍ରବୈଜୟନ୍ତୀ ଧରି ନଭଦେଶରେ ଯାତ୍ରା କରିଥାନ୍ତି । ଏହି ହଂସଗଣଙ୍କର ସଂସାର ଚିରନ୍ତନ ଶୁଭମୟ । ଚିଲିକା ବିପୁଳ ରୂପସମ୍ପଦର ସମକକ୍ଷ ବିଭବ ରାଧାନାଥ ସମଗ୍ର ଭାରତବର୍ଷର ଦୃଶ୍ୟାବଳୀକୁ ସ୍ମରଣକରି ଅନୁସନ୍ଧାନ କରିଛନ୍ତି, କିନ୍ତୁ ଚିଲିକା ହିଁ ତାଙ୍କ ଦୃଷ୍ଟିରେ ଅତୁଳନୀୟ ।

 

ଚିଲିକାର ଅତୁଳନୀୟତା–

 

ପ୍ରାକୃତିକ ଦୃଶ୍ୟବିଭବଭରା ଚିଲିକାର ଅବଲୋକନ, ମାତ୍ରେ କବିବର ସ୍ମରଣ କରିଛନ୍ତି, ସମଗ୍ର ଭାରତବର୍ଷର ଦୃଶ୍ୟାବଳୀ । ଭାରତ ପର୍ଯ୍ୟଟନ କାଳରେ ସେ ସନ୍ଦର୍ଶନ କରିଥିଲେ ହିମାଦ୍ରିର ଶତ ଶତ ଶୃଙ୍ଗ ଗହଣରେ ଶୃଙ୍ଗରାଜ ଗୌରୀଶଙ୍କର, ତୁଷାରବୃତ ହିମାଦ୍ରିର ନୀଳବପୁରେ ଶୁଭ୍ର ଉପବୀତ ସଦୃଶ ପରିଶୋଭିତ ଗଙ୍ଗୋତ୍ରୀର ପ୍ରବାହ ଓ ସେ ବିଜନତା ଭିତରେ ସୁପ୍ରାଚୀନ ଶିବଲିଙ୍ଗ ଦେଖି କବି ହୋଇଥିଲେ ବିସ୍ମୟରେ ଅଭିଭୂତ । ଦିଗନ୍ତବ୍ୟାପୀ ରାଜସ୍ଥାନର ମରୁଭୂମିରେ ପ୍ରଚଣ୍ଡ ସୂର୍ଯ୍ୟରଶ୍ମିରେ ବିଷତୁଲ୍ୟ ଉଷ୍ମବାୟୁ ପ୍ରବାହ, ସେହି ନିବିଡ଼ ମରୁପ୍ରାନ୍ତରର ନାଗଫେଣୀ ବୁଦା ଓ ମରୀଚିକାର କରାଳ ତାଣ୍ଡବର ରୁକ୍ଷତା ଓ ଭୟାବହତା ଭିତରେ କବି କେବଳ ସ୍ମରଣ କରିଛନ୍ତି ଚିଲିକାର ସୁମୋହନ ରୂପଶ୍ରୀ । ତେଣୁ ସେ ଲେଖିଛନ୍ତି-

 

‘‘ତୃଷାତୁର ରୋଗୀ ଗୃହେ ଯଥା ବସି,

ସ୍ମରେ କମଳିନୀ ହରିତ ସରସୀ,

ସେହି ରୁକ୍ଷ ଦୃଶ୍ୟେ ସ୍ନିଗ୍‍ଧ ଛବି ତୋର,

ନେତ୍ରାତିଥି ସ୍ମୃତି କରୁଥିଲା ମୋର ।’’

 

ଦାକ୍ଷିଣାତ୍ୟରେ ରେବାନଦୀର ଧୂଆଁଧାର ପ୍ରପାତଠାରେ ଶୀକର ରଚିତ ମେଘପଟଳରେ ସହସ୍ର ଇନ୍ଦ୍ରଧନୁରେ ବିଭାସିତ ଦୃଶ୍ୟାବଳୀ ବିଦ୍ୟମାନ ଥିଲେ ହେଁ ଜଳପ୍ରପାତର ଭୈବର ଗର୍ଜ୍ଜନ କବିଚିତ୍ତରେ ସୃଷ୍ଟି କରିଥିଲା ଭୟଙ୍କର ପ୍ରକମ୍ପ । ଦାକ୍ଷିଣାତ୍ୟର ବହୁ ଉପତ୍ୟକା ଓ ଅଧିତ୍ୟକାର ପରିଭ୍ରମଣ କାଳରେ କବି ପରିଦର୍ଶନ କରିଥିଲେ ଝିଲ୍ଲୀ-ଝଙ୍କାରିତ-ଅଟବୀ ଦଣ୍ଡକା । ବହୁତୀର୍ଥ, ଆଶ୍ରମ, ତଟିନୀ, ପାର୍ବତ୍ୟକନ୍ଦର ଓ ଅରଣ୍ୟାନୀମାଳାର ବିଚିତ୍ର ସୌନ୍ଦର୍ଯ୍ୟର ସନ୍ଦର୍ଶନପାଇଁ ସେ ଲଭିଥିଲେ ଅପୂର୍ବ ସୁଯୋଗ । ଏହି ଦଣ୍ଡକାରଣ୍ୟ ଦିନେ ଥିଲା ରାମାୟଣପ୍ରସିଦ୍ଧ ଖରଦୂଷଣ ତ୍ରିଶିରା ପ୍ରଭୃତିଙ୍କର ବିହାରସ୍ଥଳୀ । ଧାରାସ୍ରାବୀ-ଭୀମରାବୀ-ବିଦ୍ୟୁତ୍‍ ଶୋଭିତ ମେଘମାଳାର ସନ୍ଦର୍ଶନରେ ନୃତ୍ୟରତ ବିସ୍ତୃତପୁଚ୍ଛ ମୟୂରଗଣ ଓ ଅସଂଖ୍ୟ ହରିଣଯୂଥ ଦେଖି କବି ସେମାନଙ୍କୁ ବନବାସ କଳାରେ ଜାନକୀଙ୍କ ବାତ୍ସଲ୍ୟରେ ପ୍ରତିପାଳିତ ମୟୂର ଓ ହରିଣମାନଙ୍କ ବଂଶଧର ବୋଲି ଜ୍ଞାନ କରିଛନ୍ତି, କାରଣ ରାମ-ବନବାସ ବର୍ଣ୍ଣନାରେ ଦଣ୍ଡକାରଣ୍ୟର ଅଛି ଏକ ବିଶିଷ୍ଟ ଭୂମିକା । ଏହି ସ୍ଥଳରେ ସୃଷ୍ଟି ହୋଇଛି ଗୋଦାବରୀ ନଦୀ । ଭୀଷଣ କନ୍ଦରା ଭିତରେ ଗୋଦାବରୀର ଶବ୍ଦାୟମାନ ପରିବେଶରେ ମଧ୍ୟ କବି ସ୍ମରଣ କରୁଥିଲେ ତାଙ୍କର ଛବିଳା ଚିଲିକାକୁ-। ତେଣୁ ସେ ଲେଖିଛନ୍ତି–

 

‘‘ତହିଁ କି ଲୋ ତୋତେ ନ ଥିଲି ସୁମରି !’’

 

ଦୂର ଚକ୍ରବାଳଠାରେ ଊର୍ମିଳା ସାଗରର ସମନ୍ୱିତ ରୂପ ଓ ଗୁରୁଗର୍ଜ୍ଜନ ସହିତ ଭୟଙ୍କର-ଲେଲିହାନ-ତରଙ୍ଗ-ଜିହ୍ୱା ବିସ୍ତାର ମଧ୍ୟ କବିଚିତ୍ତରେ ପୁଲକ ଦେଇ ନ ଥିଲା । ହିମାଦ୍ରିର ଭୀଷଣତା, ମରୁଭୂମିର ବିରାଟତା, ଦଣ୍ଡକାର ବିକଟତା ଓ ସାଗରର ଉଦାରତାରେ ବିସ୍ମୟାଭିଭୂତ ହୋଇ କବି ବିସ୍ମୃତ ହୋଇଥିଲେ ସ୍ୱକୀୟ ଅସ୍ମିତା । ତେଣୁ ସେ ଲେଖିଥିଲେ–

 

‘‘ଶର ସୌରକରେ ତାରକା ଯେସନ

ଅସ୍ମିତା ବିସ୍ମୟ ହେଲା ନିମଗନ,

ଗୁରୁପ୍ରାୟେ ତାଙ୍କୁ ଦୂରୁଁ କରି ଭୀତି,

ସଖୀପ୍ରାୟେ ତୋତେ ସ୍ମରୁଥିଲି ନିତି ।’’

 

ଭାରତର ଏହିସବୁ ବିଖ୍ୟାତ ନୈସର୍ଗିକ ସୌନ୍ଦର୍ଯ୍ୟଶାଳିନୀ ସ୍ଥଳୀଗୁଡ଼ିକର ବିଜନ ଓ ଭୀଷଣ ପରିବେଶ ହୁଏତ ଯୋଗୀଋଷିଙ୍କ ଚିତ୍ତ ବିମୁଗ୍‍ଧ କରିପାରେ, କିନ୍ତୁ ସାଧାରଣ ଲୋକଙ୍କ ପକ୍ଷେ ତାହା ଘୋର ଅବସାଦଦାୟକ । ଚିଲିକା ବିରାଟ ନୁହେଁ-ସୁବୃହତ୍‍ । ତେଣୁ ଅବସାଦ ବା ଆତ୍ମବିସ୍ମୃତିରେ ନିମଜ୍ଜିତ ହୁଏନି ଦ୍ରଷ୍ଟାର ମାନସ, ବରଂ ଏହାର ସ୍ନିଗ୍‍ଧ ରୂପଶ୍ରୀ ଚିତ୍ତଗହନରେ ଭରିଦିଏ ଅପୂର୍ବ ପ୍ରସନ୍ନତା ଓ ଉଲ୍ଲାସ । ତେଣୁ ସମଗ୍ର ଭାରତବର୍ଷର ଦୃଶ୍ୟରାଜି ଭିତରେ କବିବର ଚିଲିକାର ନିସର୍ଗ ସୌନ୍ଦର୍ଯ୍ୟକୁ ହିଁ ପ୍ରଦାନ କରିଛନ୍ତି ଶ୍ରେଷ୍ଠ ସମ୍ମାନ ।

 

୪. ଚିଲିକାରେ ପୁରାଣ ଓ ଇତିହାସର ସୁମଧୁର ସମନ୍ୱୟ

 

ସୁଦୂର ବିସ୍ତାରିତ ପ୍ରଶାନ୍ତକାୟ ଚିଲିକା ଦର୍ଶକର ଚିତ୍ତରାଜ୍ୟକୁ କରେ ବିଷ୍ଫାରିତ । ଏହି ରୂପ ଦର୍ଶନରେ କଳାକାର ହୁଏ ଭାବୁକ, ଭାବୁକ ହୁଏ କବି, କବି ହୁଏ ଦାର୍ଶନିକ । କାବ୍ୟଶିଳ୍ପୀ ରାଧାନାଥ ଥିଲେ ଆଜନ୍ମ ଭାବୁକ ଓ ଏହି ଭାବୁକତା ତାଙ୍କୁ ପ୍ରଦାନ କରିଥିଲା କବିତ୍ତ୍ୱର ଦିବ୍ୟଦୃଷ୍ଟି ଏବଂ ଏହି ଦିବ୍ୟଦୃଷ୍ଟି ତାଙ୍କୁ ପରିଣତ କରିଥିଲା ଦାର୍ଶନିକରେ । ‘ଚିଲିକା’ର ରୂପରାଜିରେ ସେ ବିମୁଗ୍‍ଧ ଦୃଷ୍ଟି ଢାଳି ତନ୍ମୟ ଭାବରେ ଅନୁଶୀଳନ କରିଛନ୍ତି ଅତୀତର ଇତିହାସ । ଏହି ଚିଲିକା ପ୍ରତୀକ୍ଷା କରିଛି ମଣିଷ ଜାତିର କେତେ ଉତ୍‍ଥାନପତ୍ତନ; ତା’ରି ତୀରରେ କେତେ ବିରାଟ ସଭ୍ୟତାର ଅଭ୍ୟୁଦୟ ଘଟି ପୁଣି ମହାକାଳର କବଳରେ ହୋଇଯାଇଛି ବିଲୀନ । ସେହି କାଳଗର୍ବିତ ସଭ୍ୟତାର କଙ୍କାଳକୁ ଏବେ ମଧ୍ୟ ବିଧୌତ କରୁଥାଏ ଚିଲିକାର ଊର୍ମିମାଳା । କେତେ ରାଜା ଓ ପରାକ୍ରମୀ ବୀରବୃନ୍ଦ ବୀରଦର୍ପରେ ବାଦିତ୍ର କଂପିତ କରି ଏହି ଚିଲିକାବକ୍ଷରେ ଆରମ୍ଭ କରିଥିଲେ ସେମାନଙ୍କର ଦିଗ୍‍ବିଜୟ ଅଭିଯାନ । ଅକ୍ଷୟ ଯଶସମ୍ପଦଲାଳସୀ ହୋଇ ସେମାନେ ହାଣୁଥିଲେ ଲକ୍ଷ ଲକ୍ଷ ମଣିଷ ମସ୍ତକ । କିନ୍ତୁ ପାଣିର ଗାର ପରି କାଳ ବକ୍ଷରେ ଲିଭିଯାଇଛି ସେମାନଙ୍କ ଯଶ ଓ କୀର୍ତ୍ତିରେଖା !

 

ମଣିଷର ଐଶ୍ୱର୍ଯ୍ୟ ଓ ଅହମିକା ଏବଂ ମହାକାଳର ନିର୍ମମ ନିରପେକ୍ଷତା ପ୍ରସଙ୍ଗ ସ୍ମରଣ କରୁ କରୁ କବିଙ୍କ ଦୃଷ୍ଟିରେ ବିଭାସି ଉଠିଛି ଉତ୍କଳ ଇତିହାସର ଏକ ଗୌରବାବହ ଅଧ୍ୟାୟ । ସେଦିନ ଚିଲିକା ଲକ୍ଷରେ ବିଜୟ ଉଲ୍ଲାସରେ ଫେରିଆସୁଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଦେବ । ଶତ ଶତ ତରୀମାଳାର ଅଝାଲ ସ୍ଫୀତିରେ ପୂରି ଉଠିଥିଲା ଚିଲିକାର ନୀଳୋରସ ଏବଂ ଆକାଶର ଶୋଭା ସମ୍ପନ୍ନ କରିଥିଲେ ସ୍ୱର୍ଣ୍ଣ-ସୁଦର୍ଶନ-ଲାଞ୍ଛିତ ଲୋହିତ ପତାକାଶ୍ରେଣୀ । ଏହି ତରୀମାଳା ମଧ୍ୟରେ ବିରାଜିତ ଥିଲା ଗଜଦନ୍ତନିର୍ମିତ ରାଜ-ତରୀ, ଯହଁରେ ବିଲମ୍ୱିତ ଥିଲା ସ୍ଫଟିକ-ରଚିତ ଯଷ୍ଟିରେ ସ୍ୱର୍ଣ୍ଣଖଚିତ ଚନ୍ଦ୍ରାତପ । ମଞ୍ଜୁଳ ପତ୍ରପୁଷ୍ପଶୋଭିତ ଝାଲର ଅନ୍ତରାଳରେ ସିଂହାସନ ମଣ୍ଡନ କରିଥିଲେ ମଞ୍ଚ-ଲକ୍ଷ୍ମୀ-ମା କାଞ୍ଚିରାଜଜେମା ପଦ୍ମାବତୀ । ତରୀଚାଳନା କରୁଥିଲେ ରୂପସୀ ତରୁଣୀବୃନ୍ଦ । ପଦ୍ମାବତୀଙ୍କର ମୁଖଶ୍ରୀରେ ସଲଜ୍ଜ ବିଷାଦରେଖା ଓ ଭ୍ରୂଲତା ମଧ୍ୟରେ କୁଙ୍କୁମର ବିନ୍ଦୁ, କର୍ଣ୍ଣଦ୍ୱୟରେ ଅଳଙ୍କାରର ଦ୍ୟୁତି, ପୃଷ୍ଠଦେଶରେ ବିଲମ୍ୱିତ କୃଷ୍ଣ-କବରୀ, କବରୀର ସୁଗନ୍ଧରେ ଆମୋଦିତ ଅଳିକୁଳଙ୍କୁ କରସ୍ଥିତ ଲୀଳାପଦ୍ମରେ ବିତାଡ଼ିତ କରନ୍ତି ପଦ୍ମାବତୀ ଅସୀମ ଆକୁଳତାରେ । ତାଙ୍କର ସେହି କବରୀର ନୀଳିମାରେ ଉପହସିତା ଓ ଅପମାନିତା ନୀଳ ବୀଚିମାଳା ସତେ ଯେପରି ତରଣୀ ପଞ୍ଜରରେ ମଥାପିଟି ବିଳାପୁଥିଲେ । ସେହି କୃଷ୍ଣଚିକୁର ଆଭା ମସ୍ତକରେ ପୁଣି ପରିଶୋଭିତ ଥିଲା ପୁଷ୍ପର ମୁକୁଟ । ଚଳମାନ ତରୀ ଛନ୍ଦରେ ସେ ପୁଷ୍ପମୁକୁଟର ପଦ୍ମପାଖୁଡ଼ାମାନଙ୍କର ଦୋଳାୟମାନ ଦୃଶ୍ୟ ଥିଲା ଅତୀବ ମନୋଜ୍ଞ । ସମଶୋଭିତ ଅନ୍ୟତରୀରେ ବିରାଜିତ ଥିଲେ ସିଂହାସନରୂଢ଼ ବୀରଶ୍ରୀ ପୁରୁଷୋତ୍ତମ; ତେଜ ଓ ଗାମ୍ଭୀର୍ଯ୍ୟବ୍ୟଞ୍ଜକ ତାଙ୍କର ବଦନଶ୍ରୀ ପ୍ରତିଫଳିତ ହୋଇ ଉଠୁଥାଏ କରଧୃତ କୃପାଣ ଫଳକରେ । ସତେ ଯେପରି ସାହସ ବା କ୍ଷାତ୍ରଧର୍ମ କିମ୍ୱା ବୀରରସ ତାଙ୍କରିଠାରେ ଧାରଣ କରଇଥିଲେ ପ୍ରମୂର୍ତ୍ତ ବିଗ୍ରହ । ତାଙ୍କର ସ୍ୱର୍ଣ୍ଣଛତି ହିଁ ତାଙ୍କୁ ପରିଚିତ କରାଏ ଉତ୍କଳର ନରପତି ରୂପେ । ପୂର୍ବରୁ ସତର୍କିତ ସାମନ୍ତମଣ୍ଡଳୀ ଓ ପ୍ରହରୀବୃନ୍ଦ ତୀରବର୍ତ୍ତୀ ଦୁର୍ଗଠାରୁ ଥିଲେ ଅପେକ୍ଷମାଣ । ଏବେ ସୁଦର୍ଶନ ଚିହ୍ନିତ ପତାକା ଦର୍ଶନ କରି ରାଜାଙ୍କ ପ୍ରତି ଢାଳିଦେଲେ ଅଶେଷ ପ୍ରଣତି । ସୁମଧୁର କଣ୍ଠରେ ପ୍ରଶସ୍ତି ଗାନକରି ବନ୍ଦୀଗଣ ପଦ୍ମାବତୀଙ୍କୁ ଅଭିବାଦନ କରି ଆବୃତ୍ତି କଲେ ରାଜାଙ୍କର ଯଶୋଗାଥା । ପୁରୁଷୋତ୍ତମଙ୍କ ସହିତ ପଦ୍ମାବତୀଙ୍କର ମିଳନକୁ, ସୁନ୍ଦର ସହିତ ମଧୁରର, ଶୌର୍ଯ୍ୟ ସହିତ ସୌନ୍ଦର୍ଯ୍ୟର, ଚିତ୍ରା ସହିତ ଚନ୍ଦ୍ରମାର କିମ୍ୱା ଜଗତପିତା ବିଷ୍ଣୁଙ୍କ ସହିତ ଲୋକମାତା ଲକ୍ଷ୍ମୀଙ୍କର ମିଳନ ବୋଲି ତୁଳନା କଲେ । ତୀରଦେଶରେ ବାଦ୍ୟନାଦର ପ୍ରକମ୍ପନ ଗିରିଗହ୍ୱରମାନଙ୍କରେ ହେଲା ବିଧୂନିତ । ସେହି ମହୋତ୍ସବର ବାର୍ତ୍ତା ନେଇ ଦିଗ୍‍ଦିଗନ୍ତରେ ପ୍ରଚାର କଲା ଚିଲିକାର ସମୀରଣ ।

 

ଅପୂର୍ବ କଳ୍ପନାଚାତୁରୀ ଓ ଅଳଙ୍କାରବିନ୍ୟାସ ଭିତରେ ଏହି କାଞ୍ଚିବିଜୟ ମହୋତ୍ସବର ମନୋଜ୍ଞ ବର୍ଣ୍ଣନା ସମଗ୍ର ଉତ୍କଳ ସାହିତ୍ୟରେ ଅତୁଳନୀୟ ।

 

ଉତ୍କଳର ଚିରହିତାକାଙ୍‍କ୍ଷିଣୀ ଚିଲିକା ସେଦିନ ଯେପରି ହୋଇଥିଲା ଆତ୍ମହରା ଓ ଆନନ୍ଦମୁଖରା, ସେହିପରି ମଧ୍ୟ ଶତ୍ରୁ ଆକ୍ରମଣବେଳେ ସେ ହୋଇଥିଲା ରୁଦ୍ରମୂର୍ତ୍ତିରେ ବିକ୍ଷୁବ୍‍ଧା ଓ ଭୟଙ୍କରା । ଉତ୍କଳର ଯବନଶତ୍ରୁ ରକ୍ତବାହୁ ଦିନେ ଦେଖିଥିଲା ଚିଲିକାର ସେହି ପ୍ରଚଣ୍ଡ ମୂର୍ତ୍ତି । ପୋକମାଛି ପରି ନରହତ୍ୟା କରି ସଦଳବଳେ ସେ ଲୁଣ୍ଠନ କରିଥିଲା ଉତ୍କଳର ଲକ୍ଷ୍ମୀଭଣ୍ଡାର; କିନ୍ତୁ ବିଜୟୋଲ୍ଲାସରେ ଉନ୍ମତ୍ତ ହୋଇ ଚିଲିକା ବକ୍ଷରେ ଜଳ-ଯାତ୍ରାକରି ପ୍ରତ୍ୟାବର୍ତ୍ତନବେଳେ ସେହି ପିଶାଚ ଆକ୍ରମଣକାରୀ ସହିତ ଚିଲିକା ଆରମ୍ଭ କଲା ପ୍ରଚଣ୍ଡ ସଂଗ୍ରାମ । ଚିଲିକାର ଅଧିଷ୍ଠାତ୍ରୀ ଦେବୀ କାଳିଜାଇଚଣ୍ଡୀଙ୍କ ଇଙ୍ଗିତରେ ଯେପରି ନୀଳାମ୍ୱୁସମ୍ରାଟ ବରୁଣ ସ୍ୱୀୟ ଊର୍ମିବାହିନୀ ସହିତ ଏହି ସଂଗ୍ରାମରେ ଯୋଗଦେଲେ । ଫଳରେ ଭୀଷଣ ବାତ୍ୟା ଓ ଘୂର୍ଣ୍ଣି କବଳରେ ପଡ଼ି ସସୈନିକ ତରୀମାଳା ଓ ରକ୍ତବାହୁ ଚିଲିକା ଗର୍ଭରେ ଲଭିଥିଲେ ସଲିଳସମାଧି । ଉତ୍କଳର ବିତ୍ତ ଲୁଣ୍ଠନ କରିବାକୁ ଚିଲିକା ସେଦିନ ବିଧାନ କରିଥିଲା ଅତ୍ୟାଚାରୀ ପାଇଁ ଉତ୍କଟ ପ୍ରାୟଶ୍ଚିତ୍ତ । ଅନ୍ୟାୟ ବଳରେ ଯେଉଁମାନେ ପୃଥିବୀକୁ କରୁଥିଲେ ଚମକିତ, ମାତ୍ର ସପ୍ତଚାଖଣ୍ଡ ଶଯ୍ୟାରେ ସେ ହେଲେ ଶାୟିତ । ତେଣୁ କବି ଲେଖିଛନ୍ତି–

 

‘‘ଦ୍ୱିସପ୍ତ ଭୁବନ ଯେ ମଣିଲେ ଅଳ୍ପ

ମଣ୍ଡିଲେ ସେ ସପ୍ତ ଚାଖଣ୍ଡକ ତଳ୍ପ ।’’

 

କବିଙ୍କର ତୀକ୍ଷ୍ମ କଳ୍ପନାଦୃଷ୍ଟି ଇତିହାସର ସୀମା ଅତିକ୍ରମ କରି ପ୍ରାଚୀନ ପୁରାଣ ପ୍ରସଙ୍ଗକୁ ଆଣି ଇତିହାସ ସହିତ ସାମିଲ କରି ଦେଇଛନ୍ତି । ହିମାଦ୍ରିରେ ଗୌରୀଶଙ୍କର ଶୃଙ୍ଗ ଉପଖ୍ୟାନ ଶିବ ପୁରାଣାଦିରେ ବିଖ୍ୟାତ । ହରଜଟାଭ୍ରଷ୍ଟା ତ୍ରିପଥଗା ଗଙ୍ଗା, ଦଣ୍ଡକାରଣ୍ୟରେ ମୈଥିଳୀଙ୍କର ବନବାସ ଓ ରାମାଶ୍ରମ ରେଖା, ଖର-ଦୂଷଣ ତ୍ରିଶିରାଙ୍କ ବିହାର, ଭୀଷଣ ଓ ବିଜନସ୍ଥଳୀମାନଙ୍କରେ ମୁନିଋଷିମାନଙ୍କର ଆଶ୍ରମ ରଚନାଦି ପ୍ରସଙ୍ଗ ରାମାୟଣାଦି ପୁରାଣରେ ବର୍ଣ୍ଣିତ । ଭାର୍ଗବୀ କୂଳରେ ଭୃଗୁ ମୁନିଙ୍କର ନିବାସ, ଦଧୀଚିଙ୍କର ଅସ୍ଥିଦାନ ଓ ଦେବକାର୍ଯ୍ୟରେ ଦୟା, ତଥା ଦୟା ତଟରେ ତାଙ୍କର ଆଶ୍ରମଭୂମି ପ୍ରଭୃତି ପ୍ରସଙ୍ଗ ମଧ୍ୟ ପୁରାଣପ୍ରସିଦ୍ଧ । ଗୋପୀନାଥ ଓ ରାଧିକାଙ୍କ ପ୍ରଣୟ ସମ୍ପର୍କ ଭକ୍ତିଗ୍ରନ୍ଥ ଓ ଭାଗବତାଦି ପୁରାଣମାନଙ୍କରେ ପ୍ରସିଦ୍ଧ । କିନ୍ତୁ ଦ୍ୱିଜକନ୍ୟା ଲକ୍ଷ୍ମୀ ରୂପରେ ରାଧାଙ୍କର ଜନ୍ମ ଓ ସାକ୍ଷୀଗୋପାଳଙ୍କର ତାହା ସହିତ ପ୍ରଣୟ ସମ୍ପର୍କ କଥା ଲୋକବିଶ୍ୱାସର ଅନ୍ତର୍ଭୁକ୍ତ । କିନ୍ତୁ କବିବର ତାହାକୁ ନିଜ କାବ୍ୟଶ୍ରୀର ଅଭିବୃଦ୍ଧିପାଇଁ ଉପାଦେୟ ମନେକରି ଗ୍ରହଣ କରିଛନ୍ତି । ଏହା ଛଡ଼ା ମହୋଦଧି ଓ ଚିଲିକାର ତୀର୍ଥତ୍ୱ, ପାରିଜାତ କୁଞ୍ଜେ ଇନ୍ଦିରା ସୁନ୍ଦରୀ ସମୁଦ୍ର ମନ୍ଥନରୁ ବାହାରିବା, ଭାଷା ଅଧିଷ୍ଠାତ୍ରୀ ଦେବୀ ବୀଣାପାଣି, ଜୀମୂତବାହନ ବଜ୍ରୀଇନ୍ଦ୍ର ପ୍ରଭୃତି ବହୁ ପ୍ରସଙ୍ଗ କବି ଏଇ ଦେଶର ପୁରାଣରୁ ହିଁ ସଂଗ୍ରହ କରିଛନ୍ତି । ଉଭୟ ଇତିହାସ ଓ ପୁରାଣର ଏହି ସୁମଧୁର କାବ୍ୟିକ ସମନ୍ୱିତ ରୂପଶ୍ରୀ ତାଙ୍କର ଗଭୀର ସଂସ୍କୃତି ଓ ସଚେତନାର ସୁଫଳ ମାତ୍ର ।

 

 

୫. ଚିଲିକାର ସାୟନ୍ତନ ଶୋଭା

 

ବର୍ଣ୍ଣନା-କମନୀୟ ଏହି କାବ୍ୟ ଭିତରେ ଚିଲିକାର ସାୟନ୍ତନ ଶୋଭାବର୍ଣ୍ଣନା ସର୍ବଧିକ ମନୋହର ଓ ହୃଦୟସ୍ପର୍ଶୀ ବିଧର୍ମୀ ରକ୍ତବାହୁ ବହୁ ବହୁ ବୀରମାନଙ୍କର ଦର୍ପିତ ହୁଙ୍କାରର ଅଳିକତା କଥା ସ୍ମରଣ କରୁ କରୁ ବିଧାତାର ନିର୍ଭୀକତା ଓ କାଳର ସମଧ୍ୱଂସିତା, ମହାବଳିଷ୍ଠ ବୀରପୁରୁଷର ଅସହାୟତାରେ ଭାବନା ନିମଗ୍ନ ରହି କବି ଆଙ୍କିଛନ୍ତି ଚିଲିକାର ସନ୍ଧ୍ୟାଛବି । ତେଣୁ ସନ୍ଧ୍ୟାର ବର୍ଣ୍ଣନା ସହିତ ଭରିରହିଛି ତାଙ୍କ ପ୍ରାଣର ଆବେଗମୟ ସ୍ପର୍ଶ । ତେଣୁ ଏହି ପଙ୍‍କ୍ତିମାନଙ୍କର କରୁଣ ସାଙ୍ଗୀତିକ ସ୍ୱର ଏକାନ୍ତ ପାଷ୍ଟୋରାଲ ।

 

ଭାଲେରୀ ଶିଖରଠାରେ ସୂର୍ଯ୍ୟଦେବ ମଣ୍ଡନ କଲେ ତାଙ୍କର ସ୍ୱର୍ଣ୍ଣସିଂହାସନ । ପର୍ବତର ହରିତାଭ ବପୁ ଛାୟାପାତ ହେତୁ କ୍ରମେ ହେଲା ନୀଳବର୍ଣ୍ଣ । ଗୃହାଭିମୁଖୀ ଛାଗ ଓ ମେଷଯୂଥଙ୍କର ଗଳଘଣ୍ଟାର ଧ୍ୱନିରେ ପର୍ବତ ଓ ତଟଭୂମି ହେଲା ନିନାଦିତ । ଅରଣ୍ୟପଥରେ ମହିଷୀ ଟିପାର ଗୁରୁ ଗୁରୁ ଧ୍ୱନି ସୃଷ୍ଟିକଲା ଏକ ଅମୀୟ ପରିବେଶ । ଗୋଗୋଷ୍ଠରୁ ଉତ୍‍ଥିତ ଧୂମରେଖାରେ କାନନଲକ୍ଷ୍ମୀ ହେଲେ ଆଚ୍ଛାଦିତ । ସନ୍ଧ୍ୟାରଶ୍ମିରେ ହରିଦ୍ରାଭ ଡେଣା ବିସ୍ତାର କରି ଏରାପକ୍ଷୀଗଣ ବାହୁଡ଼ିଗଲେ ନୀଡ଼ ଅଭିମୁଖେ ।

 

କ୍ରମେ ଭାଲେରୀର ଅନ୍ତରାଳରେ ଅସ୍ତମିତ ହେଲେ ସୂର୍ଯ୍ୟଦେବତା । ସନ୍ଧ୍ୟାକାଶର ମେଘମାଳା ତତ୍କାଳୀନ ରକ୍ତିମ ଆଭାରେ ହେଲେ ଭାସ୍ୱର । ଧରିତ୍ରୀର ମୁଖଶ୍ରୀ ଏହି କନକ ଅସ୍ତରାଗରେ ହେଲା ବିଭୂଷିତ । ସନ୍ଧ୍ୟାତପକୁ କ୍ରମେ ଗ୍ରାସ କରିଦେଲା ଭାଲେରୀର ସୁବିଶାଳ ଛାୟା । ଚିଲିକାର ନୀଳବକ୍ଷରେ ସନ୍ଧ୍ୟାର କିରଣ ଦେଖି କବି ତର୍କଣା କରନ୍ତି, ସତେ ଯେପରି ପ୍ରବଳ ପ୍ରାସାଦ ରୁଚିରେ ବରୁଣାଧିଷ୍ଠିତ ପଶ୍ଚିମ ଦିଙ୍‍ନାଗ ନୀଳ ନୀରକୁ ଭେଦ କରି ଉତ୍‍ଥିତ ହେଲା । ପଶ୍ଚିମଦିଗର ବର୍ଣ୍ଣବୈଭବଠାରେ ଦିବସ ଯାଇ ଅତୀତର ମହାସିନ୍ଧୁରେ ହେଲା ବିମିଶ୍ରତ ।

 

ପୂର୍ବଦିଗରେ ସ୍ୱର୍ଗପଥକୁ ଉଜ୍ଜ୍ୱଳକରି ଉଦିତ ହେଲେ ତାରାଟିଏ ସହିତ ଚନ୍ଦ୍ର ଏବଂ ଉଦୟ କଲେ ଆକାଶର ଅର୍ଦ୍ଧାଂଶକୁ କବଳିତ । ବାଳଜ୍ୟୋତ୍ସ୍ନାରେ ମୁଖ ଧୌତକରି ପୂର୍ବ ଦିଗ୍‍ବଧୂ ସଗର୍ବରେ ପଶ୍ଚିମ ଦିଗ୍‍ବଧୂକୁ ସ୍ୱୀୟ ରୂପବିଭବ ପ୍ରଦର୍ଶନ କଲା । ପୂର୍ବଦିଗରେ ଚନ୍ଦ୍ର ଜ୍ୟୋତ୍ସ୍ନାର ପ୍ଳାବନ ଓ ପଶ୍ଚିମ ଦିଗରେ ସନ୍ଧ୍ୟାକାଳୀନ ଅରୁଣ ଅସ୍ତରାଗ, ଉଭୟର ସମ୍ମିଶ୍ରଣରେ ଆକାଶର ବର୍ଣ୍ଣବିଭବ ବୋଧହେଲା ଅତୁଳନୀୟ । ଆକାଶର ଏହି ଅବସ୍ଥାକୁ କବି ଅର୍ଦ୍ଧାଂଶ ଈଶ୍ୱର ଓ ଅର୍ଦ୍ଧାଂଶ ପାର୍ବତୀ ରୂପ ସହିତ ତୁଳନା କରିଥାନ୍ତି । କ୍ରମେ ଦିଗ୍‍ବଳୟ ପର୍ଯ୍ୟନ୍ତ ବିସ୍ତୃତ ଚିଲିକାର ନୀଳଜଳରାଶିକୁ ଚନ୍ଦ୍ରଜ୍ୟୋତ୍ସ୍ନା କଲା ରଞ୍ଜିତ ।

 

ପୂର୍ବ ଦିଗରେ ଚିଲିକା ଓ ସମୁଦ୍ରର ମିଳନ ମୁହାଣଠାରୁ ମୀନଜୀବୀ ଧୀବରବୃନ୍ଦ ସନ୍ଧ୍ୟାଗମନର ଗୃହଚରିତ ଚିନ୍ତାକରି ଏ ମହୋଲ୍ଲାସରେ କବିସୂର୍ଯ୍ୟଙ୍କ ସଙ୍ଗୀତ ଗାନ କରି ଫେରିଆସନ୍ତି । କେହି ମୀନମାନଙ୍କୁ ଆକୃଷ୍ଟ କରିବା ନିମିତ୍ତ ନିଜ ନିଜର ନାବ ଭିତରେ ଜାଳିଦିଅନ୍ତି ଉଜ୍ଜ୍ୱଳ ମଶାଲ । ମାରାତ୍ମକ ପାତକ ସଦୃଶ ସେହି ଅଗ୍ନିଶିଖା ଦେଖି ଆକୃଷ୍ଟ ମୀନଗଣ ସେହି ପୋତ ମଧ୍ୟକୁ ଲମ୍ଫଦାନ କରି ମରଣ ମୁଖରେ ହୁଅନ୍ତି କବଳିତ । ଦୂରରୁ ଦୋଳାୟମାନ ବୋଇତ ଭିତରେ ମଶାଲଶିଖାର ଦୋଳାୟମାନ ଉତ୍‍ଥାନ-ପତନ ଦୁଃଖୀ ଲୋକର ଆଶା ପରି ଏକାନ୍ତ ଅସ୍ଥିର । କ୍ରମେ ରାତିର ଆଗମନ ହେତୁ ଲୋକ କୋଳାହଳରୁ ମୁକ୍ତ ହୋଇ ପୃଥିବୀ ହୁଏ ଶାନ୍ତ ଓ ନିଶ୍ଚଳ । ଚତୁର୍ଦ୍ଦିଗରେ ବିରାଜିତ ହୁଏ ପ୍ରଶାନ୍ତ ନୀରବତା ।

 

୬. କାବ୍ୟରେ କବିଙ୍କର ବ୍ୟକ୍ତିତ୍ୱ

 

କାବ୍ୟ ହିଁ ଜୀବନରେ କଳାତ୍ମକ ପ୍ରକାଶ । ଏହାରି ଭିତରେ ଛପିରହିଥାଏ କବିଜୀବନର ଆତ୍ମଲିପି । ଜୀବନ ହିଁ ଜଗତରେ ସର୍ବାଧିକ ସାର ପଦାର୍ଥ । ଏହି ଜୀବନ ସଞ୍ଚାରକ ଆତ୍ମାକୁ ଯୋଗୀଋଷିମାନେ ସର୍ବୋଚ୍ଚ ସମ୍ମାନ ଦେଉଥିଲେ । ଜୀବନ ସମ୍ପର୍କରେ ବହୁ ମହାପୁରୁଷ ବହୁ ଅଭିମତ ପ୍ରଦାନ କରିଥିଲେ ହେଁ ଏହା ତଥାପି ରହିଛି ରହସ୍ୟାବୃତ ହୋଇ । ଏହି ରହସ୍ୟର ଉଦ୍‍ଘାଟନ କରି ଜୀବନ ସଂପର୍କରେ କେତେକ ତଥ୍ୟ ଆବିଷ୍କାର କରିବାକୁ ହିଁ କୁହାଯାଏ ଜୀବନଦର୍ଶନ । ଏହି ଜୀବଦର୍ଶନ ପୁଣି ସ୍ରଷ୍ଟାଙ୍କର ବ୍ୟକ୍ତିତ୍ୱର ପରିଚାୟକ । ଜୀବନ ସଂଗ୍ରହ କରି କବି ପ୍ରତ୍ୟକ୍ଷ ବା ପରୋକ୍ଷରେ ପ୍ରକାଶ କରେ କାବ୍ୟପଙ୍‍କ୍ତିରେ । ଏହି ତଥ୍ୟ ସ୍ରଷ୍ଟା ପକ୍ଷେ ବ୍ୟକ୍ତିଗତ ହେଲେ ହେଁ ଏହା ବହୁ ଭାବରେ ସାର୍ବଜନୀନ, ତେଣୁ କାବ୍ୟାନୁଶୀଳନ ବେଳେ ସେହି ସତ୍ୟର ଅନୁଶୀଳନ କରି ସ୍ରଷ୍ଟାର ବ୍ୟକ୍ତିତ୍ୱ ଅବଧାରଣା କରିବା ଏକାନ୍ତ ଆବଶ୍ୟକ ।

 

ଜଣେ କବିଙ୍କର ଜୀବନଦର୍ଶନ ସମ୍ପର୍କରେ ସ୍ଥିର ଓ ନିର୍ଦ୍ଦିଷ୍ଟ ଏକ ଅଭିମତ ବାଢ଼ିବାପାଇଁ ତାଙ୍କର ସକଳ ଗ୍ରନ୍ଥର ଅଧ୍ୟୟନ ଆବଶ୍ୟକ ହେଉଥିଲେ ହେଁ, ରାଧାନାଥଙ୍କଠାରେ ଏହାର ବ୍ୟତିକ୍ରମ ପ୍ରତୀତ ହୁଏ; କାରଣ ରାଧାନାଥଙ୍କ ବ୍ୟକ୍ତତ୍ୱ ତାଙ୍କର ସମସ୍ତ କାବ୍ୟରେ ସମଭାବରେ ପ୍ରତିଫଳିତ ।

 

ରାଧାନାଥ ଥିଲେ ଜଣେ ମହାନ୍‍ ନୀତିପରାୟଣ ବ୍ୟକ୍ତି । ଶିକ୍ଷାବିଭାଗରେ ସମସ୍ତ ଜୀବନ ଅତିବାହିତ କରି ସେ ଗଠନ କରିଥିଲେ ଏହି ସତ୍ୟଦୀପ୍ତ ସଚ୍ଚରିତ୍ର । ବିନୟ ଥିଲା ତାଙ୍କର ଭୂଷଣ, ନୈତିକ ଚେତନା ଥିଲା ତାଙ୍କର ପ୍ରାଣ । ଜଗତର ନଶ୍ୱରତା ପ୍ରତି ସେ ଥିଲେ ଯଥେଷ୍ଟ ସଜ୍ଞାନ । ଭାବପ୍ରବଣ କବି ତାଙ୍କର ବହୁ କାବ୍ୟ ପରି ‘ଚିଲିକା’ରେ ମଧ୍ୟ ପ୍ରତିପନ୍ନ କରିଛନ୍ତି ସର୍ବଗ୍ରାସୀ କାଳର ଶକ୍ତିମତ୍ତା । ଜାଗତିକ ସକଳ ସଭ୍ୟତା ଓ ସକଳ ଅହମିକାର ଅଳିକତା ସମ୍ପର୍କରେ ସେ ଚିଲିକାତୀରର ଭଗ୍ନଦୁର୍ଗାଦି ସନ୍ଦର୍ଶନ କରି ଲେଖିଛନ୍ତି–

 

‘‘ଭଗ୍ନଦୁର୍ଗ ଜରାଜର୍ଜ୍ଜର ଦେଉଳ,

ଶୈବାଳ ଅରଣ୍ୟଲତା ଗୁଳ୍ମାକୁଳ,

ମୂର୍ତ୍ତିମତୀ ହୋଇ ଭବ ଭଙ୍ଗୁରତା,

ପ୍ରତିଧ୍ୱନି ଛଳେ କହେ ଯହିଁ କଥା ।’’

 

ଯଶ ଓ କୀର୍ତ୍ତିରଙ୍କ ହୋଇ କ୍ଷତ୍ରୀବୀରମାନେ ଦେଶ ଦେଶ ଜୟକରି ଚାଲନ୍ତି, ଅସଂଖ୍ୟ ମଣିଷ ହାଣି ଲୁଣ୍ଠନ କରନ୍ତି ପ୍ରଭୂତ ସମ୍ପଦ । ବନ୍ଦୀମୁଖରେ ପୁଣି ସ୍ୱୀୟ ଯଶୋଗାଥା ଶୁଣି ଆନନ୍ଦରେ ହୁଅନ୍ତି ପୁଲକିତ । କିନ୍ତୁ ସେହି ବନ୍ଦୀମୁଖର ଯଶ ସୁଦ୍ଧା ଅନିତ୍ୟ । ତାଙ୍କ ଭାଷାରେ–

 

‘‘ଯଶରଙ୍କ ହୋଇ ପଦାଙ୍କ ସେବୀରେ

ରଖିପାରିଲେ କି ଯଶ ପଦବୀରେ ?

ସୁଲଭ ଯେ ଲାଞ୍ଚେ ବନ୍ଦିକୁଳ ଯଶ,

କାଳ କି ସେ ଲାଞ୍ଚେ ହୁଏ କେବେ ବଶ ?’’

 

ଯଥାର୍ଥ କାଳ ଅତି କ୍ରୂରଭାବରେ ତା’ର କର୍ତ୍ତବ୍ୟ କରିଚାଲେ । ମଣିଷର ବଳବିକ୍ରମ ବା ଯଶକୀର୍ତ୍ତି ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ । ଅତୀତର ବୀରବୃନ୍ଦଙ୍କ ପତନ ସମ୍ପର୍କରେ କବି ଚିଲିକାକୁ ସମ୍ୱୋଧନ କରି ଲେଖିଛନ୍ତି–

 

‘‘ଧୋଉଅଛି ତୋର ନୀଳ ଊର୍ମିମାଳ,

ଏବେ ତାଙ୍କ କାଳ ଚର୍ବିତ କଙ୍କାଳ ।’’

ପୁନଶ୍ଚ ‘‘ଦୈବ ନ ଡରଇ ନରଭ୍ରୂକୁଟିକି ।’’

 

ବହୁ ବୀରଙ୍କର ଅସହାୟ ମୃତ୍ୟୁ ସମ୍ପର୍କରେ ସେ ଲେଖିଛନ୍ତି–

 

ଭ୍ରୂଭଙ୍ଗୀରେ ଯା’ଙ୍କ କମ୍ପିଲା ଭୂତଳ

ମକ୍ଷି ତଡ଼ିବାକୁ ଏବେ ନାହିଁ ବଳ ।

ଦ୍ୱିସପ୍ତ ଭୁବନ ଯେ ମଣିଲେ ଅଳ୍ପ

ମଣ୍ଡିଲେ ସେ ସପ୍ତ ଚାଖଣ୍ଡକ ତଳ୍ପ ।’’

 

କବିବରଙ୍କର ଏହିପରି ଚିନ୍ତାର ପ୍ରତିଫଳନ ଘଟିଛି ‘ପାର୍ବତୀ’ କାବ୍ୟର ବହୁ ପଙ୍‍କ୍ତିରେ; ଯଥା–

 

‘‘କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମିତଳେ,

ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ ।’’

 

ସେହିପରି ମଧ୍ୟ ‘ଦରବାର’ରେ ଲୋକଙ୍କ ଅହମିକା ଓ ପଦଲାଳସାକୁ ଉପହାସ କରି ଲେଖିଛନ୍ତି–

 

‘‘ଏହି ଦରବାରେ ରୁଣ୍ଡ ଯେତେ ନରେ,

ଏଥିରୁ ଥୋକାଏ ବର୍ଷକ ମଧ୍ୟରେ,

ଆନ ଦରବାରେ ହେବେଟି ତଲବ,

ତୁମ୍ଭେ ତହିଁ ଥିବା ନୋହେଁ ଅସମ୍ଭବ ।’’ ଇତ୍ୟାଦି ।

 

ରାଧାନାଥ ଥିଲେ ଆବାଲ୍ୟରୁ ମାତୃଶୋକରେ ଜର୍ଜ୍ଜରିତ । ପୁନଶ୍ଚ ପିତାଙ୍କର କଠୋର ଶାସନରେ ତାଙ୍କ ମନରୁ ମଉଳି ଯାଇଥିଲା ସମସ୍ତ ସୁଖସରାଗ । କବିଜୀବନର ବିକାଶ କାଳରେ ପିତୃବିୟୋଗ, ପରେ କନିଷ୍ଠ ପୁତ୍ରଙ୍କର ଅକାଳମୃତ୍ୟୁ, ଜ୍ୟେଷ୍ଠ ପୁତ୍ରଙ୍କର ମୂର୍ଚ୍ଛାରୋଗ, ନିଜର ଆଜୀବନ ଶ୍ୱାସରୋଗର ଯନ୍ତ୍ରଣା ତାଙ୍କ ଜୀବନରେ ସୁଖ-ଶାନ୍ତିର ଉପଭୋଗ ପାଇଁ ସୁଯୋଗ ଦେଇ ନଥିଲା । ପୁନଶ୍ଚ, ସାଧାରଣକ୍ଷେତ୍ରରେ ତାଙ୍କ ବିରୁଦ୍ଧରେ ଦୁଇଥର ବହୁ ଅଭିଯୋଗ ଓ କଟୁ ସମାଲୋଚନା ସାମାଜିକ ଜୀବନରେ ମଧ୍ୟ ତାଙ୍କ ପକ୍ଷେ ଥିଲା ଘୋର ଦୁଃଖଦାୟକ । ତେଣୁ ସଂସାରର ସୁଖମୟତାରେ ତାଙ୍କର ଥିଲା ଘୋର ଅବିଶ୍ୱାସ । ଜୀବନର ପ୍ରତି କ୍ଷେତ୍ରରେ ଘୋର ଦୁଃଖଜଞ୍ଜାଳ ଓ ଅଶାନ୍ତି ଭିତରେ ସେ ନିଜକୁ ମଣିଥିଲେ ଏକାନ୍ତ ଅସହାୟ । ତେଣୁ ଜଗତର ଅଶାନ୍ତି ଓ ଦୁଃଖଜଞ୍ଜାଳକୁ ସେ ଏକ ସାର୍ବଜନୀନ ସତ୍ୟ ହିସାବରେ ଗ୍ରହଣ କରିନେଇ ଲେଖିଥିଲେ–

 

‘‘ଚିର ହାହାମୟ ଏ ଛାର ଜୀବନ,

ଜୀବନ ନୁହେ ଏ ଜୀବନ୍ତ ମରଣ ।’’

 

ସେ ନିଜକୁ ଗ୍ରହଣ କରିନେଇଛନ୍ତି ଦୁଃଖ-ଗୁରୁଙ୍କର ପଟ୍ଟଶିଷ୍ୟ ରୂପେ । ସେହି ଦୁଃଖଦତ୍ତ ଜ୍ଞାନଚକ୍ଷୁରେ ଜଗତକୁ ଦୁଃଖଯନ୍ତ୍ରଣାର କ୍ରୀଡ଼ାସ୍ଥଳରୂପେ ସନ୍ଦର୍ଶନ କରି ଲେଖିଛନ୍ତି–

 

‘‘ସୁଖବୋଲି ଯାକୁ ବୋଲଇ ସଂସାର

କରୁଥାଇ ତାକୁ ଦୂରୁଁ ମୁଁ ଜୁହାର ।

ସୁଖ ବୋଲି ଯାହା ଜନ ନେତ୍ରେ ଦିଶେ,

ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ ।

ବସ୍ତୁ ନୁହଇ ସେ ଅଟଇଟି ଧୂମ,

ଅନ୍ୟ ନାମ ତା’ର ଆକାଶ କୁସୁମ ।’’

 

କବିବର ଥିଲେ ଚିରସୌନ୍ଦର୍ଯ୍ୟପିପାସୁ । ଅନ୍ତିମ ଜୀବନରେ ଚିଲିକାତୀରର ଜଟିଆ ପାଦପର ପାଦଦେଶରେ କୁଟୀର ରଚନା କରି ସର୍ବଶୋଭାର ଆଧାର ପ୍ରକୃତିର ଏହି ଚାରୁଚିତ୍ରଶାଳା ଚିଲିକାର ଅପୂର୍ବ ରୂପଶ୍ରୀ ଉପଭୋଗ କରିବାକୁ ଓ ସାରସ୍ୱତ ସାଧନାରେ କାଳ ଅତିବାହିତ କରିବାକୁ ତାଙ୍କର ଥିଲା ଚିରପୋଷିତ ଆକାଙ୍‍କ୍ଷା । ତେଣୁ ସେ ଲେଖିଥିଲେ–

 

‘‘କରିଥିଲି ଆଶା କରିବି ଯାପନ,

ତୋ ପଶ୍ଚିମତୀରେ ପଶ୍ଚିମ-ଜୀବନ ।’’

*      *      *

ଶାନ୍ତି ରସାସ୍ପଦ ସେହି ଦରୀକୋଳେ,

ବାଗ୍‍ଦେବୀ ଚରଣ ପୂଜିବ ନିରୋଳେ ।’’

 

ଏହିସବୁ ପଙ୍‍କ୍ତି ପାଠକରି କେହି କେହି ରାଧାନାଥଙ୍କୁ ପଳାୟନପନ୍ଥୀ (Escapist) ବୋଲି ଅଭିହିତ କରିଥାନ୍ତି । କିନ୍ତୁ ରାଧାନାଥ ସଂସାରର ଗାର୍ହସ୍ଥ୍ୟ ଜୀବନ ଅନ୍ତେ ‘ପଶ୍ଚିମ ଜୀବନ’ରେ ଚିଲିକାତୀରରେ କୁଟୀର ନିର୍ମାଣକରି ଜୀବନାତିବାହିତ କରିବାର କଳ୍ପନା କରିଥିଲେ ମାତ୍ର । ତେଣୁ ଏଥିରେ ପ୍ରକଟିତ ଅଛି କବିଙ୍କର ଗଭୀର ଆଶାବାଦ । ହିନ୍ଦୁ ନିୟମାନୁସାରେ ବାନପ୍ରସ୍ଥ ହିଁ ଏକାନ୍ତ ବାଞ୍ଛିତ । କିନ୍ତୁ ସଂସାରର ତାଡ଼ନା ଭିତରେ ସେ ଏହା କରିପାରି ନଥିବାରୁ ବାର୍ଦ୍ଧକ୍ୟ ଜୀବନରେ ସଂସାରରେ ଥାଇ ସଂସାର ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ସଂସାର ପ୍ରତି ସେ ମନବଳାଇ ନାହାନ୍ତି । ସଂସାରର ତାଡ଼ନାରେ ତାଙ୍କର ଚିରପୋଷିତ ଅଭିଳାଷ ଚରିତାର୍ଥ ହୋଇନପାରିବାରୁ କବି ଗଭୀର ନୈରାଶ୍ୟରେ ଅଦୃଷ୍ଟବାଦୀ ହୋଇପଡ଼ିଛନ୍ତି । ତେଣୁ ସେ ଲେଖିଛନ୍ତି–

 

‘‘ଛାର ଭାଗ୍ୟ ମୋର ପିହିତ ପାଷାଣେ,

ମୋ ଜୀବନ ଗଢ଼ା ଅନ୍ୟ ଉପାଦନେ ।’’

 

ବ୍ୟକ୍ତିଗତ ଭାବରେ ତାଙ୍କର ଜୀବନଦର୍ଶନ ତାଙ୍କୁ ଜଣେ ଦାର୍ଶନିକର ଆସନ ପ୍ରଦାନ କରିଛି । ସ୍ୱୀୟ ବ୍ୟକ୍ତିତ୍ୱ, ଜାତି ଓ ଜୀବନ ସମ୍ପର୍କରେ ସେ ଅତି ନିଃସଙ୍କୋଚରେ ଓ ବିଶ୍ୱସ୍ତ ଭାବରେ ନିଜର ଅଭିମତ ପ୍ରକାଶ କରିଯାଇଛନ୍ତି । ଯାହା ତାଙ୍କର ଥିଲା ଅବ୍ୟକ୍ତ, ସେ କଥା ସେ ବ୍ୟକ୍ତ କରିଯାଇଛନ୍ତି ‘ଦରବାର’ରେ । ‘ଚିଲିକା’ର ଉପସଂହାରରେ ସେ ସ୍ୱଦେଶର ଅଖ୍ୟାତି ଓ ଅବନତିରେ କ୍ଷୋଭିତ ହୋଇ ଖେଦ ପ୍ରକାଶ କରିବା ଭିତରେ ଆଶୁ ଅଭ୍ୟୁତ୍‍ଥାନ ପାଇଁ ପୋଷଣ କରିଯାଇଛନ୍ତି ଦୁର୍ବାର ଅଭିଳାଷ । ତେଣୁ ସେ ଲେଖିଛନ୍ତି–

 

‘‘ପାହିଲାଣି ଘୋର ତାମସୀ ଯାମିନୀ,

ଫୁଟିବ ଉତ୍କଳେ ଭାଷା କମଳିନୀ ।’’

 

୭. ରାଧାନାଥଙ୍କ ସ୍ୱଦେଶପ୍ରେମ ଓ ଜାତୀୟତାବୋଧ

 

ରାଧାନାଥଙ୍କ କାବ୍ୟମାନଙ୍କରେ ବହୁ ଅଭାରତୀୟ ଉପାଦାନର ସମାବେଶ ଦେଖି ଏବଂ ପାର୍ବତୀ, ଉଷା, ନନ୍ଦିକେଶରୀ ଓ ଚନ୍ଦ୍ରଭାଗା ପ୍ରଭୃତି କାବ୍ୟମାନଙ୍କରେ ପାତ୍ରପାତ୍ରୀଙ୍କର ଆଚରଣର ଅସଙ୍ଗତି ଉଲ୍ଲେଖ କରି କେହି କେହି ସମାଲୋଚକ ରାଧାନାଥଙ୍କୁ କଟୁ ସମାଲୋଚନା କରିଥାନ୍ତି । କିନ୍ତୁ ‘ଚିଲିକା’ରେ ରାଧାନାଥ ଯେପରି ଉଦ୍ଦାମ ସ୍ୱଦେଶ ପ୍ରେମର ପରିଚୟ ପ୍ରଦାନ କରିଛନ୍ତି, ତହିଁରୁ ରାଧାନାଥଙ୍କୁ ଯଥାର୍ଥରେ ଜାତୀୟତାର ଆଦ୍ୟ ପ୍ରତିଷ୍ଠାତା ବୋଲି ସ୍ୱୀକାର କରାଯାଇପାରେ ।

 

କବିଙ୍କର ସ୍ୱଜନ୍ମଭୂମି ଉତ୍କଳଜନନୀ ପ୍ରତି ଥିଲା ଅସୀମ ମମତା ଓ ଭକ୍ତି । କିନ୍ତୁ କାଳିଦାସ ପ୍ରଭୃତି ମହାକବିମାନଙ୍କ ଗ୍ରନ୍ଥରେ ଉତ୍କଳର କୌଣସି ସ୍ଥାନ ବା ଦୃଶ୍ୟର ଉଲ୍ଲେଖ ନଥିବାରୁ ତାଙ୍କ ମନରେ ଜନ୍ମି ଥିଲା କ୍ଷୋଭ ଓ ଅଭିମାନ । ତେଣୁ ସିଧାସଳଖ ସେ ଏ କଥା ଉଲ୍ଲେଖ କରି ‘ଚିଲିକା’ରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି–

 

‘‘କ୍ଷୁଦ୍ର ସିପ୍ରାସ୍ରୋତ ବିଖ୍ୟାତ ଜଗତେ,

ମହାନଦୀ ନାମ ରହିଲା ଗୁପତେ ।’’

 

ଉତ୍କଳରେ ଚିଲିକା ଏକ ଉପେକ୍ଷିତ ଓ ବିବିକ୍ତ ଜଳାଶୟ ମାତ୍ର । ତାହା ଯୁଗ ଯୁଗ ଧରି ଲୋକସାଧାରଣରେ ବ୍ୟାପକ ଭାବରେ ଅଜ୍ଞାନ ଥିଲେ ହେଁ, କବିବର ହିଁ ସର୍ବପ୍ରଥମେ ତାକୁ କାବ୍ୟ ରୂପରେ କଲେ ଅବତୀର୍ଣ୍ଣ । ଏହି ଚିଲିକାରେ ସେ ଭରି ଦେଇଛନ୍ତି ଅପୂର୍ବ ପ୍ରାଣପ୍ରବାହ । କବିଙ୍କ ଦୃଷ୍ଟିରେ ଏହାର ରୂପ ସୌନ୍ଦର୍ଯ୍ୟ ଭାରତବର୍ଷର ଯେକୌଣସି ପ୍ରାନ୍ତର, ଯେକୌଣସି ଦୃଶ୍ୟ ଅପେକ୍ଷା ମଧ୍ୟ ମହତ୍ତର ଓ ସୁନ୍ଦରତର । ମର୍ତ୍ତ୍ୟଲୋକରେ ଏହାର ସମକକ୍ଷ ଦୃଶ୍ୟବିଭବ ଅଗୋଚର ଓ ଅତୁଳନୀୟ ମନେକରି କବି ଲେଖିଛନ୍ତି-

 

ଆହା ଏ ଶୋଭାର କାହିଁ ପଟାନ୍ତର,

ଥିଲେ ଥିବ ସ୍ୱର୍ଗେ ମର୍ତ୍ତ୍ୟେ ଅଗୋଚର ।’’

 

ପୁନଶ୍ଚ ଏହାର ବିଭବକୁ ଅନିର୍ବଚନୀୟ ମନେକରି କବି ଲେଖିଛନ୍ତି–

 

‘‘ବଚନ ବିଷୟ ନୁହଇ ଏ ଛବି

ହୃଦ ସେ କେବଳ ପାରେ ଅନୁଭବି ।’’

 

କେବଳ ଚିଲିକା ନୁହେଁ, ପ୍ରସଙ୍ଗକ୍ରମେ କବି ଉତ୍କଳର ବହୁ ନଦନଦୀ, ପର୍ବତ ଓ ତୀର୍ଥସ୍ଥାନର ମହନୀୟତା ଉଲ୍ଲେଖ କରି ସେମାନଙ୍କୁ ଏହି କାବ୍ୟସ୍ତରରେ ସମ୍ମାନିତ କରିଛନ୍ତି । ବହୁ ଦେବଦେବୀ, ନୀଳାଚଳକ୍ଷେତ୍ର ଓ ଲକ୍ଷ୍ମୀ ରୋଷଘର ପ୍ରଭୃତିକୁ କବି ଏହି କାବ୍ୟରେ ଉଲ୍ଲେଖ କରି ଉତ୍କଳ ପ୍ରତି ନିଜ ପ୍ରେମ ଓ ଅନୁରାଗର ପରିଚୟ ପ୍ରଦାନ କରିଛନ୍ତି ।

 

ଉତ୍କଳର ଇତିହାସ ତାଙ୍କ ଜାତୀୟତାର ଅନ୍ୟତମ ଉତ୍ସ । ଏକ ଗୌରବାବହ ଘଟଣା କାଞ୍ଚି ଅଭିଯାନ ପ୍ରସଙ୍ଗରେ ଚିତ୍ରଣ ବେଳେ କବି ନିଜର ଅପୂର୍ବ ଜାତିପ୍ରୀତି ଓ ରାଜଭକ୍ତିର ପ୍ରକଟନ କରିଛନ୍ତି ।

 

ଉତ୍କଳର କବି ଓ ଐତିହାସିକ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଜଣାଇ ସର୍ବପ୍ରଥମେ ପ୍ରତିଭାପୂଜାରେ ପରମ୍ପରା ସୃଷ୍ଟିକଲେ କବିବର ରାଧାନାଥ । ଉତ୍କଳର ବିଖ୍ୟାତ ଗୀତିକବି ବଳଦେବ ରଥଙ୍କ ସମ୍ପର୍କରେ କବି ଲେଖିଛନ୍ତି–

 

‘‘ଧନ୍ୟ ରଥେ ତୁମ ଜନ୍ମ ଶୁଭକ୍ଷଣେ,

ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ ।’’

 

ପୁନଶ୍ଚ କବିସମ୍ରାଟ ଭଞ୍ଜଙ୍କର ପ୍ରତିଭା ସ୍ମରଣ କରି ସେ ଲେଖିଛନ୍ତି–

 

‘‘ଭାଗ୍ୟବାନ ବେନି ବାଣୀଙ୍କ କୁମର

କବି ବଳଦେବ ଭଞ୍ଜ ବୀରବର ।

କାହିଁ ସେହି କାହିଁ ମୁହିଁ ଅକିଞ୍ଚନ ?’’

 

ତଦାନୀନ୍ତନ ଉତ୍କଳ, ଉତ୍କଳୀୟ ଓ ଉତ୍କଳ ସାହିତ୍ୟର ଦାରିଦ୍ର୍ୟ ଓ ଦୂରବସ୍ଥା ସନ୍ଦର୍ଶନ କରି କବି ଗଭୀର ଖେଦୋକ୍ତି ପ୍ରକାଶ କରିଛନ୍ତି । ପୁନଶ୍ଚ ଏହି ଦୂରବସ୍ଥାରୁ ମୋଚନ କରିବା ଦିଗରେ ଉଦ୍ୟମ ଆରମ୍ଭ କରିଥିବା ପ୍ରଗତିକାମୀ ମହାରାଜା ଶ୍ରୀ ରାମଚନ୍ଦ୍ର ଦେବ ଓ ସୁଢ଼ଳଦେବଙ୍କୁ ଅଭିନନ୍ଦନ ଜ୍ଞାପନ କରି ସେମାନଙ୍କୁ ଜାତୀୟ ସ୍ୱାର୍ଥସାଧନ ଦିଗରେ ଅନୁପ୍ରେରିତ କରିଅଛନ୍ତି । ସ୍ୱଦେଶର ପ୍ରାକୃତିକ ବିଭବର ଯୋଗ୍ୟ ରୂପାୟନ, ସ୍ୱଜାତିର ଇତିହାସ ଓ ସାରସ୍ୱତ ପ୍ରତିଭା ପ୍ରତି ସସମ୍ମାନ ନିବେଦନ ଜଣାଇ ଆଗାମୀ ଭବିଷ୍ୟତ ପାଇଁ ଉତ୍ସାହ ଓ ପ୍ରେରଣାର ପୃଷ୍ଠଭୂମି ପ୍ରସ୍ତୁତ କରିବା ହିଁ ରାଧାନାଥଙ୍କ ଜାତୀୟତାବାଦର ବୈଶିଷ୍ଟ୍ୟ । ଏହି ବୈଶିଷ୍ଟ୍ୟ ତାଙ୍କର ପ୍ରକଟିତ ହୋଇପାରିଛି ତାଙ୍କର ସକଳ କାବ୍ୟ-କବିତାରେ । ଆଧୁନିକ ଯୁଗର ପ୍ରାକ୍‍କାଳରେ ଉତ୍କଳର ସାହିତ୍ୟକ୍ଷେତ୍ରରେ ତାଙ୍କର ଜାତିପାଇଁ ଅଭିନବ ବାର୍ତ୍ତା ତାଙ୍କୁ କରିପାରିଛି ଚିରସ୍ମରଣୀୟ, ଚିରବନ୍ଦନୀୟ ଓ ଚିର ଅମର ।

 

୮. ଚିଲିକାରେ ପାଣ୍ଡିତ୍ୟ, କବିତ୍ୱ ଓ କଳ୍ପନା

 

ରାଧାନାଥ ଥିଲେ ଓଡ଼ିଆ, ଇଂରାଜୀ, ପାରସୀ, ସଂସ୍କୃତ, ବଙ୍ଗଳାଦି ସାହିତ୍ୟରେ ମହାପଣ୍ଡିତ । ତେଣୁ ବିଭିନ୍ନ ସାହିତ୍ୟ ଭିତରେ ସାରସଂଗ୍ରହ କରି ସେ ନିଜର କାବ୍ୟସାହିତ୍ୟକୁ ସରସ ସୁନ୍ଦର ଓ ଜୀବନ୍ତ କରିବାରେ ଅସ୍ୱାଭାବିକତା ବା ଆଶ୍ଚର୍ଯ୍ୟ କିଛି ନାହିଁ ।

 

ସଂସ୍କୃତ ପୁରାଣ ଓ କାବ୍ୟମାନଙ୍କର ଆଖ୍ୟାନଭାଗ ଏବଂ କେତେକ ସ୍ଥଳରେ କାବ୍ୟପଙ୍‍କ୍ତିର ଛାୟା ମଧ୍ୟ ଚିଲିକା କାବ୍ୟରେ ହୁଏ ପରିଦୃଷ୍ଟ । ‘ରଘୁବଂଶ’ରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନବେଳେ ରାମଚନ୍ଦ୍ରଙ୍କ ମୁଖରେ କାଳିଦାସ ‘ଦ୍ୱରାଦୟଶ୍ଚକ୍ର ନଭସ୍ୟ ତନ୍ୱୀ ତମାଳତାଳୀ ବନରାଜି ନୀଳା’’ ଆଦି ପଙ୍‍କ୍ତିମାନ କୁହାଇଥିଲେ । ରାଧାନାଥ ଲେଖିଛନ୍ତି–

 

‘‘ଯହିଁ ଚକ୍ରବାଳେ ଅୟଶ୍ଚକ୍ର ପ୍ରଭ,

ନୀଳାର୍ଣ୍ଣବ ଦେହେ ଲଗ୍ନ ନୀଳ ନଭ ।’’

 

‘ରଘୁବଂଶ’ର ‘‘ପକ୍ଷଚ୍ଛିଦା ଗୋତ୍ରଭିଦାତ୍ତଗନ୍ଧା’’ ପ୍ରଭୃତି ପଙ୍‍କ୍ତିମାନଙ୍କ ପରି ରାଧାନାଥ ଲେଖିଛନ୍ତି–

 

‘‘ପକ୍ଷଚ୍ଛେଦୀ ଶକ୍ର ଭୟେ କି ଶଇଳେ,

ଲୁଚି ରହିଥିଲେ ତୋହରି ସଲିଳେ ।’’

 

ବାଣଭଟ୍ଟଙ୍କ କାଦମ୍ୱରୀ ଗ୍ରନ୍ଥରେ ଥିବା ଦାକ୍ଷିଣାତ୍ୟର ଅରଣ୍ୟାନୀ, ବିଶେଷତଃ ଦଣ୍ଡକାରଣ୍ୟର ବର୍ଣ୍ଣନାରେ ବିମୁଗ୍‍ଧ ହୋଇ ରାଧାନାଥ ମହାଯାତ୍ରାରେ ଯେପରି ଦଣ୍ଡକାରଣ୍ୟର ବର୍ଣ୍ଣନା ପ୍ରଦାନ କରିଛନ୍ତି, ଚିଲିକାରେ ମଧ୍ୟ ସେହିପରି ସୁନ୍ଦର ବର୍ଣ୍ଣନା ପ୍ରଦାନ କରିଅଛନ୍ତି ।

 

ପୁରାଣ, ଇତିହାସ ଓ ଦର୍ଶନଶାସ୍ତ୍ରରେ କବିଙ୍କର ଥିଲା ଗଭୀର ପ୍ରବେଶ । ତେଣୁ ଦ୍ୱୈତଭାବ, ରକ୍ତବାହୁର ଆକ୍ରମଣ ଓ ଦଧୀଚି ଋଷି ପ୍ରସଙ୍ଗ ଚିଲିକାକୁ ମହନୀୟତା ପ୍ରଦେନ କରିପାରିଅଛି । କବିସୂର୍ଯ୍ୟ ଓ ଉପେନ୍ଦ୍ରଭଞ୍ଜଙ୍କର କବିତାର ଜୟଗାନ କବିଙ୍କର ବିଦ୍‍ବତ୍ତାର ପରିଚାୟକ ମଧ୍ୟ ।

 

ଇଂରେଜୀ ଓଡ଼ (Ode) କବିତାମାନଙ୍କ ଶୈଳୀରେ କବି ଏହି ଚିଲିକା ରଚନା କରିଅଛନ୍ତି ଓ ସ୍ୱୀୟ ବ୍ୟକ୍ତିଗତ ଦୁଃଖ, ନୈରାଶ୍ୟ ଓ ଅନୁଭୂତିମାନ ବର୍ଣ୍ଣନାକ୍ରମେ ପ୍ରକାଶ କରିଯାଇଛନ୍ତି । ବିଖ୍ୟାତ ରୋମାଣ୍ଟିକ କବି ସେଲି ଲେଖିଥିଲେ–

 

‘‘Smiling they go and call life pleasure,

And mine is dealt with another measure’’

 

ରାଧାନାଥ ଲେଖିଛନ୍ତି–

 

ହସି ଖେଳି ସେହୁ ଗମନ୍ତି ସମୟ,

ଜୀଇନ ମଣନ୍ତି ମହୋତ୍ସବମୟ ।

* * *

ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ ।

କବି କୀଟ୍‍ସ (Jhon Keats) ଲେଖିଥିଲେ–

‘‘A thing of beauty is joy for ever,

Its loveliness increases it will never’’

କବିବର ଲେଖିଛନ୍ତି–

‘‘ସୁନ୍ଦର ତୃପ୍ତିର ଅବସାଦ ନାହିଁ

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।’’

ତାହାଛଡ଼ା ‘ଚିଲିକା’ ରଚନାର ପୁରୋଭାଗରେ କବି ଓ୍ୱାର୍ଡ଼ସ୍ୱାର୍ଥ ଓ ଗୋଲଡ଼୍‍ସିଥ୍‍ଙ୍କ କାବ୍ୟକବିତାର ପ୍ରେରଣା ମଧ୍ୟ ରାଧାନାଥଙ୍କୁ କମ୍‍ ଅନୁପ୍ରାଣିତ କରିନାହିଁ । ତାଙ୍କର ପ୍ରକୃତି-ସଚେତନାପାଇଁ ସେ ଓଡ଼ିଶାର ସର୍ବଶ୍ରେଷ୍ଠ ରେମାଣ୍ଟିକ କବି ।

୯. ଉପସଂହାର–

ଏସବୁ ବ୍ୟତୀତ କବିଙ୍କର ସୁଦୂରପ୍ରସାରୀ କଳ୍ପନାବିଳାସ ‘ଚିଲିକା’ର ସ୍ତରେ ସ୍ତରେ ବିଦ୍ୟମାନ । ସେହି କଳ୍ପନାବିଳାସ ବଳରେ ସେ ‘ରାମାଶ୍ରମରେଖା’, ‘ମୈଥିଳୀପାଳିତ’ ‘କୋକୀ ବଂଶଧର’, ‘‘ଦୁଷଣ ତ୍ରିଶିରାଶର ଅଧ୍ୟାସିତ’’, ‘ଦ୍ୱିଜକନ୍ୟା ଲକ୍ଷ୍ମୀ’, ‘ଶ୍ରୀମତୀ ମାଣିକା’ ପ୍ରଭୃତି ବହୁ ପ୍ରସଙ୍ଗର ଅବତାରଣା କରି କାବ୍ୟକୁ ଏକ ମହନୀୟ କୃତୀରେ ପରିଣତ କରାଇ ପାରିଛନ୍ତି । କବିଙ୍କର କବିତ୍ୱ ତାଙ୍କର ଏହି କଳ୍ପନା ସହିତ ପୁରୋଗାମିନୀ । ନିଜର ଆତ୍ମା ଓ ଆନ୍ତରିକତାର ପ୍ରବାହ ଛୁଟାଇ କବି ଚିଲିକାକୁ ତୋଳିଦେଇ ପାରିଛନ୍ତି । ସୀମିତ ସମୟ ଭିତରେ ‘ଚିଲିକା’ର ଶୋଭା ସନ୍ଦର୍ଶନ କରିଥିଲେ ହେଁ, ଦେଶକାଳର ସୀମାରେ ଅତିକ୍ରମ କରି ତାଙ୍କର ଭାବନା ବହୁ ପ୍ରସଙ୍ଗକୁ ଏକତ୍ର ଠୁଳକରି ଦେଇ ପାରିଛି । ବହୁ ପ୍ରସଙ୍ଗ ଭିତରେ ଏକ ଦୃଢ଼ ଯୋଗସୂତ୍ର, ଭାଷା-ବିନ୍ୟାସରେ ସର୍ବତ୍ର ସମତା ଓ ସଙ୍ଗତି, ଚମତ୍କାର ଅଳଙ୍କାର ସଂଯୋଜନା ଓ ବର୍ଣ୍ଣନାଚାତୁରୀ, ଏହି କାବ୍ୟକୁ ଉତ୍କଳ ସାହିତ୍ୟରେ ଅମର ଦୀପ୍ତିରେ ଉଦ୍ଭାସିତ କରିରଖିବ । କବିଙ୍କ ମହାନ୍‍ ପ୍ରତିଭାର ଦ୍ୟୋତକ ଏହି ଚିଲିକା କାବ୍ୟ, ଯାହାର ପ୍ରଭାବରେ ପରବର୍ତ୍ତୀ କାଳରେ କବିବର ଚିନ୍ତାମଣି ମହାନ୍ତି, କବି ଗଙ୍ଗାଧର ଓ କବି ଚନ୍ଦ୍ରମଣି ଦାସ ପ୍ରମୁଖ କାବ୍ୟମାନ ପ୍ରଣୟନ କରିଯାଇଅଛନ୍ତି । କିନ୍ତୁ ‘ଚିଲିକା’ ସେହିପରି ‘ଛବିଳ ଉତ୍କଳେ ତୋ ଛବି ଅତୁଳ ।

Image

 

ଚିଲିକା

 

ଉତ୍କଳ-କମଳା-ବିଳାସ-ଦୀର୍ଘିକା,

ମରାଳମାଳିନୀ ନୀଳାମ୍ୱୁ ଚିଲିକା ।

ଉତ୍କଳର ତୁହି ଚାରୁ ଅଳଙ୍କାର,

ଉତ୍କଳଭୁବନେ ଶୋଭାର ଭଣ୍ଡାର ।

ସ୍ୱଭାବେ ଭାବୁକ-ମାନସ-ଉଲ୍ଲାସୀ

ଦିଗନ୍ତ-ବିସ୍ତାରୀ ତୋର ବାରିରାଶି

ପ୍ରସନ୍ନବଦନା ଉଜ୍ଜ୍ୱଳବରଣା,

ମୁଖଶ୍ରୀ ଦେଖନ୍ତି ଯହିଁ ଦିଗଙ୍ଗନା ।

ନୀଳ ଅଙ୍ଗ ତୋର ଚିତ୍ର ଅନ୍ତରାଳେ,

ନାସି, ନଳବନ, ଶୈଳ, ଦ୍ୱୀପମାଳେ ।

ଦକ୍ଷିଣେ ମିଶିଛି ତୋର ଗର୍ଭେ ଆସି,

ସୌରକରୋଦ୍ଭାସୀ ନୀଳ ରମ୍ଭାନାସି

ବିମାନ ଆକାରେ ଭାସେ ଶତ ଶତ,

ନୀଳୋରସେ ତୋର ଶୈଳ ମାରକତ ।

ପକ୍ଷଚ୍ଛେଦି-ଶକ୍ର ଭୟେ କି ଶଇଳେ,

ଲୁଚି ରହିଥିଲେ ତୋହରି ସଲିଳେ ?

ସନ୍ନିଧି ଲଭିଣ ଭଗବତୀଙ୍କର

ତୋଳିଛନ୍ତି ଗୁଳ୍ମ ଜଟିଳ ଶିଖର ?

ଦେଉଳକିରୀଟୀ କାଳୀଜୟୀ ଗିରି

ମରକତ ସେତୁ ପାୟେ ଯାର ଶିରୀ ।

ଶ୍ୱେତାଙ୍ଗ ଚଡ଼ାଇଗୁହା ସମୁଦ୍‍ଗତ,

ନୀର ବେଦି କିବା ଉଠେ ଐରାବତ ?

ତରଙ୍ଗବେଷ୍ଟିତ କାଙ୍କଣଶିଖରୀ,

ଆଦ୍ୟଫଳେ ଯାର ତରୀ ପର୍ଣ୍ଣ କରି ।

ବର୍ଷେ ବର୍ଷେ ହ୍ରଦବିହାରୀ ଧୀବରେ

ଆଦରେ ପ୍ରେରନ୍ତି ଲକ୍ଷ୍ମୀ-ରୋଷଘରେ ।

ସ୍ଥାନେ ସ୍ଥାନେ ନୀର ଭେଦିଛି ସୈକତ,

ଶାରଦ ଆକାଶେ ଯେହ୍ନେ ଛାୟାପଥ ।

ତାରାପୁଞ୍ଜେ ଯଥା ଶୋଭେ ହରିତାଳୀ,

ପୁଳିନ ତେସନ ଶୁଭ୍ର ଶୁକ୍ତି-ଶାଳୀ ।

ଚାରୁ ତୀର ତୋର ଶୋଭାର ଆଶ୍ରମ,

ଶୈଳ, ଟଙ୍କ, ବନେ ମଧୁର ବିଷମ ।

ଗିରିଖୋଲ, ନାସି, କାନ୍ତାର, କନ୍ଦରା,

ସୁରମ୍ୟ ତଟିନୀ ଜନମନୋହରା ।

ବିକଟ ସଂକଟ ତୁଙ୍ଗ ଶୈଳସାନୁ,

ଗତିପଥେ ଯାହା ପରଶନ୍ତି ଭାନୁ ।

ନୀଳଗଣ୍ଡ ଯାର ଗଭୀର ବିବର,

ଫଣିପତି-ଫଣା-ମଣିରେ ଭାସ୍ୱର ।

ଭଗ୍ନ ଦୁର୍ଗ, ଜରାଜର୍ଜର ଦେଉଳ,

ଶୈବାଳ ଅରଣ୍ୟ-ଲତା-ଗୁଳ୍ମାକୁଳ ।

ମୂର୍ତ୍ତିମତୀ ହୋଇ ଭବଭଙ୍ଗୁରତା,

ପ୍ରତିଧ୍ୱନିଛଳେ କହେ ଯହିଁ କଥା ।

କୁରଙ୍ଗ-କୁରଙ୍ଗୀ-ଚିର-କ୍ରୀଡ଼ାସ୍ଥଳ,

ନବଦୂର୍ବାଦଳ-ଶ୍ୟାମଳ ଶାଦ୍‍ବଳ ।

ବିଶାଳ ପୁଳିନ ମନୋମୋହକରୀ,

ମରୀଚିକା ଯାର ଚିରସହଚରୀ ।

ଦ୍ୱୀପମାଳା ଶସ୍ୟେ ହରିତାୟମାନ,

ଏମାନେ ତୋହର ଶୋଭା-ଉପାଦାନ ।

ଏତେ ଛବି ଯେଣୁ ଏକାଧାରେ ଠୁଳ,

ଛବିଳ ଉତ୍କଳେ ତୋ ଛବି ଅତୁଳ ।

ବହୁଦିନ ଭ୍ରମି ଭ୍ରମି ଅବିରତେ,

ଦେଖିଲଇଁ ନାନାସ୍ଥାନ ଭୂଭାରତେ ।

କି ଉତ୍ତରାଖଣ୍ଡ କି ଦକ୍ଷିଣାପଥ,

ଭ୍ରମିଲି ମୁଁ ଭାଗ୍ୟବଶେ ଚକ୍ରବତ ।

ଭାରତର ରତ୍ନ-ସୀମନ୍ତ-ଅଚଳ

ଦେଖିଲି ହିମାଦି ହିମ-ଉର୍ଜ୍ଜସ୍ୱଳ ।

ପାଦେ କୋଟି କୋଟି ଶିଖରିସମାଜ,

ସର୍ବୋଚ୍ଚେ ଶୋଭନ୍ତି ଶୁଭ୍ର ଶୈଳରାଜ ।

ଶୃଙ୍ଗୋପରି ଶୃଙ୍ଗ ଶୃଙ୍ଗ ତଦୁପରି,

ନୀଳ ବ୍ୟୋମପଟେ ଚିତ୍ର ହେଲା ପରି

ନୀହାର-ମୁକୁଟେ ମସ୍ତକ ମଣ୍ଡିତ;

ସ୍କନ୍ଧେ ଶୋଭେ ଶୁଭ୍ର ଗଙ୍ଗା-ଉପବୀତ ।

ନିସ୍ତବ୍‍ଧ ନୀରବ ସେ ମହାବିଜନେ,

ସନାତନ ଶ୍ୱେତ ତୁଷାର-ଆସନେ ।

ବ୍ୟୋମକେଶ-ମୂର୍ତ୍ତି ଦେଖିଲି ଚମକି,

ପଡ଼ିଲା ସେ ରୂପେ ଚିତ୍ତବୃତ୍ତି ଥକି ।

ମନେ ମନେ କହି ନମିଲି ନୀରବେ,

‘‘ନମୋ ଦେବାତ୍ମନେ ଶ୍ରୀଗୌରୀଗୁରବେ !’’

ରାଜସ୍ଥାନେ ଭ୍ରମି ଭୀମ-ମରୁସ୍ଥଳୀ,

ଦେଖିଲି ଭୀଷଣ ରୁକ୍ଷ ଶୈଳାବଳୀ ।

ନୀର-ତରୁ-ହୀନ, ବନ୍ଧୁର, କର୍କଶ,

କରାଳ ଯେସନ କାଳ ସର୍ବଂକଷ

ଚଣ୍ଡାଂଶୁ-କିରଣେ ଖର ଅତିଶୟ,

ଦରୀଶାୟି-ଭୋଗି-ଶ୍ୱାସେ ବିଷମୟ

ତପ୍ତ-ବାୟୁ ଯହିଁ ପ୍ରଚଣ୍ଡେ ସଞ୍ଚରି,

ପାନ୍ଥ ଆୟୁ ନିଏ ପ୍ରତିପଦେ ହରି ।

ଛାୟାଦାନେ ଦକ୍ଷ ଯହିଁ ନାଗଫେଣୀ,

ନୀରଦାନେ ପୁଣି ମରୀଚିକା-ବେଣୀ ।

ତୃଷାତୁର ରୋଗୀ ଗୃହେ ଯଥା ବସି,

ସ୍ମରେ କମଳିନୀ-ହରିତ ସରସୀ ।

ସେହି ରୁକ୍ଷ ଦୃଶ୍ୟେ ସ୍ନିଗ୍‍ଧ-ଛବି ତୋର

ନେତ୍ରାତିଥି ସ୍ମୃତି କରୁଥିଲା ମୋର ।

ଭ୍ରମିଲି ଭୀଷଣ ବିନ୍ଧ୍ୟାଦ୍ରି-କାନ୍ତର,

ଧୂଆଁଧାରେ ଯହିଁ ହୋଇ ଶତଧାର ।

ଭୈରବ ଆରବେ ରେବା ଦେଇ ଲମ୍ଫ

ଜନମାଏ ଜନ-ମାନସେ ପ୍ରକମ୍ପ ।

ଶୁଭ୍ର ସ୍ୱଚ୍ଛ ପୟଃ-ପ୍ରପାତ-ସୁଭଗା

ହର-ଜଟା-ଭ୍ରଷ୍ଟା-ଯଥା ତ୍ରିପଥଗା ।

ଶୀକର-ଜଳଦେ ବିଭାବସୁକାର,

ସୃଜେ ଯହିଁ ଶକ୍ରଚାପ ମନୋହର ।

ଶୁଣିଲି ଶ୍ରବଣେ ସେ ଭେରବ ରବ,

ଊର୍ଦ୍ଧ୍ୱ ଦେଖିଲି ସେ ଜଳର ତାଣ୍ଡବ ।

ଭ୍ରମିଲି ଦକ୍ଷିଣାପଥେ ଉପତ୍ୟକା,

ଝିଲ୍ଲି-ଝଙ୍କାରିତ ଅଟବୀ ଦଣ୍ଡକା ।

ତୀର୍ଥାଶ୍ରମ, ଗିରି, ତଟିନୀ, କନ୍ଦରା,

ମହାରଣ୍ୟମାଳେ ଚିତ୍ର-କଳେବରା ।

ଦୂଷଣ-ତ୍ରିଶିରା-ଖର-ଅଧ୍ୟାସିତ,

ଜନ୍ମସ୍ଥାନ ଯାର ଥିଲା ସନ୍ନିହିତ ।

ଧାରାସ୍ରାବୀ ଭୀମରାବୀ, ତଡ଼ିଦବନ୍ତ-

ପର୍ଜନେ ଗର୍ଜନେ କମ୍ପିଲେ ଦିଗନ୍ତ ।

ଯହିଁ ମେଘାଲୋକେ ପ୍ରଫୁଲ୍ଲ ଅନ୍ତର,

ମୈଥିଳୀ-ପାଳିତ କେକି-ବଂଶଧର ।

ନୀପେ ନୃତ୍ୟକାରୀ ନୀଳକଣ୍ଠ-କେକା,

ଅଦ୍ୟାପି ସୂଚଇ ରାମାଶ୍ରମରେଖା ।

ଭୀଷଣ କନ୍ଦରା ମଧ୍ୟେ ବସି ତହିଁ,

ଗଦ୍‍ଗଦ ଶବଦେ ଗୋଦାବରୀ ଯହିଁ

କୁହରେ ପଡ଼ୁଛି ଭୃଗୁ ଦେହେ ଝରି,

ତହିଁ କି ଲୋ ତୋତେ ନ ଥିଲି ସୁମରି ?

ବାତ୍ୟା ଆନ୍ଦୋଳିତ ମହାଭୟଙ୍କର,

ଭ୍ରମିଲି ଭୀଷଣ ରାଜ୍ୟେ ବରୁଣର ।

ଯହିଁ ଚକ୍ରବାଳେ ଅୟଶ୍ଚକ୍ରପ୍ରଭ,

ନୀଳାର୍ଣ୍ଣବ-ଦେହେ ଲଗ୍ନ ନୀଳ ନଭଃ ।

ଊର୍ମି ପରେ ଊର୍ମି-ଊର୍ମି ତଦୁପରେ,

ପୋତ ଗ୍ରାସିବାକୁ ଆସୁଥାଇ ଖରେ ।

ସ୍ତବ୍‍ଧଭାବେ ଏହା ମହାଦୃଶ୍ୟମାନ,

ଦେଖିଲି ଭାରତେ ଭ୍ରମି ନାନାସ୍ଥାନ ।

ଭୀଷଣ, ବିରାଟ, ବିକଟ, ଉଦାର,

ଦୃଶ୍ୟ ଦେଖି ହେଲା ବିସ୍ମୟ ଅପାର ।

ଚିତ୍ତବୃତ୍ତି ଗଲା ନିଜ ପଥ ହୁଡ଼ି,

ସତ୍ତା ଗଲା ସେହି ମହାଭାବେ ବୁଡ଼ି ।

ଖର ସୌରକରେ ତାରକା ଯେସନ,

ଅସ୍ମିତା ବିସ୍ମୟ ହେଲା ନିଗମନ ।

ଗୁରୁ ପ୍ରାୟେ ତାଙ୍କୁ ଦୂରୁଁ କରି ଭୀତି,

ସଖୀ ପ୍ରାୟେ ତୋତେ ସ୍ମରୁଥିଲି ନିତି ।

ଇତର ଜନର ଅବସାଦକର,

ଯୋଗୀଋଷିଙ୍କି ସେ ସ୍ଥାନ ମନୋହର ।

ରବି-କରେ ମୁଦ କମଳ ଲଭଇ,

ଝାଉଁଳି ପଡ଼ନ୍ତି ଅନ୍ୟ ପୁଷ୍ପ ତହିଁ ।

ସେହି ପୁଷ୍ପ ପୁଣି ସ୍ନିଗ୍‍ଧ ଶଶିକରେ,

ପିଅନ୍ତି ପୀୟୂଷ ପ୍ରଫୁଲ୍ଲ ଅନ୍ତରେ ।

ତୋ ଛବି ଦର୍ଶନେ ସେହିରୂନେ ମନ,

ଲଭେ ସୁମଧୁର ଶାନ୍ତି ଆସ୍ୱାଦନ ।

ବିରାଟ ନୋହି ତୁ ଯେଣୁ ସୁବୃହତ,

ସ୍ତବ୍‍ଧ ନୋହିଁ ମନ ହୁଅଇ ଉନ୍ନତ ।

ଅବସାଦେ ଅବା ଆତ୍ମବିସ୍ମୃତିରେ,

ବୁଡ଼େ ନାହିଁ ମନ ତୋର ରମ୍ୟ ତୀରେ ।

ସ୍ନିଗ୍‍ଧ ରୂପ ତୋର ଚିତ୍ତ-ଉଲ୍ଲାସକ,

ସୁମଧୁର ଦ୍ୱୈତ-ଭାବର ଦ୍ୟୋତକ ।

ସଙ୍ଗୀତ ତୋହର ଚିର ସହଚର,

ନୀଳବକ୍ଷ ତୋର ସଙ୍ଗୀତେ ମୁଖର ।

ଭାସମାନ ଶ୍ୱେତପ୍ରାସାଦ ଆକାରେ-

ଗାଆନ୍ତି ବିହଙ୍ଗେ ତରଙ୍ଗ-ଦୋଳାରେ

ନୀଳତର କରି ଛାୟାରେ ତୋ ଅଙ୍ଗ,

ଊର୍ଦ୍ଧ୍ୱେ ମେଘାକାରେ ଉଡ଼ନ୍ତି ବିହଙ୍ଗ ।

ପକ୍ଷ ଝାଡ଼ି ଶୂନ୍ୟୁଁ ସ୍ଥିରଲକ୍ଷ୍ୟ ହୋଇ

ଚଳ-ମତ୍ସ୍ୟେ ଚିଲା ମାରନ୍ତି ଗାଙ୍ଗୋଇ ।

କଳା, ନୀଳ, ପୀତ, ହରିତ, ଲୋହିତ-

ବିହଙ୍ଗମେ ଊର୍ମି କାହିଁ ବିମଣ୍ଡିତ ।

ଜଳଦେବୀ କଳକିଙ୍କିଣୀ-ନିକ୍ୱଣ,

ପ୍ରାୟ ଶୁଭୁଥାଇ ଶରାଳି ନିସ୍ୱନ ।

ଯୂଥେ ଯୂଥେ ମତ୍ସ୍ୟ ନିଜ ଶୁଭ୍ରକାନ୍ତି,

ନୀଳ ନୀରେ ଡେଇଁ ଉଲ୍ଲାସେ ଦେଖାନ୍ତି ।

ଧିକ୍‍କାରି ମୁକୁତା-ଶୂକ୍ତି-ବର୍ଣ୍ଣ-ଚ୍ଛଟା,

ଶଳ୍‍କାବୃତ ବପୁ ପ୍ରକଟେ ଭେକଟା ।

ବିଷଦିଗ୍‍ଧ ଶଙ୍କୁ ପ୍ରାୟେ ବହି ପୁଚ୍ଛ,

ଶଙ୍କା ଉପୁଜାଏ ବିକଟ ସାଙ୍କୁଚ ।

ଶିଶୁମାର ଖେଳେ ତରଙ୍ଗେ ଓଲଟି,

ଉଠି ବୁଡ଼ଇ ନ ପଡ଼ୁଁ ନେତ୍ରେ ପଟି ।

କଳାମୁଣ୍ଡ ଜଳେ ଛଟକେ ଦେଖାଇ,

ବୁଲଇ ମଗର ଏଣେ ତେଣେ ଧାଇଁ ।

କୋଟି କୋଟି ଜୀବେ ଲଭନ୍ତି ଜୀବିକା,

ତୋ ଦେହେ ଏ ରୂପେ ବିଚରି, ଚିଲିକା !

କୋଟି କୋଟି ଜୀବେ ଯୋଗାଇ ଆହାର,

ନ ସରଇ ତୋର ଅକ୍ଷୟ ଭଣ୍ଡାର ।

କି ଆଶ୍ରିତ କିବା ଆଗନ୍ତୁକ-ଚୟ,

ନିର୍ବିଶେଷେ ସର୍ବେ ପୂରାନ୍ତି ଆଶ୍ରୟ ।

ଏହି ଯେ ତୋ ନୀଳ-ବକ୍ଷ ତାରକିତ

କରି ବିହରନ୍ତି ହଂସ ଅଗଣିତ ।

କେବଣ ଦେଶୁଁ ଏ ବର୍ଷେ ବର୍ଷେ ଆସି,

କ୍ରୀଡ଼ନ୍ତି ତୋ ଅଙ୍ଗେ ନାନା ରଙ୍ଗେ ଭାସି ?

କଳୁଷିତ-ବାରି-କଳୁଷହାରକ,

କାସାରେ କୁମୁଦ-ହାସ-ପ୍ରକାଶକ ।

ଦକ୍ଷିଣାସା-ବଧୂ ଅବତଂସ ମୋତି,

ମହୋଜ୍ଜ୍ୱଳ କୁମ୍ଭ-ସମୁଦ୍ଭବ ଜ୍ୟୋତି ।

ଉଇଁଲେ ଆକାଶେ, ଆସି ଦଳେ ଦଳେ

ପୂରନ୍ତି ଜଳ ଏ କଳକୋଳାହଳେ ।

ଏମାନେ କି ସହଚର ଶରତର,

ଶରତ ସଙ୍ଗତେ ହୁଅନ୍ତି ଅନ୍ତର ?

ଉଜ୍ଜ୍ୱଳ ଶରତ-ଲକ୍ଷ୍ମୀ-ପରିଜନ-

ପ୍ରାୟ ଦେଶେ ଦେଶେ କରନ୍ତି ଭ୍ରମଣ ।

ଶଶାଙ୍କ-ଧବଳା ନିଶା ଜ୍ୟୋତିଷ୍ମତୀ,

କାଶହାସମୟୀ ସ୍ୱଚ୍ଛ ସ୍ରୋତସ୍ୱତୀ,

ମାଳତୀ-ବିଶଦ ନିବିଡ଼ ନିକୁଞ୍ଜ,

କୁମୁଦ ଧବଳ ସରୋବର-ପୁଞ୍ଜ,

ଲଭି ସ୍ଥିରତର ଶରତ-ପ୍ରସାଦ,

ଏ ସମ୍ପଦର ଏ ଅଟନ୍ତି ଦାୟାଦ ।

ନିଜେ ଶୁଭ୍ର, ଶୁଭ୍ରେ କରନ୍ତି ବିହାର

ଶୁଭ୍ରମୟ ସଦା ଏହାଙ୍କ ସଂସାର ।

ଶୁଭ୍ର ଶରତର ଜୟ-ବୈଜୟନ୍ତୀ-

ପ୍ରାୟେ ପନ୍ତି ବାନ୍ଧି ନଭେ ବିହରନ୍ତି ।

କମଳା-ବିଳାସ-ଭୂମି ତୋର ତୀର,

ଫଳ ଫୁଲ ଶସ୍ୟେ ସଦା ସୁରୁଚିର ।

ନାରୀକେଳ, ପୂଗ, ପନସ, ରସାଳ,

ମୁଚୁକୁନ୍ଦ, ଚମ୍ପା, କେଶର, ତମାଳ,

ଅଶୋକ ବସନ୍ତ-ବିଭବ-ବିକାଶୀ,

କଦମ୍ୱ ଜଳଦ-ଡମ୍ୱର-ବିଳାସୀ ।

ସଦାଶିବପ୍ରିୟ ପବିତ୍ର ଶ୍ରୀଫଳ,

ସଦା ଚଳଦଳ ପବିତ୍ର ପିପ୍‍ପଳ ।

ପୁରାଣ ଶାଳ୍ମଳୀ ସୁବିଶାଳକାୟ,

ଶ୍ୟେନ ଶ୍ୟେନୀ ଯହିଁ ରଚନ୍ତି କୁଲାୟ ।

ଗ୍ରାମଦେବତାଙ୍କ ମଣ୍ଡପ-ବିତାନ,

ସିନ୍ଦୂରିତ ପୁଷ୍ପଗୁଚ୍ଛେ ଗୋଡ଼ିବାଣ ।

ଶିବାଳୟ ଉପକଣ୍ଠେ କନିଅର,

ସୁବର୍ଣ୍ଣ ଚଷକ-ଧର ମଧୁପର ।

କର୍ଣ୍ଣପୂର ରୂପେ ପୁଷ୍ପ ଯାର ଦୋଳେ

ପଲ୍ଲୀ-ବିଳାସିନୀ ଅମଳ କପୋଳେ,

ବୈଦୁର୍ଯ୍ୟ କୀରୀଟ-ଧାରୀ ତୁଙ୍ଗ ତାଳ

ସରୋବର ତୀରେ ଶୋଭେ ମାଳ ମାଳ ।

ମହାନନ୍ଦେ ଯାର ବାହୁଛାୟାଶ୍ରୟେ,

ବାୟା ବାୟାବଧୂ ବସନ୍ତି ନିର୍ଭୟେ ।

ମୂଳେ କାଳରୂପୀ ଭୀଷଣ ଭୁଜଙ୍ଗ-

ଭ୍ରୂକୁଟୀ ନଗଣି କରୁଥାନ୍ତି ରଙ୍ଗ ।

ଡାଳୁ ବିଳମ୍ୱିତ ସ୍ୱର୍ଣ୍ଣବର୍ଣ୍ଣ ଦୋଳେ,

ଦୋଳାନ୍ତି ଶାବକକୂଳେ ସ୍ନେହଭୋଳେ ।

ପଦାଶ୍ରିତ ଜୀବେ ଛାୟା-ପ୍ରଦାୟକ,

କଷ୍ଟ ସହି ପର କଷ୍ଟ-ସଂହାରକ ।

ବଟଦ୍ରୁମ ଯାର ଯୋଗ୍ୟ ପୁତ୍ରବତ,

ଭୂ-ସ୍ପର୍ଶୀ ଓହଳ ସ୍ତମ୍ଭେ ପରିଣତ ।

ମରକତ ପର୍ଣ୍ଣେ, ପଦ୍ମରାଗ ଫଳେ,

ଯା ବିଗ୍ରହ ଗ୍ରାମ-ସୀମାନ୍ତ ଉଜ୍ଜଳେ ।

ମଧ୍ୟାହ୍ନେ ସ୍ଫୁରଇ ଯହିଁ କଳଗିର

ହଳଦିବସନ୍ତ ସଙ୍ଗେ ଗୁଣ୍ଡିଚିର ।

ଏ ଆଦି ପାଦପମାଳେ ଅନ୍ଧାରିତ,

ତୀର-ପଲ୍ଲୀ ତୋର ସ୍ନିଗ୍‍ଧ ପୁଲକିତ ।

ବୃତ୍ତିରେ ପୁଷ୍ପିତ କେତକୀକି ଯହିଁ,

ସମୀରଣ ତୋର ନିରତେ ସେବଇ ।

କେତେଥର ଦେଖିଅଛି ଏହି ମାନ,

ମାତ୍ର ପ୍ରତିଥର ଦିଶେ ଆନ ଆନ ।

ଦୃଷ୍ଟପୂର୍ବ ହୋଇ ଅପୂର୍ବ ପ୍ରତୀତି,

ସୁନ୍ଦରପଣର ଚିରନ୍ତନ ରୀତି ।

ସୁନ୍ଦରେ ତୃପ୍ତିର ଅବସାଦ ନାହିଁ,

ଯେତେ ଦେଖିଲେ ହେଁ ନୂଆ ଦିଶୁଥାଇ ।

ତୋ ପଶ୍ଚିମତୀର ଶୋଭାର ନିଳୟ,

ଦେଖି ନ ରହିବ ଲାଖି କା ହୃଦୟ !

ଶ୍ୟାମଳରୁ କ୍ରମେ ନୀଳ, ନୀଳତର,

ସୋପାନ ସ୍ୱରୂପେ ଦିଶେ ଶୈଳସ୍ତର ।

ଅଭ୍ରଂକଷ ତୁଙ୍ଗ ପ୍ରତୀଚୀ-ପ୍ରାଚେରୀ,

ଶୋଭେ ଶୋଭାମୟ ଭୂଧର ଭାଲେରୀ ।

କ୍ରମନିମ୍ନ ହୋଇ ନୀଳ ଜଳରାଶି,

ଭେଦିଅଛି ଯାର ସୁଶ୍ୟାମଳ ନାସି ।

ଡୋରା ଡୋରା ହୋଇ ପରଶିଛି ଶିଖ,

ଠାବେ ଠାବେ ଯାର ମାର୍ଗ ଗଇରିକ ।

ସୁଶ୍ୟାମଳ ଗୁଳ୍ମ-ଜଟିଳ ଜଟିଆ,

ତୀର ନୀର ଯାର ହୋଇଅଛି ଠିଆ ।

ତିନି ଆଡ଼ୁ ଯାକୁ ତର୍ଜି ବୀଚିଦଳ,

ପ୍ରଚାରନ୍ତି ନିଜ କ୍ଳୀବତ୍ୱ କେବଳ ।

ତଟବନେ ଯାର ରାଜେ ଅନ୍ଧାରୁଆ,

ଜଳଦେବୀଙ୍କର କେଳିଯୋଗ୍ୟ ଗୁହା ।

ପାଷାଣଭେଦୀରେ ମଣ୍ଡିତ ତୋରଣ,

ଶଇବାଳସ୍ତରେ ଭିତ୍ତି ସୁଚିକ୍‍କଣ ।

ବସି ଯହିଁ ହ୍ରଦବାସିନୀ ଅମରୀ,

ସ୍ୱଚ୍ଛ ମୁକ୍ତ ଫଳେ ବାନ୍ଧନ୍ତି କବରୀ ।

ବୃକ୍ଷହୀନ, ଶିଳାରୁକ୍ଷ-କଳେବର,

ସିଂହେଶ୍ୱରଙ୍କର ଯାମଳା ଭୂଧର ।

ବହଇ ସାଳିଆ ପ୍ରସନ୍ନ-ସଲିଳା,

ତଟଦେଶେ ଯାର ଶୈଳ ଘଣ୍ଟଶିଳା ।

ଇନ୍ଦ୍ରନୀଳକାନ୍ତି ବିଶାଳ ଶୋଲରୀ,

ଦେଖି ମୋ ମନକୁ ଆସଇ ଏପରି ।

ଊର୍ଦ୍ଧ୍ୱେ ଉଠନ୍ତି କି ଭେଦିଣ ଅବନୀ,

ମୟବିରଚିତ ଯାନେ ବୈରୋଚନି ?

ଅପରାଜିତାର ନୀଳିମା-ତସ୍କର,

ଦୂରେ ଗିରିରାଜ ରାଜେ ମନୋହର ।

କରିମୁଣ୍ଡାକୃତି ଗିରି ଖଣ୍ଡାହଣା,

କାନ୍ତାରେ ହୁଅନ୍ତି ପାନ୍ଥେ ଯହିଁ ବଣା ।

ମଧ୍ୟାହ୍ନେ ଅନ୍ଧାର ଜିଣଇ ଅଳନ୍ଧୁ,

କନ୍ଧସୀମନ୍ତିନୀ-ବିଶ୍ରାମର ବନ୍ଧୁ ।

ନୀରନ୍ଧ୍ର-ନିବିଡ଼ କୀଚକ ବଣିଆ,

ଅଭ୍ରଂକଷ-ଶିଖ ଗିରି ଗଉଣିଆ ।

ଫଣାଧରାକୃତି ମୈନାକ ଶିଖରୀ,

ଯା ଶିରେ ବସନ୍ତି ରଣପୁରେଶ୍ୱରୀ ।

ବାରୁଣୀ ବଦନେ ଏ ଜରିପଟଳୀ,

ଶୋଭେ ଯେହ୍ନେ ମୃଗମଦ-ପତ୍ରାବଳୀ ।

ପୂର୍ବତୀରୁଁ ତୋର ଆରୋହି ତରଣୀ,

ଆସୁଥିବାବେଳେ, ଏ ତୀର ଅବନୀ ।

ଏହି ଦୃଶ୍ୟାବଳୀ ନିଜ ଚିତ୍ରପଟେ,

ଦର୍ଶକ ନୟନେ କ୍ରମଶଃ ପ୍ରକଟେ ।

କୁହେଳିକା ଭେଦି ଯେହ୍ନେ ଶୈଳକୂଟ,

କ୍ରମେ ହେଉଥାନ୍ତି ନଭେ ପରିସ୍ଫୁଟ ।

ଜଳୋଦ୍‍ଗତ ଇନ୍ଦ୍ରନୀଳର ଗମ୍ୱୁଜ,

ପ୍ରାୟେ ଦିଶୁଥାଇ ଦ୍ୱୀପ-ଶୈଳବ୍ରଜ ।

ଯେତେ ହେଉଥାଇ ତରୀ ଅଗ୍ରସର,

ଅଲଗା ଦିଶନ୍ତି ଲଗ୍ନ ପରସ୍ପର ।

ସୂକ୍ଷ୍ମ ହେଉଥାଏ କ୍ରମେ କ୍ରମେ ସ୍ପୀତ,

ଏକ ବର୍ଣ୍ଣ ନାନା ବର୍ଣ୍ଣେ ବିଭାସିତ ।

ପଲକେ ପଲକେ ହୁଅଇ ପ୍ରକାଶ,

ଛାୟା ଆଲୋକର ଅପୂର୍ବ ବିଳାସ ।

ସାୟନ୍ତନ ଘନ ଖେଳଇ ଗଗନେ,

ସୂର୍ଯ୍ୟାସ୍ତର ଐନ୍ଦ୍ରଜାଲିକା ବରଣେ ।

ଠାବେ ଠାବେ ଅଭ୍ରଖଣ୍ଡ ସ୍ୱର୍ଣ୍ଣକାନ୍ତି,

ଶିର ତୋଳି ଶୈଳଶିଖୁଁ ଝାଙ୍କୁଥାନ୍ତି ।

ଶୋଭାରାଶି ଫୁଟି ଅନ୍ତରୀକ୍ଷେ ସ୍ଥଳେ,

ତହୁଁ ତୋ ତରଳବକ୍ଷେ ପ୍ରତିଫଳେ ।

ଆହା ଏ ଶୋଭାର କାହିଁ ପଟାନ୍ତର ?

ଥିଲେ ଥିବ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର ।

ପାସୋରିବ ଦେଖି, କହ କେହୁ ଜନ,

ଏ ଶୋକପାସୋରା ଅପ୍‍ସରାଭୁବନ ?

ଭାରତୀ-ଭକତ କେଉଁ ରୂପପାୟୀ,

ତୃପ୍ତ ହେବ ଏହା ଥରେ ମାତ୍ର ଧ୍ୟାୟୀ ?

ବଚନ-ବିଷୟ ନୁହଇ ଏ ଛବି,

ହୃଦ ସେ କେବଳ ପାରେ ଅନୁଭବି ।

ନାନା ତୀର୍ଥଜଳ ଆସି ଦିବା-ନିଶି,

ପୂତ କରେ ତୋର ଅଙ୍ଗ ତହିଁ ମିଶି ।

ସର୍ବ ଦେବ-ଦେବୀ ସ୍ନାନେ ପବିତ୍ରିତ,

ନୀଳାଚଳ-ପାଦ ବହେ ଯେ ସରିତ ।

ପୁନ୍ନାଗ-ଅରଣ୍ୟ-ଲକ୍ଷ୍ମୀ-ଦରପଣ,

ତେଜଃପୁଞ୍ଜ-ଭୃଗୁ-ପ୍ରଭାବେ ପ୍ଳାବନ ।

ଭାର୍ଗବୀ, ସ୍ୱର୍ଗର ସୁଗମ ନିଃଶ୍ରେଣୀ

ମନୋହର ଯାର ନୀଳ-ନୀରବେଣୀ ।

ସ୍ନାନକାଳେ ଦ୍ୱିଜକୁମାରୀନିଚୟ-

ମୁଖେ ଦିଶେ ହେବ-ତାମରସମୟ ।

ମଞ୍ଜୁ ଛୁରୀଅନା-କୁଞ୍ଜ-ବିହାରିଣୀ

ସାକ୍ଷି-ଗୋପୀନାଥ ହୃଦୟହାରିଣୀ ।

ଦ୍ୱିଜକନ୍ୟା ଲକ୍ଷ୍ମୀ-ସ୍ନାନେ ପୁଣ୍ୟନୀରା,

ସୌଗନ୍ଧିକ-ଗନ୍ଧେ ଚାରୁ ରତ୍ନଚିରା ।

ଦୟା-ବୀର ଧୀର ମୁନୀନ୍ଦ୍ର ଦଧୀଚି-

ଅଭିଷେକଫଳେ ପୂତ ଯାର ବୀଚି ।

ଭବତଳେ ବିଭୁ-ଦୟା ମୂର୍ତ୍ତିମତୀ,

ଧଉଳୀଦର୍ପଣ ଦୟା-ସ୍ରୋତସ୍ୱତୀ ।

ଭୁବନେଶ୍ୱରୀଙ୍କ କେଳି ଉପବନ,

କିଶଳୟ-ତାମ୍ର ଏକାମ୍ର କାନନ-

ଦ୍ରୁମରାଜି-ଛାୟା-ଅନ୍ଧାର ଯାହାର

ମୃଦୁ କଳନାଦେ ବହେ ସ୍ୱଚ୍ଛ ଧାର ।

ନଦୀ-ମନ୍ଦାକିନୀ ଅମନ୍ଦଗାମିନୀ,

ରଣପୁର-ରାଷ୍ଟ୍ର-ବନବିହାରିଣୀ,

ଏ ଆଦି ବିବିଧ ପୁଣ୍ୟତୀର୍ଥ-ସଙ୍ଗ

ଲଭି ପରିପୁଷ୍ଟ ତୋର ନୀଳ ଅଙ୍ଗ

ନିଜେ ତୀର୍ଥେଶ୍ୱର ସର୍ବ ତୀର୍ଥାଶୟ

ତୋ ସଙ୍ଗେ କରନ୍ତି ନୀର-ବିନିମୟ ।

ପବିତ୍ର ସୁନ୍ଦର, ସୁନ୍ଦର ପାବନ,

ତୋଠାରେ ହୋଇଛି ଏହା ସଂଘଟନ,

ତେଣୁ ସିନା ତୋର ତୀର-ଦ୍ୱୀପାବଳୀ,

ଦେବ-ଦେବୀଙ୍କର ପ୍ରିୟ ବାସସ୍ଥଳୀ ।

ତେଣୁ ସିନା ତାରା, ଚଣ୍ଡୀ ଭଗବତୀ

ସରାଗେ ତୋ ତୀରେ ବିହିଲେ ବସତି ।

ତେଣୁ ନାଗେଶ୍ୱର ନିକୁଞ୍ଜ-ବିଳାସୀ

ପ୍ରଭୁ ଚଣ୍ଡେଶ୍ୱର ତୋ ତୀରନିବାସୀ ।

ତୋ ଦର୍ଶନେ କ୍ଷୁଦ୍ର ମନୁଷ୍ୟର ଚିତ୍ତ,

ଦେଶେ କାଳେ ହୁଏ ଦୂର-ବିସ୍ଫାରିତ ।

ଅତୀତର ତୁହି ସାକ୍ଷୀ ପୁରାତନ,

ଦେଖିଲୁ ନରର ଉତ୍‍ଥାନ ପତନ ।

କେତେ ରାଜଧାନୀ ତୋ ତୀରେ ଉତ୍‍ଥିତ

ହୋଇ ତହିଁ ପୁଣି ହେଲେ ଅସ୍ତମିତ ।

ଧୋଉଅଛି ତୋର ନୀଳ ଊର୍ମିମାଳ,

ଏବେ ତାଙ୍କ କାଳ-ଚର୍ବିତ କଙ୍କାଳ ।

କେତେ ରାଜା, କେତେ ଦିଗ୍‍ବିଜୟୀ ବୀର,

ଆଲୋଡ଼ିଲେ ତୋର ସ୍ନିଗ୍‍ଧ ନୀଳ ନୀର ।

ତୋ ଆକାଶ ପୂରି ଜୟବାଦ୍ୟରୋଳେ,

ଉଡ଼ାଇ ବାନା ତୋ ପବନ ହିଲ୍ଲୋଳେ ।

ସଦମ୍ଭେ ବାହିଲେ ତୋର ବକ୍ଷେ ତରୀ,

ଅକ୍ଷୟ ଯଶର ଆଶା ବକ୍ଷେ ଧରି ।

ଅଭିଯାନେ ତାଙ୍କ ତରୀ-ମେରୁଦଣ୍ଡେ,

ଯେ ରେଖା ପଡ଼ିଲା ତୋର ନୀଳଗଣ୍ଡେ

ସେହି ରେଖା ପ୍ରାୟେ ତାଙ୍କ ଯଶମାନ,

ଜାତ ମାତ୍ରେ ସିନା ହେଲା ଅନ୍ତର୍ଦ୍ଧାନ !

ବୃଥା ହାଣି, ଆହା, ଲକ୍ଷ ଲକ୍ଷ ମଥା !

କେତେଦିନ ପାଇଁ କଲେ କେତେ କଥା

ଯଶରଙ୍କ ହୋଇ ପଦାଙ୍କ ସେ ବୀରେ,

ରଖି ପାରିଲେ କି ଯଶ-ପଦବୀରେ

ସୁଲଭ ଯେ ଲାଞ୍ଚ-ବନ୍ଦିକୁଳଯଶଃ,

କାଳ କି ସେ ଲାଞ୍ଚେ କେବେ ହୁଏ ବଶ ?

ଇତିହାସ-ରଙ୍ଗସ୍ଥଳୀ ତୁ ଚିଲିକା,

ତୋର ତୀରେ ପରା ଶ୍ରୀମତୀ ମାଣିକା-

ହସ୍ତେ ଭୁଞ୍ଜିଥିଲେ ସାଦରେ ଲବଣୀ,

ଭାବଗ୍ରାହୀ ପ୍ରଭୁ ଭକ୍ତଚିନ୍ତାମଣି ।

ଦିନେ ତୋର ତୀରେ ବସି ନିକାଞ୍ଚନେ,

କାଞ୍ଚି ଯାତ୍ରା କଥା ପଡ଼ିଗଲା ମନେ ।

ସ୍ୱପ୍ନେ ଭାସି କାଳସ୍ରୋତ ପ୍ରତି-ଲୋମେ,

ଦେଖିଲି ଅମରୀ ବିରାଜିତ ବ୍ୟୋମେ ।

ଧରନ୍ତି କଳ୍ପନା ନାମ ସେ ସୁନ୍ଦରୀ,

ବୀଣାପାଣିଙ୍କର ଚିରସହଚରୀ ।

ଭକ୍ତିଭାବେ ତାଙ୍କୁ କଲି ଆରାଧାନା,

ଦିବ୍ୟଚକ୍ଷୁ ମୋତେ ଦେଲେ ଚନ୍ଦ୍ରାନନା ।

ଦେଖିଲି ଦୃଶ୍ୟ ମୁଁ ବସି ତୋର ତଟେ,

ଲାଖି ରହିଛି ଯା ସଦା ସ୍ମୃତି-ପଟେ ।

ସମୀରେ ଅଝାଲ-ମାଳ-ସ୍ଫୀତ କରି,

ଦକ୍ଷିଣୁ ଆସିଲା ଶତ ଶତ ତରୀ ।

ତରୀରେ ଆସୀନ ସୈନିକ-ନିକର,

ସୌର-କରେ ବର୍ମ ଆୟୁଧ ଭାସ୍ୱର ।

ସ୍ୱର୍ଣ୍ଣ-ସୁଦର୍ଶନ-ଲାଞ୍ଛନେ ଲାଞ୍ଛିତ,

ଲୋହିତ ପତାକା ବାତେ ଆନ୍ଦୋଳିତ ।

ତାଳେ ତାଳେ ପଡ଼ି ତୋ ବକ୍ଷେ କ୍ଷେପଣୀ,

ଉଠଇ ଗମ୍ଭୀର ଜୟଗୀତ-ଧ୍ୱନି ।

ମଧ୍ୟେ ଶୋହେ ତରୀ ଅତି ମନୋହର,

ଗଜଦନ୍ତେ ଗଢ଼ା ଯାର କଳେବର ।

ରଙ୍ଗ ଚନ୍ଦ୍ରାତପ ସ୍ୱର୍ଣ୍ଣ-ତାରକିତ,

ସ୍ଫଟିକ ଯଷ୍ଟିରେ ଊର୍ଦ୍ଧ୍ୱେ ବିଲମ୍ୱିତ ।

ଚନ୍ଦ୍ରାତପ ତଳେ ଝୁଲଇ ମଞ୍ଜୁଳ-

ଝାଲର ପରାଏ ପତ୍ର ସଙ୍ଗେ ଫୁଲ ।

ତହିଁ ସିଂହାସନେ ସୁନ୍ଦରୀ ଆସୀନା,

ଜଗତେ ତୁଳନା ସେହି ତାର ସିନା ।

ପାରିଜାତ-କୁଞ୍ଜେ ଇନ୍ଦିରା ସୁନ୍ଦରୀ,

ସମୁଦ୍ରମନ୍ଥକୁ ବାହାରିଲା ପରି ।

ମ୍ଳାନ ମୁଖଚ୍ଛବି ବିଷାଦ ରେଖାରେ ?

ଭ୍ରୂଲତା ଅଙ୍କାର ଲଜ୍ଜା ତୂଳିକାରେ ?

ଭ୍ରୂମଧ୍ୟେ କୁଙ୍କୁମ ବିନ୍ଦୁ ସୁମଧୁର,

ବେନି କର୍ଣ୍ଣେ ଶୋହେ ମଣିକର୍ଣ୍ଣପୂର ।

ବୈପରୀତ୍ୟେ ଦ୍ୟୁତି ବଢ଼ାଇ ବିଶେଷେ,

କୃଷ୍ଣ କେଶପାଶ ଦୋଳେ ପୃଷ୍ଠାଦେଶେ ।

ଗନ୍ଧାମୋଦେ ଅନ୍ଧ ହୋଇ ଅଳିକୁଳ,

ଗୁଞ୍ଜରି ବାମାକୁ କରନ୍ତି ଆକୁଳ ।

ବରଭୁଜେ ଚାଳି ଲୀଳା ଅରବିନ୍ଦ,

ସମ୍ଭ୍ରମେ ସୁନ୍ଦରୀ ତଡ଼ଇ ମିଳିନ୍ଦ ।

ମଣ୍ଡାଇ ସୁନୀଳ ନେତ୍ର ପଙ୍କଜାସ୍ୟେ,

ଅଯତ୍ନମଣ୍ଡନ ଚଳଭୂରୁ ଲାସ୍ୟେ ।

ବରଭୁଜେ ଧରି ରଜତ କ୍ଷେପଣୀ,

ତରୁଣୀଏ ମିଳି ବାହାନ୍ତି ତରଣୀ ।

କ୍ଷେପଣୀ କ୍ଷେପଣେ ତୋହରି ସଲିଳେ,

ହୀରକର ଉତ୍ସ ଉଠିଲା ସଲିଳେ ।

ସୁନ୍ଦରୀର ନେତ୍ର ଶୋଭା ଅନୁକରି,

ତୋ ଜଳେ ସ୍ଫୁରିଲେ ରଜତ ଶଫରୀ ।

ନୀଳିମାରେ ବାମା ଚାରୁ କେଶପାଶ,

ତୋ ନୀଳ ବୀଚିକି କଲା ଉପହାସ ।

ତେଣୁ କି ତରଙ୍ଗେ ଅପମାନ ଭରେ,

ଶିର ପିଟୁଥିଲେ ତରଣୀ ପଞ୍ଜରେ ?

କାମିନୀ ଚିକୁରେ କୁସୁମ ମୁକୁଟେ,

କମଳ ପାଖୁଡ଼ା ବାତେ ପଡ଼େ ଉଠେ ।

ସୁନ୍ଦରୀର ତରୀ ସମ ବିଭୂଷିତ,

ଗଜଦନ୍ତ ଗଢ଼ା ଅପର ବୋଇତ ।

ସମସଂଖ୍ୟା ଯୁବା ବର୍ମୋଜ୍ଜ୍ୱଳ ଅଙ୍ଗ,

ତରୀଦନ୍ତେ ରଙ୍ଗେ କାଟନ୍ତି ତରଙ୍ଗ ।

ତଥିପରେ ମଣ୍ଡିଛନ୍ତି ସିଂହାସନ,

ଯୁବା ଦେବାକୃତି, ସିଂହ ସିଂହାସନ ।

ବଦନଶ୍ରୀ ତେଜ-ଗାମ୍ଭୀର୍ଯ୍ୟ-ବ୍ୟଞ୍ଜକ,

କୃପାଣ ପାଣିରେ କରେ ଜକ ଜକ ।

ମୂର୍ତ୍ତି ପରିଗ୍ରହ ଉଦେ କି ସାହସ ?

କିମ୍ୱା କ୍ଷାତ୍ରକର୍ମ କିମ୍ୱା ବୀରରସ ?

ଋଷିକୁଲ୍ୟା-ତଟୂଁ ସୁବର୍ଣ୍ଣତଟିନୀ-

ଯାଏ ଛାୟା ଯାର ବ୍ୟାପଇ ମେଦିନୀ ।

ଶିରପରେ ଶୋହି ସେହି ସ୍ୱର୍ଣ୍ଣଛତି,

ଚିହ୍ନାଇ ଦେଉଛି ଉତ୍କଳର ପତି ।

ତୀରେ ଦୁର୍ଗଶିରେ ଶସ୍ତ୍ର କରେ ଧରି,

ଦେଖୁଥିଲେ ଦୃଶ୍ୟ ସମ୍ଭ୍ରମେ ପ୍ରହରୀ ।

ଗିରିବାସୀ ଯେତେ ସାମନ୍ତ ପ୍ରଧାନ,

ଡଗରା ସଂବାଦେ ଆଗୁଁ ସାବଧାନ ।

ହୋଇ ଦଳେ ଦଳେ ଥିଲେ ଉପସ୍ଥିତ,

ଦେଖି ବାନା ବିଷ୍ଣୁ-ଆୟୁଧ-ଲାଞ୍ଛିତ ।

ମସ୍ତକ ନୁଆଇଁ ସର୍ବେ କଲେ ନତି,

ପାଶେ ଆସିବାରୁ ତରଣୀ ପଙ୍କତି ।

ଗାଇଲେ ମଧୁର କଣ୍ଠେ-ବନ୍ଦିଦଳେ,

‘‘ହେ ବିଶ୍ୱସୁନ୍ଦରି ! ସ୍ୱାଗତ ଉତ୍କଳେ ।

ଜୟ କାଞ୍ଚିଜେମା ବିଶ୍ୱମନୋରମା,

ବିରଞ୍ଚି ସୃଷ୍ଟିରେ ଶୋଭାର ଉପମା ।

ତୁମ୍ଭ ଆଗମନେ ପବିତ୍ର ଉତ୍କଳ,

ଜାହ୍ନବୀ-ପରଶେ ଯେହ୍ନେ ଧରାତଳ ।

ଶୋଭିବ ଉତ୍କଳ ସଦ୍ମେ ସଦାଶୟା,

ସରେ ଯଥା ପଦ୍ମ ପଦ୍ମେ ପଦ୍ମାଳୟା ।

ଜୟ ଅରିନ୍ଦମ ଶ୍ରୀପୁରୁଷୋତ୍ତମ,

ବିଶ୍ୱେ ତୁମ୍ଭେ ବିଶ୍ୱ-ରକ୍ଷା-ବ୍ରତ କ୍ଷମ ।

ଲଭିଲ ଦେଖାଇ ଜଗତେ ଯୋଗ୍ୟତା,

ସତ୍‍କ୍ରିୟାରୂପେ ଏ ରୂପ କଳ୍ପଲତା ।

ସୁନ୍ଦର ମଧୁର ବେନିଙ୍କ ମିଳନ,

ଶୌର୍ଯ୍ୟ ସଙ୍ଗେ ଆହା ସୌନ୍ଦର୍ଯ୍ୟ ଯେସନ ।

ଚିତ୍ରା ସାଙ୍ଗେ ଏବେ ମିଳିଲେ ଚନ୍ଦ୍ରମା,

ଶ୍ରୀପତି ସହିତେ ଲୋକମାତା ରମା

ବେନିଙ୍କ ସୃଜନେ ବିରଞ୍ଚି-କୌଶଳ;

ହେଲା ବେନିଙ୍କର ମିଳନେ ସଫଳ ।’’

ବନ୍ଦାପନା ଅନ୍ତେ ବାଦିତ୍ର-ଶବଦ,

ଉଠିଲା କମ୍ପାଇ ମହୀ, ବିଷ୍ଣୁ ପଦ ।

ତୀରେ ଗିରିଗୁହା ଯୋଗ ଦେଲେ ତହିଁ,

ସମୀର ନେଲା ତା ଦିଗେ ଦିଗେ ବହି ।

ସେ ଉତ୍ସବେ ହୋଇ ହରଷେ ଉତ୍ତାଳ,

ଚିଲିକା ! ତୋ ବୀଚି ତହିଁ ଦେଲେ ତାଳ ।

ସେ ଘୋର ଆଧ୍ମାନେ ଭାଙ୍ଗିଗଲା ଧ୍ୟାନ,

ଧ୍ୟାନ ସଙ୍ଗେ ଦୃଶ୍ୟ ହେଲା ଅନ୍ତର୍ଦ୍ଧାନ

ଜାଣିଲି ସେ ସବୁ କଳ୍ପନାକୌଶଳ,

ଫେଡ଼ନ୍ତେ ନୟନ ଦେଖିଲି କେବଳ,

ଅନନ୍ତ-ନୀଳିମା ଦ୍ୟୁତି-ବିଭାସିତ,

ତୋ ଅମର-ସତ୍ତା ଅଗ୍ରେ ବିରାଜିତ ।

ରୁଦ୍ରମୂର୍ତ୍ତି ତୋର ରଖୁ ତୁ ଘୋଡ଼ାଇ,

ଦୁରନ୍ତ ଉତ୍କଳ-ପରିପନ୍ଥୀ ପାଇଁ ।

ସୂର୍ଯ୍ୟକାନ୍ତ ଯଥା ପରଶେ ଶୀତଳ,

ତେଜସ୍ୱୀ ଦର୍ଶନେ ହୁଏ ଊର୍ଜସ୍ୱଳ ।

ଶତ୍ରୁ ଦେଖି ତୁହି ସେରୂପେ ଚିଲିକା,

ପ୍ରକଟୁ ପ୍ରଚ୍ଛନ୍ନ ଶକ୍ତି ମାରାତ୍ମିକା ।

ସେହି ମୂର୍ତ୍ତି ତୋର ଉତ୍କଳେ ଚଢ଼ାଉ-

କରି ଦେଖିଥିଲା ଦୈତ୍ୟ ରକ୍ତବାହୁ ।

ତମୋଗୁଣେ ଭଜି ଆୟୂଧ ପିଶାଚୀ

ମନୁଷ୍ୟକୁ ଯେହୁ ମଣୁଥିଲା ମାଛି ।

ଉତ୍କଳପତ୍ତନ କରି ଭସ୍ମୀଭୂତ,

ନରରକ୍ତେ ଧରା କରି ପରିପ୍ଳୁତ ।

ସର୍ବରତ୍ନପ୍ରସୁ ଭାରତର ସାର,

ହଠେ ଲୁଟି କରି ଶ୍ରୀକୋଠ ଭଣ୍ଡାର ।

ବିଜୟ-ଉଲ୍ଲାସ-ମଦେ ବାହି ତରୀ,

ବାହୁଡ଼ିଲା ଯେବେ ସ୍ୱଦେଶେ ମତ୍ସରୀ ।

ତା ଉଲ୍ଲାସ-ଗୀତ ତୋହରି ପ୍ରତାପେ,

ପରିଣତ ହେଲା ପଲକେ ବିଳାପେ ।

ଉତ୍ତରଳେ ଯାଇ ଓଗାଳିଲୁ ବାଟ,

ଆକାଶ ପାତାଳ ଛାଡ଼ିଲେ କୁହାଟ ।

କାଳିଜାୟୀ ଶୈଳେ ଦେବୀ ହୈମବତୀ,

ଉଭା ହୋଇ କଲେ ସଙ୍କେତ ତୋ ପ୍ରତି ।

ଫିଙ୍ଗି ତୋ ତରଙ୍ଗେ ସୁବର୍ଣ୍ଣ ତ୍ରିଶୁଳ,

ସେ ସଙ୍କେତ ଫେନଚୂଡ଼ ଊର୍ମିକୁଳ ।

ଉତ୍କେଶର ଦେବୀ-ବାହାନ କେଶରୀ-

ପ୍ରାୟେ ଦଉଡ଼ିଲେ ଗ୍ରାସିବାକୁ ତରୀ ।

ତୋ ଇଙ୍ଗିତେ ସଙ୍ଗେ ଘେନି ଊର୍ମିଥାଟ,

ଦଉଡ଼ି ଆସିଲେ ନୀଳାମ୍ୱୁ-ସମ୍ରାଟ ।

ବିଶ୍ୱ-ଧ୍ୱଂସି-ରୂଦ୍ର-ପ୍ରଖର-ନିଶ୍ୱାସ-

ପରାୟେ ବହିଲା ବାୟୂ ଅଣଞ୍ଚାଶ ।

ଦୈତ୍ୟହନ୍ତା ବଜ୍ରୀ ଭୀମ-ବଜ୍ରକରେ

ଜୀମୂତ-ବାହନେ ଉଇଁଲେ ଅମ୍ୱରେ ।

ଦମ୍ଭୋଳି ସେକାଳେ କଲା ଘୋର ଧ୍ୱନି,

ଥରହର ହୋଇ କମ୍ପିଲା ଅବନୀ ।

ଥରହର କମ୍ପି ଅବନୀ-ସଙ୍ଗତେ

ପର୍ବତକୁ ଡକା ଛାଡ଼ିଲେ ପର୍ବତେ ।

ଭାଲେରୀ କହିଲା ଶୋଲରୀକି ରାଇ,

ଗଲା ସେ ଆରାବ ଶୃଙ୍ଗୁ ଶୃଙ୍ଗେ ଧାଇଁ ।

ତୋ ଉର ଦର୍ପଣେ ସଘନେ ବିମ୍ୱିତ,

ହୋଇ ଚମକିଲା ଜୀମୂତେ ତଡ଼ିତ ।

ଦେଖାଇଦେଲା ତୋ ସଂହାର-ମୂରତି,

ପ୍ରକୃତିର ସେହି କରାଳ-ଆରତି ।

ଯା ଦେଖି ଆତଙ୍କେ ଦୈତ୍ୟ-ଆଖଣ୍ଡଳ,

ବିଫଳ ମଣିଲା ନିଜ ଭୁଜବଳ ।

ତା କୃପାଣୁ ଅଛି ଶକ୍ତି ବଳବାନ,

ଅକାଳେ ଏ ଜ୍ଞାନ ଲଭିଲା ଅଜ୍ଞାନ ।

ଜାଣିଲା ତୋହରି କଷାଘାତେ ଶିଖି,

ଦୈବ ନ ଡରଇ ନର-ଭ୍ରୂକୁଟୀକି ।

ତରୀ ଧରି ଊର୍ମି-ଫେନ ଅଟ୍ଟହାସେ,

କନ୍ଦୁକ ପରାଏ ଫିଙ୍ଗିଲେ ଆକାଶେ ।

ତ୍ରାହି ତ୍ରାହି ଡକା ପାରି ଧର୍ମଦ୍ରୋହୀ,

କେ କାହିଁ ପଡ଼ିଲେ ଛିନ୍ନଭିନ୍ନ ହୋଇ ।

ସର୍ବେ ହୋଇଗଲେ ନିର୍ମଳ ନିଃଶେଷ,

କେହି ନ ରହିଲେ ଦେବାକୁ ସନ୍ଦେଶ ।

କାହିଁଗଲା ସେହି ବିଜୟ ଉତ୍ସବ ?

ଭାସିଲା ତୋ ବକ୍ଷେ ବିଜୟୀଙ୍କ ଶବ ।

ଆସିଥିଲେ ଲୋଡ଼ି ଉତ୍କଳର ବିତ୍ତ,

ବିହିଲେ ଉତ୍କଟ ତା’ର ପ୍ରାୟଶ୍ଚିତ ।

ଭ୍ରୂଭଙ୍ଗିରେ ଯାଙ୍କ କମ୍ପିଲା ଭୂତଳ,

ମକ୍ଷି ତଡ଼ିବାକୁ ଏବେ ନାହିଁ ବଳ ।

ଦ୍ୱିସପ୍ତ ଭୁବନ ଯେ ମଣିଲେ ଅଳ୍ପ,

ଆଶ୍ରିଲେ ସେ ସପ୍ତ-ଚାଖଣ୍ଡର ତଳ୍ପ ।

ପାରିଲେଣି ଏବେ ଦେବ ବିକର୍ତ୍ତନ,

ଭାଲେରୀ-ଶିଖରେ ସ୍ୱର୍ଣ୍ଣ-ସିଂହାସନ ।

ଠାବେ ଠାବେ ଛାୟା ପଡ଼ିଣ ଶଇଳେ,

ହରିତ ହେଲାଣି ପରିଣତ ନୀଳେ ।

ଗଳ-ଘଣ୍ଟେ ନାଦି ଗିରି-ତଟଦେଶ,

ବାହୁଡ଼ନ୍ତି ପଲେ ପଲେ ଛାଗ ମେଷ ।

ମହିଷ-ଟିପାର ଗୁରୁ ଗୁରୁ ଧ୍ୱନି-

ଘୋଷେ ମୁଖରିତ ଅରଣ୍ୟ-ସରଣୀ ।

ଗୋଷ୍ଠୁଁ ଧୂମରେଖା ଉଠି ଗିରିପାଦେ,

କୁଞ୍ଚିତ ଗତିରେ କାନନେ ଆଚ୍ଛାଦେ ।

କଳରବେ ଏରା ଉଡ଼ିଣ ହ୍ରଦରୁ ।

ଅରଣ୍ୟେ ଲୋଡ଼ନ୍ତି ଯେଝା ନୀଡ଼-ତରୁ ।

ପୀତ ଅସ୍ତ-କର ହେବାରୁ ପତିତ,

ଡେଣା ଦିଶେ ଯେହ୍ନେ ସୁବର୍ଣ୍ଣମଣ୍ଡିତ ।

ରତ୍ନରାଜି ବୁଣି ବର୍ତ୍ମ ଅନ୍ତରାଳେ,

ବୁଡ଼ିଲେ ମିହିର ଭାଲେରି ଉଢ଼ାଳେ ।

କେତେ ଯତ୍ନେ ଆହା କାଦମ୍ୱିନୀ ଧନୀ,

ବସ୍ତ୍ରାଞ୍ଚଳେ ବାନ୍ଧି ନେଉଛି ସେ ମଣି !

ଧରିତ୍ରୀ ବଦନେ ପୀତ ଅସ୍ତରାଗ,

ବୋଳି ଦେଇଛି କି ସୁବର୍ଣ୍ଣପରାଗ ।

ଶାରଦ-ଦିନାନ୍ତ-ଲକ୍ଷ୍ମୀ ଲୀଳାମୟୀ,

ପ୍ରକାଶନ୍ତି କେତେ ନବ ନବ ଛଇ ।

ବିଶାଳ ଭାଲେରି ଛାୟା ଜଳସ୍ଥଳ,

ଆଦରଇ କ୍ରମେ ବ୍ୟାପି ପୂର୍ବାଞ୍ଚଳ ।

ପୀତ ଅସ୍ତାତପ ଦ୍ୱୀପ-ଶୈଳ ମାଥେ,

ଲିଭିଗଲା ସେହି ମହାଛାୟା ପାତେ ।

ପଡ଼ିଲା ଚିଲିକା ବକ୍ଷେ ସନ୍ଧ୍ୟାଲୋକ,

ଶୋକେ ବଧୂ ଛାଡ଼ି ଦୂରେ କଲା କୋକ ।

ସନ୍ଧ୍ୟାରାଗ ହେର ହ୍ରଦ-ନୀଳୋରସେ,

ଆସଇ ଏ ଭାବ ଭାବୁକ-ମାନସେ ।

ପ୍ରଚେତା-ପ୍ରବାଳ-ପ୍ରାସାଦର ରୁଚି,

ନୀଳ-ନୀରୁ ଅବା ଫୁଟି ବାହାରୁଛି ।

କୂଳେ ଦ୍ୱୀପେ, ଶୈଳପାଦପେ ବିହଙ୍ଗେ,

ଉଡ଼ିଯାଇ ବସୁଛନ୍ତି ନାନାରଙ୍ଗେ ।

ପଶ୍ଚିମା ସନ୍ଧ୍ୟାର ବନ୍ଦାପନା ପାଇଁ,

କ୍ଷତିଏ ଆସନ୍ତି ଶଇଳୁଁ ଓହ୍ଲାଇ ।

ପୂର୍ଣ୍ଣ ପ୍ରାଚେତସୀ ବର୍ଣ୍ଣ-ବଇଭବେ,

ମିଶେ ଦିବା ଯହିଁ ଭୂତ-ମହାର୍ଣ୍ଣବେ ।

ଏଣେ କରେ ବୋଳି ଅମର-ସରଣୀ,

ବିରାଜନ୍ତି ଚନ୍ଦ୍ରଚୂଡ଼ ଚୂଡ଼ାମଣି ।

ତାରାଟିଏ ରାଜି ତାରାପତି-ପାଶେ,

ବେନିଏ କରନ୍ତି ରାଜ୍ୟ ଅର୍ଦ୍ଧାକାଶେ ।

ବାଳ-ଜ୍ୟୋତ୍ସ୍ନା-ଯୋଗେ ଧୌତ ପୌରନ୍ଦରୀ,

ହିମରଜ ମୁଖେ ବୋଳି ହେଲା ପରି ।

ଯେଝା ରୂପ-ଶୋଭା ବିପରୀତେ ବସି,

ଦେଖାନ୍ତି ଗରବେ ପ୍ରାଚୀ ପ୍ରାଚେତସୀ ।

ଚନ୍ଦ୍ରାଲୋକେ ଧୌତ ପୁର୍ବାକାଶ ପୁନଃ

ବାରୁଣୀ ଆକାଶ କୁଙ୍କୁମେ ଅରୁଣ ।

ଅର୍ଦ୍ଧାଙ୍ଗ ଈଶ୍ୱର, ଅର୍ଦ୍ଧାଙ୍ଗ ପାର୍ବତୀ,

ପ୍ରାୟେ ଦିଶେ ଚିତ୍ର ବ୍ୟେମାର ମୂରତି ।

ଦିଗ୍‍ବଳୟବ୍ୟାପି ନୀଳ-ଜଳାରଣ୍ୟେ,

ରଞ୍ଜିଲା ଚନ୍ଦ୍ରିକା ନିଜେ ଶୁଭ୍ରବର୍ଣ୍ଣେ ।

ପ୍ରାଚୀ-ମୂଳ ଏବେ ମୀନଜୀବୀ-ନାବେ,

ଛାୟାକରେ ଚିତ୍ର ଦିଶେ ଠାବେ ଠାବେ ।

ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ,

ନିଜ ଗୃହ କଥା ଭାବି ଏକଧ୍ୟାନେ ।

ଭାଲେରି ଶିଖରେ ସନ୍ଧ୍ୟାତାରା ଦେଖି,

ଆସନ୍ତି ପଟିକା ମହୋଲ୍ଲାସେ ଟେକି ।

ତାଙ୍କ କଣ୍ଠ-କବିସୂର୍ଯ୍ୟ-ଗୀତାମୃତ

ଦୁରୁଁ ବହିଆଣେ ଚିଲିକା-ମାରୁତ ।

ଉଲ୍ଲାସର ଆତ୍ମା ପ୍ରାୟେ ଗୀତ-ତାନ,

କ୍ଷୁଦ୍ର-ନୀଳ-ବକ୍ଷେ କରେ ଅଧିଷ୍ଠାନ ।

ହସନ୍ତି ଚୌଦିଗେ ମଧୁର-ହାସିନୀ ।

ଦିଗଙ୍ଗନା ଜ୍ୟୋତ୍ସ୍ନା-ଦୁକୂଳ ବାସିନୀ ।

ଭାବାନ୍ତର ପୁଣି କ୍ଷଣେ କରେ ଜାତ,

‘‘ଗଲାଣି ତ ଗଲା କଥାରେ ସଙ୍ଗାତ ।’’

ସଙ୍ଗୀତ ଆବେଶେ ନାନାରୂପେ ମନ,

ଅତୀନ୍ଦ୍ରିୟ ଦେଶେ କରେ ବିଚରଣ

ଚାଲିଯାଏ ଶୂନ୍ୟେ ଶୂନ୍ୟେ କେଉଁ ସ୍ଥାନେ

କି ଲୋଡ଼ିବା ଆଶେ ସେହି ତା ନ ଜାଣେ ।

ଧନ୍ୟ ସେହି ଯାର ଆଜ୍ଞା ଶିରେ ଧରି,

ଏ ଲୀଳା ରଚନ୍ତି ଦେବୀ ବାଗୀଶ୍ୱରୀ ।

ଧନ୍ୟ ରଥେ ! ତୁମ୍ଭ ଜନ୍ମ ଶୁଭକ୍ଷଣେ;

ମୃତ୍ୟୁଞ୍ଜୟ ତୁମ୍ଭେ ଉତ୍କଳଭୁବନେ ।

ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ,

ମାପ୍ତ ଯଶୋଦେହେ ତୁମ୍ଭେ ଆୟୁଷ୍ମାନ ।

ମୀନ-ଆକର୍ଷଣ ଆଶେ ପୋତପାଳ,

ତରଣୀରେ ଜାଳି ଦେଲାଣି ମଶାଲ ।

ଭବେ ପାପମୂର୍ତ୍ତି ପରି ଅଟଇ ସେ,

ସ୍ପର୍ଶେ ମାରାତ୍ମକ, ରୂପେ ରମ୍ୟ ଦିଶେ ।

ପାପ-ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ,

ତରୀ-ଗର୍ଭେ ମୀନେ ଡେଇଁ ଦେବେ ପ୍ରାଣ

ତରଙ୍ଗେ ଦୋହଲି ଦୋହଲି ବୋଇତ,

ଥରେ ଦିଶେ ଥରେ ହୁଏ ଅନ୍ତର୍ହିତ ।

ଦୁଃଖିମନେ ଆଶା ଉତ୍‍ଥାନ ପତନ-

ପ୍ରାୟେ ଶିଖା ଉଠେ ପଡ଼େ ଘନ ଘନ ।

ନିଶାଗମେ କ୍ରମେ ଲୋକ-କୋଳାହଳ,

ନିବର୍ତ୍ତି ଅବନୀ ହେଉଛି ନିଶ୍ଚଳ ।

ଜଳ ସ୍ଥଳ ନଭଃ ଜ୍ୟୋତ୍ସ୍ନା ପରିପ୍ଳୁତ,

ସୃଷ୍ଟି ଦିଶେ ଯେହ୍ନେ ପାରଦ-ଧଉତ !

ପ୍ରତିବିମ୍ୱରାଜି ଦ୍ୱୀପ-ଶୈଳ ତଳେ,

ସ୍ପଷ୍ଟାକାରେ ଶୋଭେ ହ୍ରଦ-ଅନ୍ତସ୍ଥଳେ ।

କ୍ଷୀରୋଦ-ସୋଦର ଜ୍ୟୋତ୍ସ୍ନାର୍ଣ୍ଣବେ ଭାସି,

ଦିଶନ୍ତି ବିଶଦ ଗିରି, ବନ, ନାସି ।

ସ୍ନିଗ୍‍ଧ ତରୁପତ୍ରେ, ମସୃଣ ଉପଳେ,

ଜକଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ ।

ସର୍ପେ ଚିତ୍ର ଚନ୍ଦ୍ରଚୂଡ଼-ତନୁ ଭଳି,

ଛାୟା-ମିଶ୍ର-କରେ ଶୋଭେ ବନସ୍ଥଳୀ ।

ପ୍ରଶାନ୍ତ, ନୀରବ ଗିରି ବନଦେଶ,

ନାହିଁ ଏଥି-ନର-ଚହଳର ଲେଶ ।

ଦୂର ଝରନାଦ, ଝିଙ୍କାରି ଝଙ୍କାର,

କରେ ନିଶୀଥିନୀ-ପ୍ରଭାବ-ପ୍ରଚାର ।

କଳି ଉପଦ୍ରବେ ତ୍ୟଜି ଲୋକାଳୟ,

ଶାନ୍ତି କି ଏ ସ୍ଥଳେ ଭଜିଲେ ଆଶ୍ରୟ ?

ଚିଲିକା ! ତୋହର ଏହି ଶୋଭାବନ

ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ,

ଅଟେ ସର୍ବଶୋଭା ସୀମନ୍ତର ଟୀକା,

ପ୍ରକୃତିର ଚାରୁ-ଆଲେଖ୍ୟ-ଶାଳିକା ।

ଏ ସୁଖର ମୁହିଁ ନୁହଇ ଭାଜନ,

ମୋ ଭାଗ୍ୟେ ଏ ସିନା ଭଙ୍ଗୁର ସ୍ୱପନ ।

ସଂସାର ନିଗଡ଼େ ସଂସାର-କାରାରେ,

ଯାପିବି ଜୀବନ ସଦା ହାହାକାରେ ।

ବନ୍ଦୀ କାରାଗୃହେ ସ୍ମରୁଥାଇ ଯଥା,

ଚିରହୃଦ ତା’ର ପୂର୍ବ ସ୍ୱାଧୀନତା ।

ସଂସାର ନିରୟେ ଅଙ୍ଗ ଦେଇ ଢାଳି,

କରିବି ଏହାକୁ ସ୍ମୃତିର ଶଙ୍ଖାଳି ।

ମାଗୁଛି ଚିଲିକା, ମେଲାଣି ତୋ’ଠାରେ,

ବାହୁଡ଼ିବି ଏବେ ଦାରୁଣ ସଂସାରେ ।

କରିଥିଲି ଆଶା କରିବି ଯାପନ,

ତୋ ପଶ୍ଚିମତୀରେ ପଶ୍ଚିମ ଜୀବନ ।

ବିନା ପ୍ରୟାସରେ ସୌନ୍ଦର୍ଯ୍ୟ-ପିପାସା,

ମେଣ୍ଟିବାର ଥିଲା ତୋହଠାରେ ଆଶା ।

ଭାଗ୍ୟ ହୋଇଥିଲେ ରୁଚି-ଅନୁକୂଳ,

ଆଶ୍ରିଥାନ୍ତି ମୁହିଁ ତୋର ରମ୍ୟକୂଳ ।

କୁଟୀର ବିରଚି ଜଟିଆ ଚରଣେ,

କାଟୁଥାନ୍ତି ଆୟୁ-ଶେଷ ନିକାଞ୍ଚନେ ।

ମାତ୍ର ପରିଣାମେ ଛାୟାବାଜିବତ,

ଆଶାରେ ସେ ଆଶା ହେଲା ପରିଣତ ।

ସଂସାରେ ଥାଇ ମୁଁ ସଦା ଉଦାସୀନ,

ଉଦାସୀନ ପ୍ରାୟେ କଟାଇଲି ଦିନ ।

ସଂସାରୀ ସଙ୍ଗତେ ସଙ୍ଗୀ ହେବାପାଇଁ,

କେବେ ହେଁ ମୋହର ମନ ବଳେ ନାହିଁ ।

ହସି ଖେଳି ସେହୁ ଗମନ୍ତି ସମୟ,

ଜୀବନ ମଣନ୍ତି ମହୋତ୍ସବମୟ ।

ଛାର ଭାଗ୍ୟ ମୋର ପିହିତ ପାଷାଣେ,

ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ ।

ଚିର ହାହାମୟ ଏ ଛାର ଜୀବନ

ଜୀବନ ନୁହଇ, ଜୀବନ୍ତ ମରଣ ।

ଚିରଦିନ ଦୁଃଖ-ପ୍ରହାରେ ଜର୍ଜର,

ପଟ୍ଟଶିଷ୍ୟ ମୁହିଁ ଦୁଃଖ-ଗୁରୁଙ୍କର,

ଦୁଃଖଦତ୍ତ ଜ୍ଞାନଚକ୍ଷୁରେ ଜଗତ,

ଦେଖିବାରେ ମୁହିଁ ଅଭ୍ୟସ୍ତ ସତତ ।

ସୁଖ ବୋଲି ଯାକୁ ବୋଲଇ ସଂସାର,

କରୁଥାଇ ତାକୁ ଦୂରୁଁ ମୁଁ ଜୁହାର ।

ସୁଖରୂପେ ଯାହା ଜନନେତ୍ରେ ଦିଶେ,

ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ ।

ବସ୍ତ ନୁହଇ ସେ ଅଟଇଟି ଧୂମ,

ଅନ୍ୟନାମ ତା’ର ଆକାଶକୁସୁମ ।

ତୋହରି ପୁଳିନେ ମୃଗତୃଷ୍ଣା-ପ୍ରାୟେ,

ମନମୃଗକୁ ସେ ଜଗତେ ଭ୍ରମାଏ ।

ସେ ସୁଖେ ନ ଥିଲା କେବେ ମୋର ସ୍ପୃହା,

ଲକ୍ଷ୍ୟଥିଲା ମାତ୍ର ତୋର ତୀରଗୁହା ।

ଶାନ୍ତିରସାସ୍ପଦ ସେହି ଦରୀ-କୋଳେ,

ବାଗ୍‍ଦେବୀ-ଚରଣ ପୂଜିବି ନିରୋଳେ ।

ପୂଜିଲେ ଯେସନ ମଜ୍ଜି ନିରଜନେ,

ତୋ ମଧୁର-ରୂପ ମଧୁ-ଆସ୍ୱାଦନେ ।

ଭାଗ୍ୟବାନ ବେନି ବାଣୀଙ୍କ କୁମର-

କବି ବଳଦେବ, ଭଞ୍ଜ ବୀରବର,

କାହିଁ ସେହି, କାହିଁ ମୁହିଁ ଅକିଞ୍ଚନ ?

ଦେଖୁଥିଲି ସିନା ଜାଗ୍ରତ ସ୍ୱପନ !

ଆଶାମଦେ ମତ୍ତ ହୋଇ କେତେଥର,

ପୂରାଇଲି ମନ-ମୋଦକେ ଉଦର ।

ନ ଦେଖି ମୋହର ଜୀବନ-ପଞ୍ଜିକା,

ଗଢ଼ୁଥିଲି ବସି ମନ-ଅଟ୍ଟାଳିକା ।

ତୋଳୁଥିଲି ସିନା ବ୍ୟୋମ-ପୁଷ୍ପମାନ,

କରୁଥିଲି ମୃଗତୃଷ୍ଣା-ଜଳେ ସ୍ନାନ ।

ଅଗ୍ରେ ପଡ଼ି ଭୀମ ଭବିତବ୍ୟ ଛାୟା,

ପଲକେ ତୁଟିଲା ସେ ମୋହନ-ମାୟା ।

ସେ ଛାୟା ଅନ୍ଧାରେ ଦେଖିଲି ଭୀଷଣ,

ନୈରାଶ୍ୟ ପ୍ରେତର ବିକଟ ନର୍ତ୍ତନ ।

ଚାରୁ ଛବି ତୋର ସେହି ବିଭୀଷିକା,

ତଡ଼ିଦେଲା ମନୁଁ ନିମିଷେ, ଚିଲିକା ।

ଦେବି ବୀଣାପାଣି ! କେଉଁ ପାପଫଳେ,

କରୁଣା ତୋହର ଊଣା ଏ ଉତ୍କଳେ ?

ସ୍ୱଭାବେ ଉତ୍କଳ ଶୋଭାର ନିଧାନ,

ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ–

ବିନୁ ସିନା ମାତା ହୋଇଛି ବିବଶା,

ଭଜିଛି ଅରଣ୍ୟ-ପ୍ରସୂନର ଦଶା ।

କ୍ଷୁଦ୍ର ଶିପ୍ରା-ସ୍ରୋତ ବିଖ୍ୟାତ ଜଗତେ,

ମହାନଦୀ ନାମ ରହିଲା ଗୁପତେ !

ସ୍ୱରୂପା ଅଂଶୁପା ଲୋକେ ଅଗୋଚର

ପୂଜାସ୍ପଦ ହେଲା ଗୋଷ୍ପଦ-ପୁଷ୍କର !

ତୋର କୃପାବଳେ କ୍ଷୁଦ୍ର ମହୀୟାନ,

ତୋ କୃପା ବିହୁନେ ବଡ଼ ହୁଏ ସାନ ।

ଖର୍ବ ଗୋବର୍ଦ୍ଧନ ନ ଗିରୀନ୍ଦ୍ର ବୋଲାଏ,

ମହାତୀର୍ଥରୂପେ ଲୋକେ ପୂଜା ପାଏ ।

ସ୍ୱଭାବେ ଗିରୀନ୍ଦ୍ର ହୋଇ ମେଘାସନ,

ଲଭିନାହିଁ ଗିରି-ସମାଜେ ଆସନ ।

ତୋ କୃପା ବିହୁନେ ଉତ୍କଳମାତାର,

ନାମେ ଖ୍ୟାତିଗ୍ରନ୍ଥେ ପଡ଼ିନାହିଁ ଗାର ।

ଭାଗ୍ୟଦୋଷେ ଅଙ୍ଗ ଅଜ୍ଞାନ-ଶର୍ବରୀ–

ଅନ୍ଧାରେ ଅଭାଗୀ ରଖିଛି ଆବରି

ପାହିଲାଣି ଘୋର ତାମସୀ ଯାମିନୀ,

ଫୁଟିବ ଉତ୍କଳ-ଭାଷା-କମଳିନୀ ।

ଏ ଘୋର ଯାମିନୀ-ଅବସାନ-ଶଂସୀ,

କାବ୍ୟତାରାରୂପେ ବୀର ଗଙ୍ଗବଂଶୀ,

ଉଦିଲେ ପ୍ରଥମେ ବାମଣ୍ଡା-ରାଜନ,

ବାସୁଦେବ ବିଶ୍ୱ-କଲ୍ୟାଣ-ଭାଜନ ।

ରଖିଲେ ସୁନାମ ଯେହୁ କାଳେ କାଳେ,

ଗୁଣଯନ୍ତ୍ରେ ଖୋଳି ଯଶୋଗିରିଭାଲେ ।

ତମଃ ପଳାଉଛି ହୋଇ ତରତର,

ପ୍ରାଚୀନଭଃ ନବ-ବିହାରେ ଭାସ୍ୱର ।

ରବିରୂପେ ଏବେ ଉଦୟ-ଅଚଳେ

ରବି-ବଂଶ-ମଣି ଉଦିତ ଉତ୍କଳେ ।

ଶ୍ରୀମାନ ଶ୍ରୀରାମଚନ୍ଦ୍ର-ଆଖ୍ୟାଧାରୀ,

ଉତ୍କଳ-ଅଜ୍ଞାନ-ତମ-ଧ୍ୱଂସକାରୀ ।

ସୌଦାମିନୀ-ଲାସ୍ୟେ ସମୁଜ୍ଜ୍ୱଳ-ଶିଖା

ମେଘାସନ-କୁଞ୍ଜ-ବିହାର-ରସିକା ।

ଅଶ୍ୱ-ସଂଚାଳନେ ଅଦ୍ଭୁତ-କୌଶଳୀ,

ଦୃଷ୍ଟିଭେଦୀ ଯାର ବଜ୍ରନାଦୀ ନଳୀ ।

ବୀଣାପାଣି ପୂଜାଯୋଗ୍ୟ କଞ୍ଜକୁଳ,

ଫୁଟିବାର ଏହି କାଳ ଅନୁକୂଳ

ସେ ପଦ୍ମ ଫୁଟିବ କବି ହୃଦସରେ,

ନବୋଦିତ ଏହି ଭଞ୍ଜ-ରବି-କରେ ।

ପୂଜିବେ ତୋ ପଦ ଉତ୍କଳ ସନ୍ତତି,

ସେହି ପଦ୍ମେ, ପଦ୍ମବାସିନି ଭାରତି ।

ଚିଲିକା, ତୋ ତୀର ବନ୍ଧୁର ଲଳିତ,

ସେହି ରବିକରେ ହେବ ଆଲୋକିତ ।

ବାଣୀ-ଆବିର୍ଭାବ-ଯୋଗ୍ୟସ୍ଥଳ ଜାଣି,

ଆଶ୍ରିବେ ତୋ ତୀର ବୁଧ, କବି, ଜ୍ଞାନୀ ।

ହୋଇ ତୁ ତାଙ୍କର ବିହାର-ତଡ଼ାଗ,

ଲଭିବୁ ଅଖିଳ ଜନ ଅନୁରାଗ ।

Image

 

ଶବ୍ଦାର୍ଥ

 

ପୃଷ୍ଠା-୩୯

ବିଳାସ ଦୀର୍ଘିକା-କ୍ରୀଡ଼ାକୌତୁକର ବଡ଼ ପୋଖରୀ । ମରାଳମାଳିନୀ-ହଂସପଂକ୍ତି ରୂପକ ମାଳାଧାରିଣୀ । ଚାରୁ ଅଳଂକାର-ସୁନ୍ଦର ଗହଣା । ଭାବୁକ ମାନସ-ବିଚାରବନ୍ତ ଲୋକଙ୍କ ମନ । ଦିଗଙ୍ଗନା-ଦିଗରୂପକ ସ୍ତ୍ରୀ । ନାସି-ପର୍ବତର ଅଗ୍ରଭାଗ । ସୌରକରୋଦ୍ଭାସୀ-ସୂର୍ଯ୍ୟକିରଣରେ ଉଜ୍ଜ୍ୱଳ । ରମ୍ଭାନାସି-ରମ୍ଭାଗ୍ରାମସ୍ଥ ଏକ ପର୍ବତର ଅଗ୍ରଭାଗ । ନୀଳୋରସେ-ନେଳିଆ ବକ୍ଷରେ ।

ପୃଷ୍ଠା-୪୦

ବୈଦୁର୍ଯ୍ୟ ବରଣ-ବୈଦୁର୍ଯ୍ୟ ମଣିବିଶେଷ ପରି କାନ୍ତୀ । ଶକ୍ର-ଇନ୍ଦ୍ର (ପର୍ବତର ପକ୍ଷ ଥିଲା, ଇନ୍ଦ୍ର ତାହା କାଟିଛନ୍ତି ) ଗୁଳ୍ମ ଜଟିଳ-ଛୋଟ ଛୋଟ ଗଛଗୁଡ଼ିକ ହେତୁ ଜଟାଧାରଣ ପରି ପ୍ରତୀୟମାନ । ଶିଖର-ଶୃଙ୍ଗ । କାଳିଜାୟୀ ଗିରି-କାଳିଜାଈ ନାମକ ଚିଲିକା ମଧ୍ୟସ୍ଥ ଏକ ପର୍ବତବିଶେଷ । ଚଢ଼ାଇଗୁହା-ଚିଲିକା ମଧ୍ୟସ୍ଥ ଏକ ପର୍ବତବିଶେଷ । ନୀର-ଜଳ । ତରଙ୍ଗ-ଲହରୀ । କାଂକଣ ଶିଖରୀ-ଏକ ପର୍ବତବିଶେଷ । (ଏଠାରେ ବହୁତ କାଂକଡ଼ ଫଳେ ।) ଆଦ୍ୟଫଳ-ପ୍ରଥମ ଫଳ । ତରୀ-ନୌକା । ଲକ୍ଷ୍ମୀ ରୋଷଘର-ପୁରୀର ରୋଷେଇଶାଳ । ସୈକତ-ବାଲୁକା । ଛାୟାପଥ-ରାତି ଆକାଶର ଉଜ୍ଜ୍ୱଳ ଅଂଶବିଶେଷ । (Milky Way) ପୁଳିନ-ତଟ । ଶୁକ୍ତିଶାଳୀ-ଶାମୁକାଯୁକ୍ତ ।

 

ପୃଷ୍ଠା-୪୧

ଶୈଳ-ପର୍ବତ । ଟଙ୍କ-ଟାଙ୍ଗରା ଭୂ ଭାଗ । କାନ୍ତର-ଦୁର୍ଗମ ସଂକୀର୍ଣ୍ଣ ପର୍ବତପ୍ରଦେଶ । ସୁରମ୍ୟ ତଟିନୀ-ଅତି ସୁନ୍ଦର ନଦୀ । ବିକଟ ସଂକଟ-ଦୁର୍ଗମ ସଂକୀର୍ଣ୍ଣ ଗିରିପଥ । ତୁଙ୍ଗ ଶୈଳ ସାନୁ-ଉଚ୍ଚ ପର୍ବତଶୃଙ୍ଗ । ଭାନୁ-ସୂର୍ଯ୍ୟ । ବିବର-ଗାତ । ଭାସ୍ୱର-ତେଜୀୟାନ୍‍ । ଜରାଜର୍ଜର-ଅତି ପୁରୁଣା ହେତୁ ନଷ୍ଟ-ଭ୍ରଷ୍ଟ । ଦୂର୍ବାଦଳ-ଦୂବଘାସ । ଶାବ୍ଦଳ-ଘଞ୍ଚ ଘାସମୟ ପଡ଼ିଆ । ମରୀଚିକା-ମୃଗତୃଷ୍ଣା । ହରିତାୟମାନ-ନୀଳବର୍ଣ୍ଣଧାରୀ । ଉପାଦାନ-ସାମଗ୍ରୀ । ଅତୁଳ-ତୁଳନାଶୂନ୍ୟ ।

ପୃଷ୍ଠା-୪୨

ସୀମନ୍ତ ଅଚଳ-ସୀମା ଶେଷରେ ଥିବା ପର୍ବତ । ଶିଖରୀ ସମାଜ-ପର୍ବତ ପଂକ୍ତି । ବ୍ୟୋମପଥେ-ଆକାଶ ରୂପକ ଲୁଗାରେ । ନିହାର ମୁକୁଟେ-ବରଫ ରୂପକ ମୁକୁଟରେ । ଗଙ୍ଗା ଉପବୀତ-ଗଙ୍ଗାସ୍ରୋତ ରୂପକ ପଇତା । ସନାତନ-ନିତ୍ୟନୂତନ । ବ୍ୟୋମକେଶ-ଶିବ । ଚିତ୍ତବୃତ୍ତି-ମାନସିକ ଗତି । ଥକି-ଅଟକି । ଭୀମ-ଭୀଷଣ (ଭୟପ୍ରଦ) । ରୁକ୍ଷ ଶୈଳବ-ଟାଙ୍ଗରା ପର୍ବତଶ୍ରେଣୀ-। ବନ୍ଧୁର-ଖାଲିଢିପମୟ । ସର୍ବକଂଷ-ସମସ୍ତଙ୍କ କଷ୍ଟଦାୟକ । ଚଣ୍ଡାଂଶୁ-ସୂର୍ଯ୍ୟ । ଦରୀଶାୟୀ ଭୋଗୀ-ଗହ୍ୱର-ବାସୀ ସର୍ପ । ନାଗଫେଣୀ-କଣ୍ଟକମୟ ଗୁଳ୍ମ ବିଶେଷ ମରୀଚିକା ବେଣୀ-ମୃଗତୃଷ୍ଣା ସମଷ୍ଟି ।

ପୃଷ୍ଠା-୪୩

ତୃଷାତୁର-ଶୋଷିଲା । କମଳିନୀ ହରିତ ସରସୀ-ପଦ୍ମଗଛ ହେତୁ ନୀଳ ପୋଖରୀ । ବିନ୍ଧ୍ୟାଦ୍ରି-ବିନ୍ଧ୍ୟପର୍ବତ । ଧୂଆଁଧାର-ନର୍ମଦାର ଜଳପ୍ରପାତ । ତ୍ରିପଥଗା-ଗଙ୍ଗା, ( ତ୍ରିଧା ବିଭକ୍ତ ) ତ୍ରିପୁରଗାମୀ । ଶୀକର-ଜଳବିନ୍ଦୁ । ବିଭାବସୁକର-ସୂର୍ଯ୍ୟକିରଣ । ଶକ୍ରଚାପ-ଇନ୍ଦ୍ରଧନୁ । ତାଣ୍ଡବ-ଶିବଙ୍କ ନୃତ୍ୟବିଶେଷ । ( ଭୀଷଣ ) । ଅଟବୀ-ବନ । ଦଣ୍ଡକା-ଦଣ୍ଡକାରଣ୍ୟ । (ଆଜିକାଲିର ପ୍ରସିଦ୍ଧ କ୍ଷେତ୍ରବିଶେଷ) । ତଟିନୀ-ନଦୀ । ଚିତ୍ରକଳେବରା-ଚିତ୍ରିତ ଶରୀରଧାରିଣୀ । ଅଧ୍ୟୁଷିତ-ଆବାସ । ସନ୍ନିହିତ-ନିକଟ । ପର୍ଜନ୍ୟ-ମେଘ ।

ପୃଷ୍ଠା-୪୪

ମେଘାଲୋକେ-ମେଘ ଦର୍ଶନରେ । ମୈଥିଳୀ-ସୀତା । କେକୀ-ମୟୂର । ନୀପ-କଦମ୍ୱବୃକ୍ଷ । ରାମାଶ୍ରମ ରେଖା-ରାମଙ୍କ ବନବାସର ସୂଚନା । ଭୃଗୁ-ପର୍ବତଶିଖର । ବରୁଶାର ରାଜ୍ୟେ-ସମୁଦ୍ରରେ । ଅୟଶ୍ଚକ୍ରପ୍ରଭ-ଲୁହା ଚକ ପରି ଉଜ୍ଜ୍ୱଳ । ଅର୍ଣ୍ଣବ-ସମୁଦ୍ର । ନଭଃ-ଆକାଶ ଦିଗନ୍ତରେ ଉଭୟେ ମିଳିଥିବାରୁ ଲୁହା ତିଆରି ଚକ ପରି ଦେଖାଯାଉଛି । ଊର୍ମି-ଲହରୀ । ଚିତ୍ତବୃତ୍ତି-ମନର ଗତି । ସତ୍ତା-ଅସ୍ତିତ୍ୱ । ଖର ସୌର କରେ-ପ୍ରଚଣ୍ଡ ସୂର୍ଯ୍ୟ କିରଣରେ । ବିସ୍ମୟେ-ଆଶ୍ଚର୍ଯ୍ୟରେ-। ଅସ୍ମିତା-ଅହଂଭାବ । (ନିଜକୁ ନିଜେ ଭୁଲିଗଲେ)

ପୃଷ୍ଠା-୪୫

ଅବସାଦକର-ଦୁଃଖଜନକ, ଅସ୍ୱସ୍ତିକର । ଶଶିକରେ-ଚନ୍ଦ୍ର କିରଣରେ । ପୀୟୁଷ-ଅମୃତ-। ଆସ୍ୱାଦନା-ଉପଭୋଗ । ବିରାଟ-ବଡ଼ । ସ୍ତବ୍‍ଧ-ଜ୍ଞାନଶୂନ୍ୟ । ଅବସାଦେ-ଦୁଃଖରେ । ଆତ୍ମବିସ୍ମୃତିରେ-ନିଜକୁ ଭୁଲିବାରେ । ଦ୍ୱୈତଭାବ-ଜୀବ ଏବଂ ଈଶ୍ୱର ରୂପକ ଦୁଇଟି ଧାରଣା । ଦ୍ୟୋତକ-ପ୍ରକାଶକ । ସଂଗୀତମୁଖର-ସଙ୍ଗୀତ ସ୍ୱରରେ ଧ୍ୱନିତ । ପ୍ରାସାଦ-କୋଠାଘର । ବିହଙ୍ଗେ-ପକ୍ଷୀମାନେ । ଚଳମତ୍ସ୍ୟେ-ଭାସୁଥିବା ମାଛରେ ।

ପୃଷ୍ଠା-୪୬

ନିକ୍ୱଣ-ଅଳଙ୍କାରର ଶବ୍ଦ । ଯୂଥ-ଦଳ । ଶଳିକାବୃତବପୁ-କାତିଯୁକ୍ତ ଶରୀର । ଭେକଟା-ଭେକଟୀ ମାଛ । ବିଷ-ଦିଗଧଶଙ୍କୁ–ବିଷ ବୋଳା ମୁନିଆ ଅସ୍ତ୍ର ପରି ଶାଙ୍କୁସର ଲାଞ୍ଜ । ନେତ୍ରପଟୀ-ଆକ୍ଷିପତା । ଆଶୟ-ଅଭିପ୍ରାୟ । ତାରକିତ-ନକ୍ଷତ୍ରଯୁକ୍ତ ।

ପୃଷ୍ଠା-୪୭

କଳୁଷିତ ବାରି-ପଙ୍କୁଆ ପାଣି । କଳୁଷହାରକ-ଆବିଳତା ଦୂରକାରକ । କାସାରେ-ଛୋଟ ପୋଖରୀରେ । କୁମୁଦ-କଇଁଫୁଲ । ଦକ୍ଷିଣାଶୀ-ଦକ୍ଷିଣ ଦିଗ । ବଧୂ-ବୋହୂ । ଅବତଂସ-କର୍ଣ୍ଣ ଅଳଙ୍କାର । କୁମ୍ଭ ସମୁଦ୍ଭବ-ଅଗସ୍ତି ନକ୍ଷତ୍ରର କାନ୍ତି । କଳ କୋଳାହଳେ-ମଧୁର କଳନାଦରେ । ପରିଜନ-ଚାକରବାକର । କାଶହାସମୟୀ-କାଶତଣ୍ଡୀ ଫୁଲ ଫୁଟି ହସର ଶୋଭା ଜନ୍ମାଏ । ସ୍ରୋତସ୍ୱତୀ-ନଦୀ । ସରୋବରପୁଞ୍ଜ-ପୋଖରୀ ସମୂହ । ପ୍ରସାଦ-ଅନୁଗ୍ରହ । ଦାୟାଦ-ଅଂଶ ପାଇବାକୁ ଯୋଗ୍ୟ । ଜୟବୈଜୟନ୍ତୀ-ବିଜୟ ପତାକା । ନଭେ- ଆକାଶେ । କମଳାବିଳାସଭୂମି-ଲକ୍ଷ୍ମୀଙ୍କ ବିହାରସ୍ଥଳୀ ।

ପୃଷ୍ଠା-୪୮

ନାରିକେଳ-ନଡ଼ିଆ । ପୂଗ-ଗୁଆ । ରସାଳ-ଆମ୍ୱ । ଜଳଦ-ମେଘ । ସଦାଶିବ-ମହାଦେବ । ଶ୍ରୀଫଳ-ବେଲ । ଚଳଦଳ-ହଲୁଥିବା ପତ୍ର । ପିପ୍‍ପଳ-ଅଶ୍ୱତ୍‍ଥ । ପୁରାଣ ଶାଳ୍ମଳୀ-ବୁଢ଼ା ଶିମୂଳିଗଛ । ଶ୍ୟେନ-ଛଞ୍ଚାଣ । କୁଲାୟ-ପକ୍ଷୀବସା । ବିତାନ-ଚାନ୍ଦୁଆ । ଗୋଡ଼ିବାଣ-ରକ୍ତବର୍ଣ୍ଣର ପୁଷ୍ପବିଶେଷ । ସୁବର୍ଣ୍ଣଚଷକ-ସୁନାରେ ତିଆରି ମଦ୍ୟପାତ୍ର । ମଧୁପ-ମହୁମାଛି (ମଦୁଆ)-। କର୍ଣ୍ଣପୁର-କାନର ଗହଣା । ଦୋଳେ-ହଲେ । ପଲ୍ଲୀବିଳାସିନୀ-ଗ୍ରାମୀଣ ରସିକା ସ୍ତ୍ରୀ । ଅମଳ କପୋଳେ-ନିର୍ମଳ ଗଣ୍ଡଦେଶରେ । କିରୀଟୀ-ମୁକୁଟ । ବାୟା-ବାଇଚଢ଼ାଇ । ଭୁଜଂଗ-ସାପ । ଭ୍ରୂକୁଟି-କ୍ରୂରଦୃଷ୍ଟି । ବିଲମ୍ୱିତ-ଓହଳିଥିବା । ଶାବକ-ଛୁଆ ।

ପୃଷ୍ଠା-୪୯

ଯୋଗ୍ୟ ପୁତ୍ରବତ୍‍-ସୁସନ୍ତାନ ପରି । ସ୍ତମ୍ଭ-ଖମ୍ୱ । ମରକତପର୍ଣ୍ଣେ-ମରକତମଣି ବିଶେଷ ପରି ପତ୍ରରେ । ପଦ୍ମରାଗ ଫଳେ-ମଣି ବିଶେଷ ରୂପକ ଫଳରେ । ବିଗ୍ରହ-ମୂର୍ତ୍ତି, ଶରୀର । ଉଜ୍ଜ୍ୱଳେ-ଶୋଭାପାଏ । କଳଗୀର-ସୁମଧୁର କଳଧ୍ୱନି । ପାଦପମାଳେ-ବୃକ୍ଷରାଜିରେ । ପୁଲକିତ-ରୋମାଞ୍ଚିତ । ବୃତିରେ-ଆବରଣ ମଧ୍ୟରେ । ସମୀରଣ-ପବନ । ପ୍ରତୀତି-ବୋଧ । ଅବସାଦ-ଦୁଃଖ-। ନିଳୟ-ଘର । ସୋପାନ-ପାହାଚ । ଶୈଳସ୍ତର-ପର୍ବତପ୍ରସ୍ତ । ଅଭ୍ରଂକଷ-ଗଗନଭେଦୀ । ତୁଙ୍ଗ-ଉଚ୍ଚ । ପ୍ରତୀଚୀ-ପଶ୍ଚିମଦିଗ । ଭୂଧର-ପର୍ବତ । ଭାଲେରୀ-ବାଣୁପୁରସ୍ଥିତ ପର୍ବତବିଶେଷ ।

ପୃଷ୍ଠା-୫୦

ଗଇରିକ-ପାର୍ବତୀୟ । ଜଟିଳ-ଜଟାଧାରୀ । ଜଟିଆ-ବାଣପୁରସ୍ଥିତ ପର୍ବତବିଶେଷ । ବୀଚିଦଳ-ଲହରୀସମୂହ । ପ୍ରଚାରନ୍ତି-ପ୍ରଚାର କରନ୍ତି । କ୍ଳୀବତ୍ୱ-କାପୁରୁଷତା, ଅଯୋଗ୍ୟତା । ଗୁହା-ପର୍ବତ କନ୍ଦର । ପାଷାଣଭେଦୀ-ଗୁଳ୍ମବିଶେଷ । ଭିତ୍ତି-କାନ୍ଥ । ଅମରୀ-ଦେବୀ, ଅମରବାସିନୀ । କବରୀ-ଖୋପା, କୁନ୍ତଳ । ରୁକ୍ଷ କଳେବର-ଲଣ୍ଡା ଶରୀର । ସିଂହେଶ୍ୱର-ଏହି ନାମକ ଶିବଲିଙ୍ଗ । ଯାମଳ ଭୂଧର-ଜୋଡ଼ି ପର୍ବତ । ସାଳିଆ-ବାଣପୁରର ନଦୀବିଶେଷ । ଶୈଳ-ପର୍ବତ । ଘଣ୍ଟଶିଳା-ପର୍ବତବିଶେଷ ।

ପୃଷ୍ଠା-୫୧

ଶୋଲରୀ-ପର୍ବତବିଶେଷ । ଅବନୀ-ଭୂମି । ମୟ-ଦୈତ୍ୟ କାରିଗର । ବୈରୋଚନୀ-ଅସୁର ବଳ । ଅପରାଜିତା-ନୀଳବର୍ଣ୍ଣର ପୁଷ୍ପବିଶେଷ । ତସ୍କର-ଚୋର । ଗିରିରାଜ-ସୁନ୍ଦର ପର୍ବତ । କରିମୁଣ୍ଡାକୃତି-ହାତୀମୁଣ୍ଡର ଆକୃତି ପରି । ଖଣ୍ଡାହଣା-ପର୍ବତବିଶେଷ । ଅଳନ୍ଧୁ-ଧୂଆଁରେ କଳାପଡ଼ିଥିବା ବୁଢ଼ିଆଣୀ ବସା । ସୀମନ୍ତିନୀ-ସ୍ତ୍ରୀ । ନୀରନ୍ଧ୍ର-ଛିଦ୍ର ନ ଥିବା । ନିବିଡ଼-ଘଞ୍ଚ । କୀଚକବଣିଆ-ବାଉଁଶବଣ । ଗଉଣିଆ-ପର୍ବତବିଶେଷ । ଫଣାଧରାକୃତି-ସାପ ଫଣା ପରି ଦିଶୁଥିବା । ମୈନାକ ଶିଖରୀ-ମଣିନାଗ ପର୍ବତ । ରଣପୁରେଶ୍ୱରୀ-ରଣପୁରର ଇଷ୍ଟଦେବୀ ।

ପୃଷ୍ଠା-୫୨

ବାରୁଣୀ-ପଶ୍ଚିମଦିଗ । ବଦନେ-ମୁଖରେ । ଗିରିପାଟଳୀ-ପର୍ବତଶ୍ରେଣୀ । ମୃଗମଦ-କସ୍ତୁରୀ । ପତ୍ରାବଳୀ-ପତ୍ରପଂକ୍ତି । ତରଣୀ-ନୌକା । ତୀର ଅବନୀ-କୂଳଭୂମି । କୁହେଳିକା-କୁହୁଡ଼ି । ଶୈଳକୂଟ-ପର୍ବତଶିଖର । ନଭେ-ଆକାଶରେ । ପରିସ୍ଫୁଟ-ଭଲଭାବେ ଦେଖିଯିବା । ଦ୍ୱୀପ ଶୈଳବ୍ରଜ-ଦ୍ୱୀପରେ ଥିବା ପର୍ବତଶ୍ରେଣୀ । ତରୀ-ନୌକା । ସ୍ଫୀତ-ବିସ୍ତୃତ । ପଲକେ ପଲକେ-କ୍ଷଣକୁ କ୍ଷଣ । ବିଳାସ-କ୍ରୀଡ଼ା । ସାୟନ୍ତନ-ସନ୍ଧ୍ୟାକାଳୀନ । ଘନ-ମେଘ । ଅଭ୍ରଖଣ୍ଡ-ମେଘଖଣ୍ଡ । ଅନ୍ତରୀକ୍ଷ-ଆକାଶ । ତରଙ୍ଗବକ୍ଷେ-ଲହରୀ ଦେହରେ । ପ୍ରତିଫଳେ-ପ୍ରତିବିମ୍ୱ ହୁଏ । ପଟାନ୍ତର-ଉପମା, ତୁଳନା ।

 

ପୃଷ୍ଠା-୫୩

ଶୋକପାସୋରା-ଦୁଃଖଦୂରକାରୀ । ଅପ୍‍ସରାଭୁବନ-ସ୍ୱର୍ଗପ୍ରଦେଶ । ଭାରତୀଭକତ-ସାହିତ୍ୟିକ, ସରସ୍ୱତୀ ଉପାସକ । ରୂପପାୟୀ-ସୌନ୍ଦର୍ଯ୍ୟପାନକାରୀ । ଧ୍ୟାୟୀ-ଚିନ୍ତାକରି । ବଚନବିଷୟ-ଭାଷାରେ ବକ୍ତବ୍ୟ । ପୂତ-ପବିତ୍ର । ସରିତ-ନଦୀ । ପୁନ୍ନାଗ ଅରଣ୍ୟ-ପୋଲାଙ୍ଗଗଛର ବଣ । ଭୃଗୁ-ବଶିଷ୍ଠ ଋଷି । ପ୍ଳାବନ-ପବିତ୍ର । ଭାର୍ଗବୀ-ପୁରୀ ନିକଟରେ ପ୍ରବାହିତ ନଦୀ ।

 

ନିଃଶ୍ରେଣୀ-ନିଶୁଣି, ସିଡ଼ି । ଦ୍ୱିଜକୁମାରୀ-ବ୍ରାହ୍ମଣଘରର ଝିଅ । ନିଚୟ-ସମୂହ । ହେମତାମରସ-ସୁନାର ପଦ୍ମ । ମଞ୍ଜୁ-ସୁନ୍ଦର ।

ପୃଷ୍ଠା-୫୪

ଦ୍ୱିଜକନ୍ୟା-ବ୍ରାହ୍ମଣଘରର ଝିଅ । ଲକ୍ଷ୍ମୀ-ନାମବିଶେଷ । ସୈଗନ୍ଧିକ-ନୀଳକଇଁ । ରିତ୍ନଚିରା-ନଦୀବିଶେଷ । ଦଧୀଚି-ଋଷିବିଶେଷ । ଅଭିଷେକଫଳେ-ସ୍ନାନ କରିବା ହେତୁ । ବୀଚି-ଲହରୀ । ବିଭୁଦୟା-ଭଗବାନଙ୍କ କରୁଣା । ଦୟା-ନଦୀବିଶେଷ । କିଶଳୟ ତାମ୍ର-କଅଁଳପତ୍ର ହେତୁ ତମ୍ୱାର ବର୍ଣ୍ଣଧାରୀ । ଏକାମ୍ରକାନନ-ଭୁବନେଶ୍ୱରର ପ୍ରସିଦ୍ଧ ସ୍ଥାନ । ଦ୍ରୁମରାଜି-ବୃକ୍ଷଶ୍ରେଣୀ ।

ପୃଷ୍ଠା-୫୫

ମନ୍ଦାକିନୀ-ଏକ କ୍ଷୁଦ୍ରନଦୀ । ଅମନ୍ଦଗାମିନୀ-ବେଗଗାମିନୀ । ତୀର୍ଥେଶ୍ୱର-ସମୁଦ୍ର, ତୀର୍ଥଶ୍ରେଷ୍ଠ । ନୀର ବିନିମୟ-ପାଣି ଦିଆନିଆ । ସରାଗେ-ଅନୁରାଗର ସହିତ । ବିହିଲେ-ସ୍ଥାପନ କଲେ । ବସତି-ଆବାସ । ନାଗେଶ୍ୱର-ପୁଷ୍ପବିଶେଷ । ବିସ୍ଫାରିତ-ପ୍ରସାରିତ ।

 

ପୃଷ୍ଠା-୫୬

ଅସ୍ତମିତ-ବିନଷ୍ଟ । ନୀଳଊର୍ମିମାଳା-ନୀଳବର୍ଣ୍ଣର ଲହରୀପଂକ୍ତି । ଚର୍ବିତ-ଚୋବାହୋଇଥିବା (ଭକ୍ଷିତ) । ଆଲୋଡ଼ିଲେ-ଆଲୋଡ଼ିତ କଲେ । ପବନ ହିଲ୍ଲୋଳେ-ପବନର ଲହରୀରେ । ବକ୍ଷେ ଧରି-ମନରେ ଧାରଣ କରି । ଯଶରଙ୍କ-କୀର୍ତ୍ତିଲୋଭୀ । ପଦାଙ୍କ-ପଦଚିହ୍ନ । ଯଶପଦବୀରେ-କୀର୍ତ୍ତିମାର୍ଗରେ । ସୁଲଭ-ସହଜରେ ମିଳିଥିବ । ବନ୍ଦିକୁଳ ଯଶ-ଚାରଣଙ୍କଦ୍ୱାରା ହେଉଥିବା ଯଶୋଗାନ । ବଶ-ଅଧୀନ । ରଙ୍ଗସ୍ଥଳୀ-କ୍ରୀଡ଼ାସ୍ଥାନ । ଶ୍ରୀମତୀ ମାଣିକା-ମାଣିକୀ ଗଉଡ଼ୁଣୀ ।

ପୃଷ୍ଠା-୫୭

ନିକାଞ୍ଚନେ-ଏକାନ୍ତରେ । ପ୍ରତିଲୋମେ-ବିପରୀତ ଦିଗରେ । ଅମରୀ-ଦେବାଙ୍ଗନା । ବ୍ୟୋମେ-ଆକାଶରେ । ବୀଣାପାଣି-ସରସ୍ୱତୀ । ଚିରସହଚରୀ-ବହୁଦିନର ସଂଗାତ । ଆରାଧନା-ପୂଜା । ଚନ୍ଦାନନା-ଚନ୍ଦ୍ର ବଦନୀ । ସମୀରେ-ପବନରେ । ଅଝାଳମାଳା-ପାଲଶ୍ରେଣୀ । ସ୍ଫୀତ କରି-ଫୁଲାଇ । ଆସୀନ-ଉପବିଷ୍ଟ । ନିକର-ବୃନ୍ଦ । ସୌରକରେ-ସୂର୍ଯ୍ୟ କିରଣରେ । ବର୍ମ-କବଚ । ଭାସ୍ୱର-ତେଜୀୟାନ୍‍ । ଲାଞ୍ଛନ-ଚିହ୍ନ । ଲାଞ୍ଛିତ-ଚିହ୍ନିତ । ଲୋହିତ-ରକ୍ତବର୍ଣ୍ଣ । ବାତେ-ପବନରେ । କ୍ଷେପଣୀ-ଆହୁଲା । ଗଜଦନ୍ତେ-ହାତୀଦାନ୍ତରେ । କଳେବର-ଶରୀର । ଚନ୍ଦ୍ରାତପ-ଚାନ୍ଦୁଆ । ସ୍ୱର୍ଣ୍ଣ ତାରକିତ-ସୁନାର ତାରାଖଚିତ । ସ୍ଫଟିକ-ମଣିବଶେଷ । ଯଷ୍ଟିରେ-ଦଣ୍ଡରେ ।

 

ପୃଷ୍ଠା-୫୮

ମଞ୍ଜୁଳ-ସୁନ୍ଦର । ପାରିଜାତ-ମନ୍ଦାର । ଇନ୍ଦିରା-ଲକ୍ଷ୍ମୀ । ମ୍ଳାନ-ମଳିନ । ମୁଖଛବି-ମୁଖଶୋଭା । ବିଷାଦ-ଦୁଃଖ । ରେଖା-ଗାର । କର୍ଣ୍ଣପୁର-କାନର ଭୂଷଣବିଶେଷ, ( ଏହା ମଣି ନିର୍ମିତ ହେତୁ ଧବଳବର୍ଣ୍ଣ । ) ବୈପରୀତ୍ୟେ-ବିପରୀତରେ । ଦ୍ୟୁତି-କାନ୍ତି । ଗନ୍ଧାମୋଦ-ସୁବାସର ଆନନ୍ଦରେ । ଅଳିକୁଳ-ଭ୍ରମର ପଙ୍‍କ୍ତି । ଗୁଞ୍ଜରି-ମଧୁର ଗୁଞ୍ଜନ କରି । ବାମା-ଅବଳା, ନାରୀ । ଆକୁଳ-ବ୍ୟସ୍ତ । ବରଭୂଜେ-ଶ୍ରେଷ୍ଠ ହାତରେ । ଲୀଳା ଅରବିନ୍ଦ-କ୍ରୀଡ଼ାର ପଦ୍ମ । ସଂଭ୍ରମେ-ତରତରରେ । ମିଳିନ୍ଦ-ଭ୍ରମର । ପଙ୍କହାସ୍ୟେ-ପଦ୍ମ ପରି ସୁନ୍ଦର ମୁଖରେ । ଚଳଭୂରୁ-ଚଞ୍ଚଳ ଭ୍ରୂଲତା-। ଲସ୍ୟେ-ନୃତ୍ୟରେ । ରଜତ କ୍ଷେପଣୀ-ରୂପାର ଆହୁଲା । ତରୁଣୀଏ-ଯୁବତୀମାନେ । ତରଣୀ-ନୌକା । ସଲିଳେ-ପାଣିରେ । ଉତ୍ସ-ପାଣ୍ଠି । ସଲୀଳେ-ଲୀଳାର ସହିତ । ରଜତସଫରୀ-ରୂପା ପରି କେରାଣ୍ଡିମାଛ ।

ପୃଷ୍ଠା-୫୯

ନୀଳିମାରେ-ନୀଳ ରଙ୍ଗରେ । ବାମା-ଯୁବତୀ । ଉପହାସ-ଥଟ୍ଟା । ତରଙ୍ଗ-ଲହରୀ । ଅପମାନ ଭରେ-ଅତିରିକ୍ତ ଅପମାନରେ । ତରଣୀ ପଞ୍ଜରେ-ନୌକା ଦେହରେ । ଚିକୁର-ବାଳ, କେଶ । ତରୀ-ନୌକା । ତରୀଦନ୍ତେ-ଆହୁଲାରେ । ତଥିପରେ-ତହିଁ ଉପରେ । ଦେବାକୃତି-ଦେବଶରୀରଧାରୀ । ସଂହନନ-ହତ୍ୟାକାରୀ । ବଦନଶ୍ରୀ-ମୁଖଶୋଭା । ବ୍ୟଜକ-ପ୍ରକାଶକ, ସୂଚନ-। କୃପାଣ-ଖଣ୍ଡା । ପାଣିରେ-ହାତରେ । ପରିଗ୍ରହି-ଗ୍ରହଣକରି । ମୂର୍ତ୍ତି-ଆକୃତି, ଶରୀର । ମେଦିନୀ-ସଂସାର, ଭୂଭାଗ । ସ୍ୱର୍ଣ୍ଣଛତି-ସୁବର୍ଣ୍ଣ ନିର୍ମିତ ରାଜଛତ୍ର । ସଂଭ୍ରମେ-ଉଦ୍‍ବେଗର ସହିତ (ଉତ୍‍କଣ୍ଠାର ସହିତ) ।

 

ପୃଷ୍ଠା-୬୦

ବିଷ୍ଣୁ ଆୟୁଧଲାଞ୍ଛିତ-ଚକ୍ରଚିହ୍ନ ଚିହ୍ନିତ । ନତି-ପ୍ରଣାମ, ନମସ୍କାର । ତରଣୀ-ପଙ୍କତି–ପୋତଶ୍ରେଣୀ । ବିଶ୍ୱମନୋରମା-ଦୁନିଆର ମନୋହାରିଣୀ । ବିରଞ୍ଚି-ବିଧାତା । ଜାହ୍ନବୀ-ଗଙ୍ଗା । ପରଶେ-ସ୍ପର୍ଶରେ । ଧରାତଳ-ଦୁନିଆ । ସଦ୍ମେ-ଘରେ । ସଦାଶୟ-ସତ୍‍ଭାବ । ପଦ୍ମାଳୟା-ଲକ୍ଷ୍ମୀ । ଅରିନ୍ଦମ-ଶତ୍ରୁଦମନକାରୀ । ସତ୍‍କ୍ରିୟା-ସାଧୁକର୍ମ । ରୂପକଳ୍ପଲତା-ଅଧିକ ସୁନ୍ଦରୀ । ଶୌର୍ଯ୍ୟ-ବୀରପଣିଆ । ଚିତ୍ରା-ନକ୍ଷତ୍ରବିଶେଷ । ଶ୍ରୀପତି-ଭଗବାନ୍‍ ବିଷ୍ଣୁ । ରମା-ଲକ୍ଷ୍ମୀ ।

ପୃଷ୍ଠା-୬୧

ବାଦିତ୍ର-ବାଦ୍ୟ । ବିଷ୍ଣୁପଦ-ଆକାଶ । ଉତ୍ତାଳ-ଉନ୍ମତ୍ତ । ଅଧ୍ମାନେ-ରାବରେ । ଅମରସତ୍ତା-ଚିର ଅବସ୍ଥିତି । ରୁଦ୍ରମୂର୍ତ୍ତି-ଭୀଷଣ ବିଗ୍ରହ । ଦୁରନ୍ତ-ଦୁଷ୍ଟ, ଦୁର୍ଦ୍ଦାନ୍ତ । ପରିପନ୍ଥୀ-ଶତ୍ରୁ । ସୂର୍ଯ୍ୟକାନ୍ତ-ମଣିବିଶେଷ । ପରଶେ-ସ୍ପର୍ଶ କରିବାରେ । ତେଜସ୍ୱୀ-ସୂର୍ଯ୍ୟ । ଊର୍ଜସ୍ୱଳ-ତେଜୀୟାନ୍‍ । ପ୍ରଚ୍ଛନ୍ନ-ଲୁଚି ରହିଥିଲା । ମାରାତ୍ମକ-ଘାତକ । ଦୈତ୍ୟ-ଅସୁର । ରକ୍ତବାହୁ-ଯବନ ନାମବିଶେଷ । ତମୋଗୁଣେ-ଗର୍ବରେ । ପିଶାଚୀ-ରାକ୍ଷସ, ପିଶାଚଗୁଣଯୁକ୍ତ । ଉତ୍କଳପତ୍ତନ-ଓଡ଼ିଶାର ଗ୍ରାମ, ପାଟଣା । ପରିପ୍ଳୁତ-ଓଦା ।

ପୃଷ୍ଠା-୬୨

ସର୍ବରତ୍ନପ୍ରସୂ-ସମସ୍ତପ୍ରକାର ରତ୍ନକୁ ଯେ ଜନ୍ମ ଦିଏ । ଶ୍ରୀକୋଠ ଭଣ୍ଡାର-ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର । ମଦେ-ଗର୍ବରେ । ମତ୍ସରୀ-ମାତ୍ସର୍ଯ୍ୟ ଗୁଣଶାଳୀ । ପଲକେ-କ୍ଷଣକରେ । ବିଳାପେ-କ୍ରନ୍ଦନରେ । ଉତ୍ତରଳେ-ଫୁଲି ଉଠିବାରେ । କୁହାଟ-ରଡ଼ି । କାଳୀଜୟୀ ଶୈଳେ-ଚିଲିକା ମଧ୍ୟସ୍ଥ ପର୍ବତରେ । ହୈମବତୀ-ଦୁର୍ଗା । ସଂକେତ-ଠାର, ସୂଚନା । ଫେନଚୂଡ଼-ଫେଣଯୁକ୍ତ । ଊର୍ମିକୁଳ-ଲହରୀମାନ । ଉତ୍‍କେଶର-ବାଳମୁକୁଳା, ବାଳକୁ ଉପରକୁ ଉଠାଇ । କେଶରୀ-ସିଂହ । ଥାଟ-ସୈନ୍ୟ । ଅମ୍ୱୁ-ଜଳ । ସମ୍ରାଟ-ଚକ୍ରବର୍ତ୍ତୀ । ଦୈତ୍ୟହନ୍ତା-ଅସୁର ହତ୍ୟାକରୀ । ବଜ୍ରୀ-ଇନ୍ଦ୍ର । ଜୀମୂତବାହନେ-ମେଘରୂପକ ବାହନରେ । ଅମ୍ୱରେ-ଆକାଶରେ । ଦମ୍ଭୋଳି-ବଜ୍ର ।

ପୃଷ୍ଠା-୬୩

ରାଇ-ଡାକି । ଆରାବ-ଧ୍ୱନି । ଉର-ଛାତି । ସଘନେ-ପୂର୍ଣ୍ଣରୂପରେ । ବିମ୍ୱିତ-ପ୍ରତିବିମ୍ୱିତ-। ଜୀମୂତେ-ମେଘରେ । ତଡ଼ିତ-ବିଜୁଳି । କରାଳ-ଭୀଷଣ । ଆଖଣ୍ଡଳ-ଇନ୍ଦ୍ର । ଅଜ୍ଞାନ-ମୂର୍ଖ । କଷାଘାତେ-ଚାବୁକୁ ମାଡ଼ରେ । ଶିଖି ଜାଣିଲା-ଶିକ୍ଷା ପାଇଲା । ଭ୍ରୂକୁଟୀ-ଭୂଭଙ୍ଗ । ଫେନ ଅଟ୍ଟହାସେ-ଫେଣ ରୂପକ ଅବଜ୍ଞା ସୂଚକ ଠୋ ଠୋ ହସରେ । କନ୍ଦୁକ-ପେଣ୍ଡୁ, ଗୋଲାକାର କ୍ରୀଡ଼ନକ, ବଲ୍‍ । ସନ୍ଦେଶ-ସମ୍ୱାଦ, ଖବର ।

ପୃଷ୍ଠା-୬୪

ବିତ୍ତ-ଧନ । ଉତ୍କଟ-ଅତିଶୟ । ପ୍ରାୟଶ୍ଚିତ୍ତ-ଦୋଷ ନିରାକରଣ ପାଇଁ ସ୍ୱୀକୃତ ଦଣ୍ଡ । ମକ୍ଷି-ମାଛି । ଦ୍ୱିସପ୍ତ ଭିବନ-ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ । ସପ୍ତ ଚାକଣ୍ଡର ତଳ୍ପ-ମରଣଶଯ୍ୟା, ତିନିହାତ ଚାଖଣ୍ଡେ ପରିମିତି ଶଯ୍ୟା । ପାରିଲେଣି-ପକାଇଲେଣି । ବିକର୍ତ୍ତନ-ସୂର୍ଯ୍ୟ । ନାଦି-ନାଦ କରାଇ, ଶବ୍ଦ କରାଇ । ଅରଣ୍ୟ-ସରଣୀ-ବନମାର୍ଗ । ଏରା-ଜଳଚର ପକ୍ଷୀବିଶେଷ । ନୀଡ଼-ପକ୍ଷୀବସା । ପୀତ ଅସ୍ତକର-ହଳଦିଆ ସୂର୍ଯ୍ୟକିରଣ । ବର୍ତ୍ମ-ମାର୍ଗ । ଅନ୍ତରାଳେ-ମଝିରେ । ମିହିର-ସୂର୍ଯ୍ୟ । ଉଢ଼ାଳେ-ଆଢ଼ୁଆଳରେ ।

 

ପୃଷ୍ଠା-୬୫

କାଦମ୍ୱିନୀ-ମେଘମାଳା । ବସ୍ତ୍ରାଞ୍ଚଳେ-ପଣତ କାନିରେ । ଅସ୍ତରାଗ-ଅସ୍ତସମୟର ରକ୍ତିମା । ପରାଗ-ଫୁଲରରେଣୁ । ଦିନାନ୍ତ-ସନ୍ଧ୍ୟା । ଅସ୍ତାତପ-ଅସ୍ତକାଳୀନ ସୂର୍ଯ୍ୟକିରଣ । ମାଥେ-ମସ୍ତକରେ । ମହାଛାୟାପାତେ-ବଡ଼ ଧରଣର ଛାଇ ପଡ଼ିବାରେ । କୋକ-ଚକ୍ରବାକ, ରାତ୍ରିରେ ଚକ୍ରବାକର ବଧୂ ବିୟୋଗ ହେବା କବିପ୍ରସିଦ୍ଧି ଅଛି । ନିଳୋରସେ-ନୀଳବର୍ଣ୍ଣର ବକ୍ଷରେ । ପ୍ରଚେତା-ବରୁଣ । ପ୍ରବାଳ ପ୍ରାସାଦ-ପୋହଳାରେ ନିର୍ମିତ କୋଠାଘର । ରୁଚି-ଶୋଭା । ଯତିଏ-ଋଷିମାନେ । ପ୍ରଚେତସୀ-ପଶ୍ଚିମଦିଗ । ବଇବଭ-ଐଶ୍ୱର୍ଯ୍ୟ, ବିଭବ । ଭୂତ-ପଞ୍ଚମହାଭୂତର ଅନ୍ୟତମ । ମହାର୍ଣ୍ଣବ-ବିରାଟ ସମୁଦ୍ର ।

ପୃଷ୍ଠା-୬୬

ଅମର ସରଣୀ-ଆକାଶମାର୍ଗ । ଚନ୍ଦ୍ରଚୂଡ଼-ଚୂଡ଼ାମଣି, ଶିବ ମସ୍ତକସ୍ଥିତ ଚନ୍ଦ୍ର । ତାରାପତି-ଚନ୍ଦ୍ର । ପୌରନ୍ଦରୀ-ପୂର୍ବ ଦିଗଙ୍ଗନା । ହିମରଜ-ବରଫ ଧୂଳି । ପ୍ରାଚୀ-ପୂର୍ବଦିଗ । ପ୍ରଚେତନୀ-ପଶ୍ଚିମଦିଗ । ବାରୁଣୀ-ପଶ୍ଚିମ ଦିଗ । ବ୍ୟୋମ-ଆକାଶ । ମୀନଜୀବୀ-କେଉଟ । ପଟିକା-ପାଲ । ମହୋଲ୍ଲାସେ-ବଡ଼ ଆନନ୍ଦରେ ।

ପୃଷ୍ଠା-୬୭

ମାରୁତ-ପବନ । ଜ୍ୟୋତ୍ସ୍ନାଦୁକୂଳବାସିନୀ-ଚନ୍ଦ୍ରକିକରଣ ରୂପକ ପାଟଲୁଗା ପିନ୍ଧିଥିବା ସ୍ତ୍ରୀ-। ଭାବାନ୍ତର-ଅନ୍ୟବିଚାର ବା ଭାବନା । ‘‘ଗଲାଣିତ ଗଲାକଥାରେ ସଙ୍ଗାତ’’-ଚମ୍ପୂର ‘ଗ’ ଗୀତର ଘୋଷା । ଅତୀନ୍ଦ୍ରିୟ ଦେଶେ-ଭଗବାନଙ୍କ ନିକଟରେ, ଇନ୍ଦ୍ରିୟାତୀତ ରାଜ୍ୟରେ । ବାଗୀଶ୍ୱରୀ-ସରସ୍ୱତୀ । ମୃତ୍ୟୁଞ୍ଜୟ-ଶିବ, ଯେ ମୃତ୍ୟୁକୁ ଜୟ କରିଛନ୍ତି ।

ପୃଷ୍ଠା-୬୮

ଯଶୋଦେହେ-କୀର୍ତ୍ତିରୂପକ ଶରୀରରେ । ପୋତପାଳ-ଧୀବର । ଭବେ-ଦୁନିଆରେ । ପାପମୂର୍ତ୍ତି-ପାପର ବିଗ୍ରହ । ସ୍ପର୍ଶେ ମାରାତ୍ମକ-ଛୁଇଁଲେ ହାତ ପୋଡ଼ିଯାଏ । ରମ୍ୟ-ସୁନ୍ଦର । ଅଜ୍ଞାନ-ଜ୍ଞାନହୀନ । ଅନ୍ତର୍ହିତ-ଲୁଚିଯିବା । ଘନ ଘନ-ବାରମ୍ୱାର । ନିଶାଗମେ-ରାତ୍ରିର ଆଗମନରେ । ଅନ୍ତଃସ୍ଥଳେ-ଭିତରେ । କ୍ଷୀରୋଦ-କ୍ଷୀରସମୁଦ୍ର । ସୋଦର-ଭାଇ । ଭାସି-ଶୋଭାପାଇ । ବିଶଦ-ସ୍ପଷ୍ଟ । ସ୍ନିଗ୍‍ଧ-ଚିକ୍‍କଣ । ମସୃଣ-ଚିକ୍‍କଣ । ଉପଳ-ପଥର ।

ପୃଷ୍ଠା-୬୯

ଝରନାଦ-ଝରଣାର ଶବ୍ଦ । ନିଶିଥିନୀ-ଅର୍ଦ୍ଧରାତ୍ରି । ଲୋକାଳୟ-ଜନବସତି । ଶୋଭାବନ-ଶୋଭାସମୂହ । ସାୟନ୍ତନ-ସନ୍ଧ୍ୟାକାଳୀନ । ସୀମନ୍ତ-ସୁନ୍ଥା । ଆଲେଖ୍ୟଶାଳିକା-ଚିତ୍ରଶାଳା । ଭଙ୍ଗୁର-କ୍ଷଣସ୍ଥାୟୀ । ନିଗଡ଼-ଶୃଙ୍ଖଳ । କାରା-ବନ୍ଦୀଶାଳା । ନିରୟ-ନରକ । ପଶ୍ଚିମ ଜୀବନ-ବାର୍ଦ୍ଧକ୍ୟ ଜୀବନ ।

ପୃଷ୍ଠା-୭୦

କୁଟୀର-କୁଡ଼ିଆ । ଜଟିଆ-ପର୍ବତବିଶେଷ । ଛାୟାବାଜି-କୃତ୍ରିମ ଘୋଟକ । ଉଦାସୀନ-ଅନାସକ୍ତ । ଗମନ୍ତି-କଟାନ୍ତି । ପିହିତ-ଆଚ୍ଛାଦିତ । ପାଷାଣ-ପଥର । ଉପାଦାନ-ସାମଗ୍ରୀ । ପଟ୍ଟଶିଷ୍ୟ-ଉତ୍ତମ ଚେଲା, ବଡ଼ ଚାଟ । ସତତ-ସର୍ବଦା ।

 

ପୃଷ୍ଠା-୭୧

ଆକାଶ କୁସୁମ-ଅଳୀକ, ଅସଂଭବ । ପୁଳିନ-ତଟ । ଆସ୍ପଦ-ସ୍ଥାନ । ନିରଜନେ-ନିର୍ଜନ ସ୍ଥାନରେ । ଅକିଞ୍ଚନ-ନିରୀହ ।

ପୃଷ୍ଠା-୭୨

ବ୍ୟୋମପୁଷ୍ପ-ଆକାଶ କୁସୁମ । ଭୀମ-ଭୟଙ୍କର । ଭବିତବ୍ୟ-ଭାବୀ, କାର୍ଯ୍ୟକଳାପୀ । ନିଧାନ-ସ୍ଥାନ, ଆଧାର । ଅରଣ୍ୟ ପ୍ରସୂନ-ବଣଫୁଲ । ସିପ୍ରା-ଉଜ୍ଜୟିନୀ ଉପକଣ୍ଠରେ ପ୍ରବାହିତ ନଦୀବିଶେଷ ।

ପୃଷ୍ଠା-୭୩

ସ୍ୱରୂପା-ସୁନ୍ଦରୀ । ଅଂଶୁପା-ବାଙ୍କି ନିକଟବର୍ତ୍ତୀ ହ୍ରଦବିଶେଷ । ପୁଷ୍କର-ଆଜମୀର ନିକଟବର୍ତ୍ତୀ କ୍ଷୁଦ୍ର ହ୍ରଦବିଶେଷ । ଗିରୀନ୍ଦ୍ର-ପର୍ବତଶ୍ରେଷ୍ଠ । ମେଘାସନ-ପର୍ବତବିଶେଷ । ଗିରିସମାଜେ-ପର୍ବତଶ୍ରେଣୀରେ । ଶର୍ବରୀ-ରାତ୍ରି । ଯାମିନୀ-ରାତ୍ରି । କମଳିନୀ-ପଦ୍ମ । ଅବସାନ ଶଂସୀ-ଶେଷର ସୂଚକ । କାବ୍ୟତାରା-କୁଆଁତାରା ।

ପୃଷ୍ଠା-୭୪

ତମଃ-ଅନ୍ଧକାର । ପ୍ରାଚୀନଭ-ପୂର୍ବଆକାଶ । ନବ ବିଭାରେ-ନୂତନ ଆଲୋକରେ । ଭାସ୍ୱର-ଉଜ୍ଜ୍ୱଳ, ତେଜୀୟାନ । ସୌଦାମିନୀ-ବିଜୁଳି । ଲାସ୍ୟ-ନୃତ୍ୟ । ବଜ୍ରାନାଦୀ-ବଜ୍ରପରି ଶବ୍ଦକାରୀ । ନଳୀ-ବନ୍ଧୁକ । ପଙ୍କଜ-ପଦ୍ମ । ହୃଦସରେ-ହୃଦୟ ରୂପକ ପୋଖରୀରେ । ଭଞ୍ଜକବିକରେ-ମୟୂରଭଞ୍ଜର ଅଧୀଶ୍ୱର ଶ୍ରୀରାମଚନ୍ଦ୍ର ଭଞ୍ଜ ରୂପୀ ସୁର୍ଯ୍ୟକିରଣରେ । ପଦ୍ମାବାସିନୀ ଭାରତୀ-ପଦ୍ମଗନ୍ଧା ସରସ୍ୱତୀ ।

ପୃଷ୍ଠା-୭୫

ତଡ଼ାଗ-ପୋଖରୀ । ଅନୁରାଗ-ସ୍ନେହ ।

Image